ଭୁବନେଶ୍ଵର, ୩୦/୦୪ : ବିଧାନସଭାର ଦିନିକିଆ ସ୍ଵତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ମହାବିତର୍କ। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ପ୍ରସଙ୍ଗରେ ମୋସନ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗୃହ କାର୍ଯ୍ୟ ଆରମ୍ଭରୁ ଆଲୋଚନା ପାଇଁ ପ୍ରସ୍ତାବ ଆଣି ମୁଖ୍ୟମନ୍ତ୍ରୀ ତାଙ୍କର ବକ୍ତବ୍ୟ ରଖିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରାଯାଇଛି। କଂଗ୍ରେସ ଦଳ ବନ୍ଧୁମାନେ ଆଲୋଚନାକୁ ଆଗେଇ ଆସିବା ବଦଳରେ ମହିଳାଙ୍କ ଉଦ୍ଦେଶ୍ୟରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳାଙ୍କ ବିଲକୁ ପାସ ନକରି ଆଜି ବିରୋଧ କରୁଛନ୍ତି। ବିଜେଡି ବି ପଞ୍ଚାୟତ ସ୍ତରରେ ମହିଳାଙ୍କୁ ସଂରକ୍ଷଣ କଥା କହି ବାହା ବାହା ନେଉଛି। ବିଧାୟକ କିମ୍ବା ସାଂସଦ କଥା ଆସିଲା ବେଳେ ପଛ ଘୁଞ୍ଚା କାହିଁକି ? ମହିଳାଙ୍କୁ ସଂରକ୍ଷଣ ମିଳିଲେ ବଡ଼ ପଣ୍ଡା ମାନଙ୍କର ସଂରକ୍ଷଣର ଅଧିକାର କ୍ଷୁର୍ଣ୍ଣ ହୁଏ ନାହିଁ। ଯେ ପର୍ଯ୍ୟନ୍ତ ମହିଳାଙ୍କୁ ବିଧାନସଭା କି ସଂସଦକୁ ପଠାଉ ନାହାନ୍ତି ତାଙ୍କୁ ଉଚିତ ସମ୍ମାନ ମିଳିନାହିଁ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଭାରତର ରାଷ୍ଟ୍ରପତି ଜଣେ ମହିଳା, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବି ମହିଳା, ବାଚସ୍ପତି ବି ମହିଳା। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୯ ଥର ବଜେଟ୍ ଉପସ୍ଥାପନା କରିଛନ୍ତି। ନାରୀ ଶକ୍ତି ବନ୍ଧନର ଆବଶ୍ୟତ ଅଛି। ବିରୋଧୀ ଏଥିରେ ବ୍ରେକ୍ ଲଗାଇଛନ୍ତି ଯାହାର ଉଚିତ ଜବାବ ଦେବେ ମହିଳା। ବିରୋଧୀ ଦଳ ନେତା ଚିଠି ଲେଖି ମତେ ଉତ୍ତର ମାଗିଥିଲେ। ତାଙ୍କ ଆଶଙ୍କା ନିରର୍ଥକ। ସିଟ୍ ବୃଦ୍ଧି ହେଲେ ଓ ମହିଳା ସଂରକ୍ଷଣ ବିଲ୍ ପାରିତ ହେଲେ ଓଡ଼ିଶା ବି ଅନ୍ୟ ରାଜ୍ୟ ଭଳି ସମାନ ଅଧିକାର ପାଇଥାନ୍ତା। କଥାରେ ଅଲଗା କାମରେ ଅଲଗା। ବିରୋଧୀ ମତାମତ ଦିଅନ୍ତୁ। ଗୃହରେ ନାରୀ ଶକ୍ତି ନେଇ ଆଲୋଚନା ହେଉ ବୋଲି ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିଛନ୍ତି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ଆସିବା ପୂର୍ବରୁ ମୁଁ ସ୍ଵତନ୍ତ୍ର ଅଧିବେଶନ ପାଇଁ ଚିଠି ଲେଖିଥିଲି। ଆଲୋଚନା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା କେନ୍ଦୁଝରରେ ମହିଳାଙ୍କ କଙ୍କାଳ ମାଟି ତଳୁ ବାହାର କରି ବ୍ୟାଙ୍କରେ ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ। ଡବଲ ଇଞ୍ଜିନ ସରକାରରେ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ଆସୁଛି। ଆମେରିକା ଲେଖିଲା ପର୍ଯ୍ୟଟକ ଓଡ଼ିଶା ଯାଆନ୍ତୁ ନାହିଁ ମହିଳା ଅସୁରକ୍ଷିତ। ବିଜୁ ବାବୁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେଇଥିଲେ। ୨୦୦୦ ମସିହାରେ ମୋ ସରକାର ୫୦% ସଂରକ୍ଷଣ ଦେଇଥିଲା। ମିଛ ଅପପ୍ରଚାର କରୁଛି ବିଜେପି। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ସମସ୍ତ ସଂସାଦଙ୍କୁ ଚିଠି ଲେଖିଛି। ସୀମା ନିର୍ଧାରଣ ବିଲ ରାଜ୍ୟର ରାଜନୈତିକ ଅଧିକାରୀ କମେଇବ।

ଏହି ସମୟରେ ନବୀନ କଟାକ୍ଷ କରି କହିଛନ୍ତି ଯେ, ମୋତେ ଓଡ଼ିଆରେ କହିବା ପାଇଁ କହୁଥିଲେ, ଏବେ ମୁଁ କହୁଛି ଶୁଣନ୍ତୁ। ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାର ହକକୁ କେହି ବଞ୍ଚିତ କରିପାରିବେ ନାହିଁ। ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି କାନ୍ଦଣା ବନ୍ଦ କରନ୍ତୁ। ସେପଟେ ଗୃହ ଆରମ୍ଭରୁ କଂଗ୍ରେସ ବିଧାୟକମାନେ ହୋହଲ୍ଲା କରିଥିଲେ। କେନ୍ଦୁଝର କଙ୍କାଳ ଘଟଣାରେ ବାଚସ୍ପତିଙ୍କ ପୋଡିୟମ ନିକଟରେ ନାରାବାଜି କରିଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ହେଲେ କିଛି ସମୟ ପରେ ବିଧାୟକମାନେ ଗୃହକୁ ଫେରିଛନ୍ତି। ଆଲୋଚନାରେ ଭାଗ ନେଇଛନ୍ତି। ..

ଏହି ଖବରଟିକୁ ପଢନ୍ତୁପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲା କଂଗ୍ରେସ, ନିଯୁକ୍ତ ହେବେ ସଂଯୋଜକ, ସ୍ଥାନୀୟ ସମସ୍ୟା ନେଇ ହେବ ଜନ ଆନ୍ଦୋଳନ