ନୂଆଦିଲ୍ଲୀ,୦୮/୦୬; ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଆଉ ମାତ୍ର ୪ଦିନ ବାକି ରହିଲା । ରବିବାର ଆୟୋଜକ ଇଂଲଣ୍ଡର ପ୍ରସିଦ୍ଧ ୱାଟରଲୁ ବ୍ରିଜ୍ ଠାରେ ‘କ୍ୟାପଟେନ୍ କାର୍ନିଭାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣକାରୀ ୧୨ଟି ଦଳର ଅଧିନାୟିକାମାନେ ଯୋଗ ଦେଇଥିଲେ । ଉକ୍ତ ବ୍ରିଜ୍ଟି ସମ୍ପୂର୍ଣ୍ଣ ଭାବେ କ୍ରିକେଟ୍ ପିଚ୍ର ଭ୍ରମ ସୃଷ୍ଟି କରିଥିଲା । ସମସ୍ତ ଦଳର ଅଧିନାୟିକାମାନେ କୁନିକୁନି ପ୍ରଶଂସକଙ୍କ ସହ ଆଲୋଚନା କରିବା ସହ କ୍ରିକେଟ୍ ଖେଳିଥିଲେ ।

ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି ଯେ, ମହିଳା କ୍ରିକେଟ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । ‘କ୍ୟାପଟେନ କାର୍ନିଭାଲ’ କାର୍ଯ୍ୟକ୍ରମ ଇଂଲଣ୍ଡରେ ପ୍ରଶଂସକଙ୍କ ମଧ୍ୟରେ କ୍ରିକେଟ୍ ପ୍ରତି ଉତ୍ସାହ ବୃଦ୍ଧି କରିବ । ଆସନ୍ତା ୧୨ ତାରିଖରୁ ବିଶ୍ୱକପ୍ ଆରମ୍ଭ ହେବ । ଏହାପୂର୍ବରୁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି ।’ ବିଶ୍ୱକପ୍‌ରେ ମୋଟ ୧୨ଟି ଦଳ ଭାଗ ନେବେ । ଆୟୋଜକ ଇଂଲଣ୍ଡ ସମେତ ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ, ଆୟର୍ଲାଣ୍ଡ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ସ୍କଟଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ଟ୍ରଫି ପାଇଁ ଲଢ଼େଇ କରିବେ । ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ଖେଳାଯିବ ।


୭ ଭେନ୍ୟୁ- ମୋଟ ୭ଟି ଷ୍ଟାଡିୟମରେ ବିଶ୍ୱକପ୍ ଖେଳାଯିବ । ସେ ଗୁଡ଼ିକ ହେଲା ବର୍ମିଂହାମର ଏଜବାଷ୍ଟନ କ୍ରିକେଟ ଗ୍ରାଉଣ୍ଡ, ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡ, ଲିଡ୍ସର ହେଡିଂଲେ କ୍ରିକେଟ୍ ଗ୍ରାଉଣ୍ଡ, ଲଣ୍ଡନର ଐତିହାସିକ ଲର୍ଡ୍ସ ଓ ଓଭାଲ ଗ୍ରାଉଣ୍ଡ, ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ କ୍ରିକେଟ୍ ଗ୍ରାଉଣ୍ଡ ଏବଂ ସାଉଥମ୍ପଟନର ରୋଜ ବାୱେଲ । ଜୁନ ୧୨ରୁ ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ଏବଂ ଜୁନ ୩୦ରେ ପ୍ରଥମ ସେମି ଓ ଜୁଲାଇ ୨ରେ ଦ୍ୱିତୀୟ ସେମି ଫାଇନାଲ ଖେଳାଯିବ । ଜୁଲାଇ ୫ ତାରିଖରେ ଲର୍ଡ୍ସରେ ଫାଇନାଲ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଓଭାଲ ଗ୍ରାଉଣ୍ଡରେ ଉଭୟ ସେମି ଫାଇନାଲ ଖେଳାଯିବ । ୧୨ଟି ଦଳକୁ ୨ଟି ଗ୍ରୁପ୍ରେ ଭାଗ କରାଯାଇଛି । ଗ୍ରୁପ୍ ଏ’ରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଭାରତ, ନେଦରଲାଣ୍ଡସ, ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏବଂ ଗ୍ରୁପ୍ ବି’ରେ ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ସ୍କଟଲାଣ୍ଡ, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ସାମିଲ ରହିଛନ୍ତି । ପ୍ରତ୍ୟେକ ଗ୍ରୁପର ଶ୍ରେଷ୍ଠ ୨ ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ।

 

ଏହା ବି ପଢନ୍ତୁ...Ind vs AFG Test : ପଦାର୍ପଣରେ ସୂତାରଙ୍କ ଘାତକ ବୋଲିଂ, ମୁଲାନପୁରର ଭାରତର ଦବ୍ଦବା ; ଆଫଗାନିସ୍ତାନ ପ୍ରଥମ ଇନିଂସ୍ ୫/୧୧୩ 

ଭାରତୀୟ ଦଳ ଗ୍ରୁପ୍-୧ରେ ସ୍ଥାନ ପାଇଛି । ହର୍ମନପ୍ରୀତ ବାହିନର ଆସନ୍ତା ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଦଳ ୧୭ ତାରିଖରେ ନେଦରଲାଣ୍ଡ୍ସକୁ, ୨୧ ତାରିଖରେ ଦକ୍ଷିଣ ଆଫ୍ରିକାକୁ, ୨୫ ତାରିଖରେ ବାଂଲାଦେଶକୁ ଏବଂ ୨୮ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ । ଜୁନ ୩୦ ତାରିଖରେ ପ୍ରଥମ ସେମି ଫାଇନାଲ୍, ଜୁଲାଇ ୨ ତାରିଖରେ ଦ୍ୱିତୀୟ ସେମି ଫାଇନାଲ୍ ଏବଂ ୫ ତାରିଖରେ ଐତିହାସିକ ଲର୍ଡ୍ସ ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ଖେଳାଯିବ ।

ଏହା ବି ପଢନ୍ତୁ...Women's T20 world cup 2026; ୧୨ରୁ ଟି-ଟ୍ୱେଣ୍ଟି ବିଶ୍ୱକପ ମୁକାବିଲା; ୭ ଭେନ୍ୟୁ, ୧୨ ଦଳ ଖେଳିବେ ୩୩ ମ୍ୟାଚ୍, ପ୍ରଥମ ଟାଇଟଲ୍ ଲକ୍ଷ୍ୟରେ ଇଣ୍ଡିଆ