ନୂଆଦିଲ୍ଲୀ, ୩୦।୧: ନିକଟରେ ମାଲେସିଆର ଜଣେ ବରିଷ୍ଠ ମନ୍ତ୍ରୀଙ୍କର ସଂସଦରେ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ଧାର୍ମିକ ମାମଲା)ର ମନ୍ତ୍ରୀ ଡ. ଜୁଲ୍କିଫ୍ଲି ହସନ ଲିଖିତ ବୟାନରେ ଦାବି କରିଛନ୍ତି ଯେ, କାମର ଚାପ, ସାମାଜିକ ପରିବେଶ ଓ ଧାର୍ମିକ ପ୍ରଥାର ଅଭାବ ଲୋକଙ୍କୁ କିନ୍ନର (LGBT) ସମୁଦାୟ ଆଡ଼କୁ ଠେଲି ଦେଉଛି । ଏପରିକି କାମର ଚାପ ଲୋକଙ୍କୁ ‘ଗେ’ ଅର୍ଥାତ୍ ସମଲିଙ୍ଗୀ କରୁଛି । ତାଙ୍କର ଏହି ଅଜବ ବୟାନ ସାମ୍ନାକୁ ଆସିବା ପରେ ଲୋକେ ଖୁବ୍ ସମାଲୋଚନା କରୁଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଖୋଲାଖୋଲି ଥଟ୍ଟା କରୁଛନ୍ତି ।
ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ଅନୁସାରେ, ବିପକ୍ଷ ଦଳ ପିଏଏସ୍ର ସାଂସଦ ସିତୀ ଜଇଲାହ ମୋହଦ ୟୁସୁଫ୍ ସଂସଦରେ ତାଙ୍କୁ ପ୍ରଶ୍ନ କରିବା ପରେ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ଲିଖିତ ଉତ୍ତରରେ ହସନ କହିଛନ୍ତି, ସାମାଜିକ ପରିବେଶ, ଯୌନ ଅନୁଭବ, କାମର ଚାପ ଓ ବ୍ୟକ୍ତିଗତ କାରଣ ଆଦିକୁ ଏଲ୍ଜିବିଟି ବ୍ୟବହାରର ସମ୍ଭାବ୍ୟ କାରଣ ରୂପେ ଦେଖାଯାଇପାରେ । ମନ୍ତ୍ରୀ ହସନ ଆହୁରି କହିଛନ୍ତି, ୨୦୨୨ରୁ ୨୦୨୫ ମଧ୍ୟରେ LGBT ଗତିବିଧି ସହ ସଂଶ୍ଳିଷ୍ଟ ୧୩୫ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଗିରଫ କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କହିରଖୁଛୁ ଯେ, ମାଲେସିଆରେ ସମଲିଙ୍ଗୀ ସମ୍ପର୍କ ଅପରାଧ । ଅନ୍ୟପଟେ LGBTQ ଅଧିକାର ସମୂହ ମନ୍ତ୍ରୀଙ୍କ ବୟାନକୁ ଭ୍ରାମକ ଓ ବୈଜ୍ଞାନିକ ଆଧାରହୀନ କହିଛନ୍ତି । ଜଷ୍ଟିସ୍ ଫର ସିଷ୍ଟର୍ସ ସମୂହର ଥିଲଗା ସୁଲଥିରେହ କହିଛନ୍ତି, ଯୌନ ଆକାଂକ୍ଷା ମାନବ ପରିଚୟର ପ୍ରାକୃତିକ ଅଂଶ । ଏହା ମାନସିକ କିମ୍ବା ବାହ୍ୟ ଚାପ ଦ୍ୱାରା ବଦଳେ ନାହିଁ । ଏ ପ୍ରକାର ବୟାନ ଭୁଲ୍ ଧାରଣାର ପ୍ରସାର କରୁଛି ।