ବର୍ମିଂହାମ, ୧୨/୦୬: ଆଜିଠୁ ଆରମ୍ଭ ହେବାକୁ ଯାଉଛି ମହିଳା ଟି-ଟ୍ୱେଣ୍ଟି  ବିଶ୍ୱକପ୍‌ର ଦଶମ ସଂସ୍କରଣ । ବର୍ମିଂହାମରେ  ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ  ଖେଳାଯିବ ଉଦ୍‌ଘାଟନୀ ମୁକାବିଲା । ଶୁକ୍ରବାର ଠାରୁ ବିଶ୍ୱକପ୍‌ ଆରମ୍ଭ ହୋଇ ଜୁଲାଇ ୫ ତାରିଖ  ପର୍ଯ୍ୟନ୍ତ ଚାଲିବ । ମୋଟ୍‌ ୧୨ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ପର୍ଯ୍ୟନ୍ତ ୩୩ଟି ମ୍ୟାଚ  ଖେଳାଯିବ ।

ଉଦଘାଟନୀ ଦିବସରେ ଗୋଟିଏ ମ୍ୟାଚ  ରହିଛି । କିନ୍ତୁ ଦ୍ୱିତୀୟ ଦିବସରେ ୩ଟି ମ୍ୟାଚ  ଖେଳାଯିବ । ଗ୍ରୁପ୍‌ ଏ’ରେ ଅଷ୍ଟ୍ରେଲିଆ-ଦକ୍ଷିଣ  ଆଫ୍ରିକା ଏବଂ ଗ୍ରୁପ୍‌ ବି’ରେ ଆୟର୍ଲାଣ୍ଡ-ସ୍କଟଲାଣ୍ଡ  ଓ ନ୍ୟୁଜିଲାଣ୍ଡ-ୱେଷ୍ଟଇଣ୍ଡିଜ ମୁହାଁମୁହିଁ ହେବେ ।  

୧୨ଟି ଦଳକୁ ୨ଟି ଗ୍ରୁପ୍‌ରେ ଭାଗ କରାଯାଇଛି ।  ଗ୍ରୁପ୍‌ ଏ’ରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ,  ନେଦରଲାଣ୍ଡସ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏବଂ  ଗ୍ରୁପ୍‌ ବି’ରେ  ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ,  ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ସାମିଲ  ରହିଛନ୍ତି । ପ୍ରତ୍ୟେକ ଗ୍ରୁପ୍‌ର ଶ୍ରେଷ୍ଠ ୨ ଦଳ ସେମି  ଫାଇନାଲକୁ ଉନ୍ନୀତ ହେବେ ।

ବମି ର୍ଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡ,  ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡ, ଲିଡ୍ସର ହେଲିଂଲେ  କ୍ରିକେଟ୍‌ ଗ୍ରାଉଣ୍ଡ, ଲଣ୍ଡନର ଐତିହାସିକ ଲଡ୍ସର୍  ଓ ଓଭାଲ ଗ୍ରାଉଣ୍ଡ, ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ  କ୍ରିକେଟ୍‌ ଗ୍ରାଉଣ୍ଡ ଏବଂ ସାଉଥମ୍ପଟନର ରୋଜ  ବାୱେଲ ଏଭଳି ମୋଟ୍‌ ୭ଟି ଷ୍ଟାଡିୟମରେ  ମ୍ୟାଚ ଖେଳାଯିବ ।

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ମାତ୍ର ୪ଟି  ଦଳ ଏ ପର୍ଯ୍ୟନ୍ତ ଚାମ୍ପିଅନ ହେବାର ଗୌରବ ଲାଭ  କରିଛନ୍ତି । ଅଷ୍ଟ୍ରେଲିଆ ସର୍ବାଧିକ ୬ ଥର ଚାମ୍ପିଅନ  ହୋଇଛି । ୨୦୧୦, ୨୦୧୨, ୨୦୧୪, ୨୦୧୮,  ୨୦୨୦, ୨୦୨୩ ଦଳ ଟାଇଟଲ ହାସଲ କରିଥିଲା ।  ସେହିପରି  ୨୦୦୯ରେ ଇଂଲଣ୍ଡ, ୨୦୨୪ରେ  ନ୍ୟୁଜିଲାଣ୍ଡ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଚାମ୍ପିଅନ  ହୋଇଥିଲା । ପୂର୍ବ ସଂସ୍କରଣରେ ନ୍ୟୁଜିଲାଣ୍ଡ  ଟାଇଟଲ ସ୍ୱପ୍ନ ପୂରଣ କରିଥିଲା ।    

