ମୁମ୍ବାଇ: ଆଜି ମହିଳା ଦିନିକିଆ ବିଶ୍ବକପ୍‌ ଫାଇନାଲ୍‌ ଲଢ଼େଇ । ବର୍ଷା ଯୋଗୁଁ ଟସ୍‌ ବିଳମ୍ବ ହୋଇଥିଲା।  କିନ୍ତୁ ଏବେ ଟସ୍‌ ହୋଇଛି । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି । ପ୍ରଥମେ ଭାରତୀୟ ମହିଳା ଦଳ ବ୍ୟାଟିଂ କରିବ ।  ମ୍ୟାଚ୍ ସନ୍ଧ୍ୟା ୫:୦୦ ଟାରେ ଡିୱାଇ ପାଟିଲ ଷ୍ଟାଡିୟମରେ ଆରମ୍ଭ ହେବ।

ଉଭୟ ଦଳ କେବେ ବି ଟ୍ରଫି ଜିତି ନାହାନ୍ତି। ମହିଳା ଦିନିକିଆ ବିଶ୍ୱକପ୍ ୨୫ ବର୍ଷ ପରେ ଏକ ନୂତନ ଚାମ୍ପିଅନ୍ ପାଇବ। ଶେଷଥର ପାଇଁ ୨୦୦୦ ମସିହାରେ ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ନ୍ୟୁଜିଲାଣ୍ଡ ନୂଆ ଚାମ୍ପିୟନ ହୋଇଥିଲା ।  ଏହା ବ୍ୟତୀତ, ଟୁର୍ଣ୍ଣାମେଣ୍ଟର ୫୨ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଫାଇନାଲରେ ଖେଳୁ ନାହାନ୍ତି । ଅଷ୍ଟ୍ରେଲିଆ ୭ ଥର ଏବଂ ଇଂଲଣ୍ଡ ୪ ଥର ଚାମ୍ପିଅନ୍ ହୋଇଛି।

ଭାରତୀୟ ମହିଳା ଦଳ ତୃତୀୟ ଥର ପାଇଁ ଓଡିଆଇ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଛି । ସେହିଭଳି ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ ଖେଳୁଛି । ଉଭୟ ଦଳ ପ୍ରଥମ ଆଇସିସି ଟାଇଟଲ ଅପେକ୍ଷାରେ ଅଛନ୍ତି। ଏହି ଦୁଇ ଦଳ  କେବେ ବି ଟି-୨୦ ବିଶ୍ୱକପ୍ ଜିତିନାହାନ୍ତି।

ସୂଚନାଯୋଗ୍ୟ, ଏହି ଷ୍ଟାଡିୟମ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ଫାଇନାଲକୁ ଏହାର ନିର୍ଦ୍ଧାରିତ ସମୟଠାରୁ ୧୨୦ ମିନିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ପରଦିନ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରହିଛି।

ମ୍ୟାଚର ଫଳାଫଳ ପାଇଁ ଉଭୟ ଦଳକୁ ଅତି କମରେ ୨୦ ଓଭର ବ୍ୟାଟିଂ କରିବାର ସୁଯୋଗ ମିଳିବା ଆବଶ୍ୟକ। ଯଦି ନିର୍ଦ୍ଧାରିତ ଦିନରେ ଏହା ସମ୍ଭବ ନହୁଏ, ତେବେ ରିଜର୍ଭ ଦିନରେ ଖେଳ ପୁଣି ଆରମ୍ଭ ହେବ। ଯଦି ରିଜର୍ଭ ଡେ’ରେ କୌଣସି ଫଳାଫଳ ନହୁଏ, ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକାକୁ ଟୁର୍ଣ୍ଣାମେଣ୍ଟର ମିଳିତ ବିଜେତା ଘୋଷଣା କରାଯିବ।