ଭଦୋଦରା,୧୯/୦୧: ଆଜି ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ର ଦ୍ୱିତୀୟ ପର୍ଯ୍ୟାୟ ଲିଗ୍ ଆରମ୍ଭ ହେବ । ମୁମ୍ବାଇରେ ପ୍ରଥମ ପର୍ଯ୍ୟାୟ ଲିଗ୍ ଖେଳା ଯାଇଥିଲା । ଭଦୋଦରାରେ ଦ୍ୱିତୀୟ ପର୍ଯ୍ୟାୟ ଲିଗ୍ ସମେତ ଏଲିମିନେଟର ଓ ଫାଇନାଲ୍ ଖେଳାଯିବ । ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଜାଏଣ୍ଟ୍‌ସ ସାମ୍ନାସାମ୍ନି ହେବେ । ସ୍ମୃତି ମନ୍ଧନାଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ଅପରାଜେୟ ଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ଗୁଜରାଟ ଜାଏଣ୍ଟ୍‌ସ ବିଜୟକୁ ଫେରିବାକୁ ବ୍ୟାକୁଳ ରହିଛି । ଫଳରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବ ।

ଉଭୟ ଦଳ ଗତ ୧୬ ତାରିଖରେ ପରସ୍ପରକୁ ଭେଟିଥିଲେ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ୩୨ରନ୍‌ରେ ଏହି ମ୍ୟାଚ୍ ଜିତିଥିଲା । ଏଥର ଗୁଜରାଟ ଜାଏଣ୍ଟ୍‌ସ ପ୍ରତିଶୋଧ ଅପେକ୍ଷାରେ ରହିଛି । ରୟାଲ୍ ଚ୍ୟାଲେଞ୍ଜର୍ସ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି । କ୍ରମାନ୍ୱୟରେ ଚତୁର୍ଥ ବିଜୟ ସହ ମୋଟ ୮ ପଏଣ୍ଟ ପାଇ ତାଲିକାରେ ଶୀର୍ଷରେ ରହିଛି । ଦଳ ସବୁ ବିଭାଗରେ ଚମତ୍କାର ପ୍ରଦର୍ଶନ କରୁଛି । ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି ।  ଅଧିନାୟିକା ସ୍ମୃତି ମନ୍ଧନା, ଗ୍ରେସ୍ ହ୍ୟାରିସ୍ ଓ ଅଲରାଉଣ୍ଡର ରାଧା ଯାଦବଙ୍କ ସମେତ ବୋଲିଂରେ ଶ୍ରେୟଙ୍କା ପାଟିଲ ଓ ଲୌରେନ ବେଲଙ୍କ ଉପରେ ନଜର ରହିବ ।

ଗୁଜରାଟ ୪ଟି ମ୍ୟାଚ୍ ଖେଳି ୨ ବିଜୟ ଓ ୨ ପରାଜୟ ସହ ୪ପଏଣ୍ଟ ପାଇ ତୃତୀୟରେ ରହିଛି । ଦଳରେ ଏକାଧିକ ଷ୍ଟାର୍ ଖେଳାଳି ଅଛନ୍ତି । ମାତ୍ର ସେମାନେ ସ୍ଥିର ପ୍ରଦର୍ଶନ ଦେବାରେ ବିଫଳ ହୋଇଛନ୍ତି । ଓପନର ସୋଫି ଡିଭାଇନ୍ ଓ ଅଧିନାୟିକା ଆସଲି ଗାର୍ଡନର ରୟାଲ୍ ଚ୍ୟାଲେଞ୍ଜର୍ସ ବୋଲରଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ହେବେ ।

ଭଦୋଦରାର କୋଟମ୍ବି ଷ୍ଟାଡିୟମ ପିଚ୍ରେ ଖେଳାଯାଇଥିବା ଶେଷ ୬ଟି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ବିଜୟ ହାସଲ କରିଛନ୍ତି । ଆସନ୍ତାକାଲି ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ରୟାଲ୍ ଚ୍ୟାଲେଞ୍ଜର୍ସ: ଗ୍ରେସ୍ ହ୍ୟାରିସ୍, ସ୍ମୃତି ମନ୍ଧନା (ଅଧିନାୟିକା), ଜର୍ଜିୟା ଭଲ, ଗୌତମୀ ନାଏକ, ରିଚା ଘୋଷ, ରାଧା ଯାଦବ, ନାଦିନ ଡି କ୍ଲର୍କ, ଅରୁନ୍ଧତୀ ରେଡ୍ଡୀ/ ସାୟଲି ସତଘରେ, ଶ୍ରେୟଙ୍କା ପାଟିଲ, ପ୍ରେମା ରାୱତ, ଲୌରେନ ବେଲ୍ ।

ଗୁଜରାଟ ଜାଏଣ୍ଟ୍‌ସ: ବେଥ ମୁନି, ସୋଫି ଡିଭାଇନ, ଶିବାନୀ ସିଂହ, ଆସଲି ଗାର୍ଡନର (ଅଧିନାୟିକା), ଜର୍ଜିୟା ୱାରେହାମ୍, କନିକା ଆହୁଜା, ଭାରତୀ ଫୁଲମାଳି, କାଶଭୀ ଗୌତମ, ତନୁଜା କୱଁର, ରାଜେଶ୍ୱରୀ ଗାଏକୱାଡ୍, ରେଣୁକା ସିଂହ ।