ନୂଆଦିଲ୍ଲୀ ୦୫/୦୧: ଆଇପିଏଲ ଢାଞ୍ଚାରେ ୨୦୨୩ରୁ ଆରମ୍ଭ ହୋଇଥିଲା ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁଏଲ) । ୫ଟି ଦଳ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଜାଏଣ୍ଟସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ୟୁପି ୱାରିୟର୍ସ । ପ୍ରଥମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦ୍ୱିତୀୟ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ ହୋଇଥିଲା । ପୁଣି ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ଟାଇଟଲ ଜିତିଥିଲା । ଏଥର ଚତୁର୍ଥ ସଂସ୍କରଣ ଆସନ୍ତା ୯ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୫ ତାରିଖରେ ଶେଷ ହେବ । ଏହି ସଂସ୍କରଣରେ ୫ଟି ଦଳ ମୋଟ୍‌ ୨୨ଟି ମ୍ୟାଚ୍‌ ଖେଳିବେ । ନଭି ମୁମ୍ବାଇ ଓ ଭଦୋଦରାରେ ସମସ୍ତ ମ୍ୟାଚ ଖେଳାଯିବ ।

ଗତ ନଭେମ୍ବର ଶେଷ ସପ୍ତାହରେ ୨୦୨୬ ସଂସ୍କରଣର ଡବ୍ଲ୍ୟୁପିଏଲ ପାଇଁ ଖେଳାଳି ନିଲାମ ହୋଇଥିଲା । ଭାରତର ଷ୍ଟାର ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ସବୁଠୁ ଦାମୀ ଖେଳାଳି ସାବ୍ୟସ୍ତ ହୋଇଥିଲେ । ତାଙ୍କୁ ୟୁପି ୱାରିୟର୍ସ ୩.୨ କୋଟି ଟଙ୍କା ମୂଲ୍ୟରେ କିଣିଥିଲା । ନ୍ୟୁଜିଲାଣ୍ଡର ଆମେଲିଆ କେର, ଶୋଫି ଡିଭାଇନ, ଶିଖା ପାଣ୍ଡେ, ମେଗ ଲାନିଂ, ଶ୍ରୀ ଚରଣୀ ଅନ୍ୟ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିଲେ ।

 ମିନି ନିଲାମୀରେ ୭୩ଟି ସ୍ଥାନ ପାଇଁ ୨୭୭ ଜଣ ଖେଳାଳିଙ୍କୁ ନେଇ ତାଲିକା ପ୍ରସ୍ତୁତ କରାଯାଇଥିଲା । ଏଥିରେ ୮୩ଜଣ ବିଦେଶୀ ଖେଳାଳି ରହିଥିଲେ । ବିଦେଶୀ ଖେଳାଳିଙ୍କ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍‌ରେ ୨୩ଟି ସ୍ଥାନ ଫାଙ୍କା ରହିଥିଲା । ତାଲିକାରେ ଅଷ୍ଟ୍ରେଲିଆରୁ ସର୍ବାଧିକ ୨୩ ଖେଳାଳି, ଇଂଲଣ୍ଡରୁ ୨୨, ନ୍ୟୁଜିଲାଣ୍ଡରୁ ୧୩ ଓ ଦକ୍ଷିଣ ଆଫ୍ରିକାରୁ ୧୧ ଜଣ ଖେଳାଳି ସ୍ଥାନ ପାଇଥିଲେ ।

​​​​​​​

ୟୁପି ୱାରିୟର୍ସ ମେଗ ଲ୍ୟାନିଂ (୧କୋଟି ୯୦ଲକ୍ଷ), ଫୋଏବ ଲିଚଫିଲ୍ଡ (୧କୋଟି ୨୦ ଲକ୍ଷ), କିରଣ ନଭଗିରେ, ଶିଖା ପାଣ୍ଡେ (୨କୋଟି ୪୦ଲକ୍ଷ), କ୍ରାନ୍ତି ଗୌଡ଼ଙ୍କୁ କିଣିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ୩ କୋଟି ଟଙ୍କା ମୂଲ୍ୟରେ ଆମେଲିଆ କେରଙ୍କୁ ଦଳକୁ ଫେରାଇ ଆଣିବାରେ ସଫଳ ହୋଇଥିଲା । ଗୁଜରାଟ ଜାଏଣ୍ଟ୍‌ସ ୨କୋଟି ଟଙ୍କାରେ ଶୋଫି ଡିଭାଇନ, ୧କୋଟି ଟଙ୍କାରେ ଜର୍ଜିୟା ୱାରେହାମ, ୭୦ଲକ୍ଷ ଟଙ୍କାରେ ଭାରତୀ ଫୁଲମାଲିଙ୍କୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ୧ କୋଟି ୩୦ ଲକ୍ଷ ଟଙ୍କାରେ ଶ୍ରୀ ଚରଣୀଙ୍କୁ, ଚିନେଲି ହେନରୀଙ୍କୁ ୧କୋଟି ୩୦ଲକ୍ଷ ଓ ଲୌରା ଉଲଭାର୍ଟଙ୍କୁ ୧କୋଟି ୧୦ଲକ୍ଷ ଟଙ୍କାରେ କିଣିଥିଲା ।

ଡବ୍ଲ୍ୟୁପିଏଲ ନିଲାମିରେ ବିକ୍ରି ହେବାରେ ସବୁଠୁ କନିଷ୍ଠା ଖେଳାଳି ହେଉଛନ୍ତି ଦିୟା ଯାଦବ । ତାଙ୍କୁ ଏବେ ମାତ୍ର ୧୬ ବର୍ଷ ବୟସ । ସେ ମୂଳ ଦର ୧୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ କିଣିଥିଲା ।