ନୂଆଦିଲ୍ଲୀ, ୧୨।୬ : ଆଗାମୀ ୨୦୨୯ ଲୋକସଭା ନିର୍ବାଚନରେ ମହିଳାଙ୍କୁ ୩୩% ସଂରକ୍ଷଣ ଲାଗୁ କରିପାରନ୍ତି ମୋଦି ସରକାର । ଜଣେ ସରକାରୀ ଅଧିକାରୀଙ୍କ କହିବା ମୁତାବକ, ଜନଗଣନା ପାଇଁ ଘୋଷଣା ସରିଛି । ତେଣୁ ଆଗାମୀ ନିର୍ବାଚନରେ ଏହି ନୂଆ ନିୟମକୁ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୩ ମସିହା ସେପ୍ଟେମ୍ବର ମାସରେ ପାରିତ ହୋଇଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁସାରେ ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସିଟ୍ ସଂରକ୍ଷିତ ହୋଇରହିବ । ଜନଗଣନା ପରେ ପରେ ଏନେଇ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା । ଆସନ୍ତା ଲୋକସଭା ନିର୍ବାଚନରୁ ଦେଶରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ଲାଗୁ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏପରି ହେଲେ ଲୋକସଭା ସହିତ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ସିଟ୍ ସଂରକ୍ଷଣ କରାଯିବ । ଯେଉଁଥିରେ ମହିଳାମାନେ ନିର୍ବାଚିତ ହୋଇ ଲୋକସଭା ଏବଂ ବିଧାନସଭାରେ ପ୍ରତିନିଧିତ୍ୱ କରିବେ ।
ଜନଗଣନା ପରେ ଦେଶରେ ଲୋକସଭା ସହିତ ରାଜ୍ୟମାନଙ୍କରେ ବିଧାନସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ମହିଳାମାନଙ୍କ ପାଇଁ ଏହି ସିଟ୍ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ । କେଉଁ ରାଜ୍ୟରେ ମହିଳାଙ୍କ ପାଇଁ ବିଧାନସଭାରେ କେତେ ସିଟ୍ ସଂରକ୍ଷିତ ରହିବ ଏବଂ ଲୋକସଭାରେ କେତେ ସିଟ୍ ସଂରକ୍ଷିତ ରହିବ ସେନେଇ ଧାର୍ଯ୍ୟ କରାଯିବ । ଏଥିସହ କେଉଁ କେଉଁ ଲୋକସଭା ଏବଂ ବିଧାନସଭା ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ଜନସଂଖ୍ୟା ଆଧାରରେ ଲୋକସଭା ସିଟ୍ ସଂଖ୍ୟା ବୃଦ୍ଧି ପାଇବା ନେଇ ଖବର ପ୍ରକାଶ ପାଇବା ପରେ ଦକ୍ଷିଣ ଭାରତରେ ଅସନ୍ତୋଷ ଦେଖାଯାଇଛି । ଏପରି ହେଲେ ଲୋକସଭାରେ ଦକ୍ଷିଣ ଭାରତର ସିଟ୍ ସଂଖ୍ୟା ହ୍ରାସ ପାଇବ ବୋଲି କୁହାଯାଉଛି । ଏଥିସହ ଉତ୍ତର ଭାରତର ସିଟ୍ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇବ । ଫଲରେ ଦକ୍ଷିଣ ଭାରତର ମହତ୍ତ୍ୱ କମ୍ ହୋଇଯିବ ବୋଲି ନେତା, ରାଜନେତା ଦାବି କରୁଛନ୍ତି ।