ଭାରତ ଏ ପର୍ଯ୍ୟନ୍ତ ଚାମ୍ପିଅନ ହେବାର  ସୁଯୋଗ ପାଇନି । ଯଦିଓ ୨୦୨୦ରେ ଦଳ  ଟାଇଟଲର ଅତି ନିକଟତର ହୋଇଥିଲା ।  ଅଷ୍ଟ୍ରେଲିଆଠୁ ପରାଜିତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିଥିଲା ।  ଭାରତ ଏଥର ଗ୍ରୁପ୍‌ ଏ’ରେ ରହିଛି ।  ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭଳି ଟାଣୁଆ  ଦଳ ଏହି ଗ୍ରୁପ୍‌ରେ ରହିଛନ୍ତି । ଯଦି ବାଂଲାଦେଶ,  ପାକିସ୍ତାନ ଓ ନେଦରଲାଣ୍ଡସକୁ ପରାଜିତ  କରିବାରେ ଭାରତ ସଫଳ ହେଉଛି, ତେବେ  ସେମି ଫାଇନାଲକୁ ଉନ୍ନୀତ ହେବାରେ ପଥ  ସୁଗମ ହୋଇପାରିବ ।  

ଅଧିକ ପଢ଼ନ୍ତୁ :-  IND A VS AFG A: ବର୍ଷା, DLS, ୩୪୯ ରନ୍‌...ତଥାପି ହାରିଲା ଭାରତ, ଏବେ କେମିତି ଖେଳିବ ଟ୍ରାଇ ସିରିଜ୍ ଫାଇନାଲ ?

ହର୍ମନପ୍ରୀତ କୌର ଦଳକୁ ଦିନିକିଆ  ଚାମ୍ପିଅନ କରାଇଥିଲେ । ଏଥର ଇଂଲଣ୍ଡରେ  ତାଙ୍କ ନେତୃତ୍ୱରେ ଦଳ ଟି-ଟ୍ୱେଣ୍ଟିରେ ମଧ୍ୟ  ଚାମ୍ପିଅନ ହେବ ବୋଲି ଆଶା ରହିଛି । ଭାରତୀୟ ଦଳରେ ରହିଛନ୍ତି ଅଧିନାୟିକା ହର୍ମନପ୍ରୀତଙ୍କ  ସହ ଉପ ଅଧିନାୟିକା ସ୍ମୃତି ମନ୍ଧନା, ଶେଫାଳି  ବର୍ମା, ଜେମିମା ରୋଡ୍ରିଗ୍ସ, ଭାରତୀ ଫୁଲମାଲି,  ଦୀପ୍ତି ଶର୍ମା, ରିଚା ଘୋଷ, ଶ୍ରୀଚରଣୀ, ୟସ୍ତିକା  ଭାଟିଆ, ନନ୍ଦନୀ ଶର୍ମା, ଅରୁଣନ୍ଧତୀ ରେଡ୍ଡୀ,  ରେଣୁକା ଠାକୁର, କ୍ରାନ୍ତି ଗୌଡ଼, ଶ୍ରୀୟଙ୍କା ପାଟିଲ  ଓ ରାଧା ଯାଦବ ।

ବିଶ୍ୱକପ୍‌ରେ ମୋଟ୍‌ ୮.୭୬ ମିଲିୟନ ଡଲାର  ପୁରସ୍କାର ରାଶି ରହିଛି । ଚାମ୍ପିଅନ ଦଳକୁ ୨.୩୪  ମିଲିୟନ, ରନର୍ସଅପ୍‌ ଦଳକୁ ୧.୧୭ ମିଲିୟନ  ଏବଂ ସେମି ଫାଇନାଲିଷ୍ଟ ଦଳକୁ ୧.୩୫ ମିଲିୟନ  ଡଲାର ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯିବ ।