ନୂଆଦିଲ୍ଲୀ,୨୯/୦୫; ଜାତିସଂଘର ଏକ ରିପୋର୍ଟ ବିଶ୍ୱକୁ ପୁଣି ଭୟଙ୍କର ଚେତାବନୀ ଦେଇଛି । ରିପୋର୍ଟ ଅନୁସାରେ, ଆଗାମୀ ୫ ବର୍ଷ (୨୦୨୬ରୁ ୨୦୩୦)ରେ ତାପମାତ୍ରା ଆହୁରି ଦ୍ରୁତ ବଢ଼ିବ । ଏମିତିକି ୧.୫ ଡିଗ୍ରୀ ସେଲ୍ସିୟସ ସୀମା ବି ଟପିବ । ଗରମର ନୂଆ ରେକର୍ଡ ହେବ । ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ଏହି ରିପୋର୍ଟ ସ୍ପଷ୍ଟ କରିଛି ଯେ ମାନବୀୟ ଗତିବିଧିରୁ ଉତ୍ପନ୍ନ ଗ୍ରୀନ୍ହାଉସ୍ ଗ୍ୟାସ୍ ଯୋଗୁ ପାଣିପାଗ ଆହୁରି ଚରମ ରୂପ ନେଉଛି । ପ୍ୟାରିସ୍ ଚୁକ୍ତିରେ ସ୍ଥିର ହୋଇଥିଲା, ଆମେ ପୃଥିବୀର ହାରାହାରି ତାପମାତ୍ରା ପୂର୍ବ-ଔଦ୍ୟୋଗିକ ଯୁଗ ତୁଳନାରେ ୧.୫ ଡିଗ୍ରୀ ସେଲ୍ସିଏ ଅଧିକ ବଢ଼ିବାକୁ ଦେବୁ ନାହିଁ ।
କିନ୍ତୁ ଡବ୍ଲ୍ୟୁଏମ୍ଓର ନୂଆ ରିପୋର୍ଟ କହୁଛି, ୨୦୨୬ରୁ ୨୦୩୦ ମଧ୍ୟରେ ୫ ବର୍ଷର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍dd ୟସ୍ରୁ ଉପରକୁ ଚାଲିଯିବାର ୭୫ ପ୍ରତିଶତ ଆଶଙ୍କା ରହିଛି । ୫ ବର୍ଷ ମଧ୍ୟରୁ ଅତିକମ୍ରେ ଗୋଟିଏ ବର୍ଷ ୧.୫ ଡିଗ୍ରୀର ସୀମା ଟପିବ ବୋଲି ୯୧ ପ୍ରତିଶତ ଆଶଙ୍କା କରାଯାଉଛି । ଏହି ୫ ବର୍ଷ ମଧ୍ୟରୁ କୌଣସି ଗୋଟିଏ ବର୍ଷ ୨୦୨୪ର ଗରମ ରେକର୍ଡ ଭାଙ୍ଗିବ । ଅର୍ଥାତ୍ ଆଗାମୀ ବର୍ଷମାନଙ୍କରେ ଗରମ ଆହୁରି ଚରମ ହେବ ।
ଦ୍ରୁତ ଉଷ୍ଣ ହେଉଛି ମେରୁ କ୍ଷେତ୍ର - ମେରୁ କ୍ଷେତ୍ରକୁ ନେଇ ରିପୋର୍ଟରେ ସବୁଠୁ ଚିନ୍ତାଜନକ କଥା ସାମ୍ନାକୁ ଆସିଛି । ଏଠାରେ ତାପମାତ୍ରା ବାକି ବିଶ୍ୱ ତୁଳନାରେ ପ୍ରାୟ ୩.୫ ଗୁଣ ଦ୍ରୁତ ବେଗରେ ବଢୁଛି । ୨୦୨୬ରୁ ୨୦୩୦ ମଧ୍ୟରେ ମେରୁର ତାପମାତ୍ରା ହାରାହାରି ୧.୬୬ ଡିଗ୍ରୀ ସେଲ୍ସିୟସ୍ ଆହୁରି ବଢ଼ିପାରେ । ସାମୁଦ୍ରିକ ବରଫ ତରଳୁଛି । ବରଫ କମ୍ ହେବା ଯୋଗୁ ସୂର୍ଯ୍ୟ କିରଣ ସମୁଦ୍ରରେ ଅଧିକ ଶୋଷିତ ହେଉଛି । ଏହା ଦ୍ୱାରା ଗରମ ଆହୁରି ବଢ଼ୁଛି । ଏହା ଏକ ଚକ୍ରରେ ରୂପାନ୍ତର ହୋଇଛି । ଏହି ସ୍ଥିତିରେ ଥଣ୍ଡା ଦିନେ ମେରୁ ପୂର୍ବାପେକ୍ଷା ଅଧିକ ଗରମ ରହିବ, ଯାହା ବିଶ୍ୱ ପାଣିପାଗକୁ ପ୍ରଭାବିତ କରିବ ।
ଆମାଜନ୍ର ମରୁଡ଼ି ଓ ଅଗ୍ନିକାଣ୍ଡ ବିପଦ ଆମାଜନ୍ ପୃଥିବୀର ସର୍ବବୃହତ ଉଷ୍ଣମଣ୍ଡଳୀୟ ଜଙ୍ଗଲ । ଏହା ଅଙ୍ଗାରକାମ୍ଳ ଗ୍ରହଣ କରି ପାଣିପାଗକୁ ନିୟନ୍ତ୍ରିତ ରଖେ । କିନ୍ତୁ ସଦ୍ୟ ରିପୋର୍ଟ କହୁଛି, ଆଗାମୀ ୫ ବର୍ଷରେ ଆମାଜନ୍ରେ ଅସ୍ୱାଭାବିକ ମରୁଡ଼ି ପଡ଼ିପାରେ । ଏହା ଦ୍ୱାରା ଜଙ୍ଗଲରେ ଅଗ୍ନିକାଣ୍ଡର ବିପଦ ବଢ଼ିବ । ଯଦି ଆମାଜନ୍ ଶୁଷ୍କ ହୋଇଯାଏ ଓ ଜଳିଯାଏ, ଅଙ୍ଗାରକ ଶୋଷିବା ବଦଳରେ ନିଜେ ଅଙ୍ଗାରକ ଛାଡ଼ିବ । ଏହା ଦ୍ୱାରା ବିଶ୍ୱ ଉତ୍ତାପନ ଆହୁରି ବଢ଼ିଯିବ । ସ୍ଥାନୀୟ ଲୋକଙ୍କ ପାଇଁ ଜଳ ସମସ୍ୟା ବଢ଼ିବ ।
ବଢୁଛି ଚରମ ପାଣିପାଗ ଘଟଣା ଉତ୍ତାପ ବଢ଼ିବା ଯୋଗୁ ପାଣିପାଗ ଆହୁରି ଚରମ ରୂପ ନେଉଛି । ବନ୍ୟା, ମରୁଡ଼ି, ଗ୍ରୀଷ୍ମ ଲହରୀ ଓ ବାତ୍ୟା ଅଧିକ ହେଉଛି । ୟୁରୋପରେ ମେ’ ମାସରେ ରେକର୍ଡ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଭାରତ, ପାକିସ୍ତାନ ଓ ଅନ୍ୟ ଦେଶରେ ମଧ୍ୟ ଏହାର ପ୍ରଭାବ ବଢୁଛି । ବୈଜ୍ଞାନିକଙ୍କ ଅନୁସାରେ, ପ୍ରତି ୦.୧ ଡିଗ୍ରୀ ଗରମ ବଢ଼ିବା ଦ୍ୱାରା ପ୍ରଭାବ ଆହୁରି ଗମ୍ଭୀର ହେଉଛି । ୧.୫ ଡିଗ୍ରୀ ସୀମାଠୁ ଉପରକୁ ଯିବା ବିପଦପୂର୍ଣ୍ଣ । ଏହା ଦ୍ୱାରା ପ୍ରବାଳ ପ୍ରାଚୀର, ଗ୍ଲେସିୟର ଓ ଅନେକ ପରିସଂସ୍ଥାନ ନଷ୍ଟ ହୋଇଯିବ ।
ଭାରତ ଉପରେ କ’ଣ ପ୍ରଭାବ ଗ୍ରୀଷ୍ମ ଲହରୀ ସାମ୍ନା କରୁଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ସଦ୍ୟ ଜାତିସଂଘ ରିପୋର୍ଟ ଅନୁସାରେ, ଦେଶରେ ଆଗାମୀ ବର୍ଷମାନଙ୍କରେ ଗ୍ରୀଷ୍ମ ପ୍ରବାହ ବଢ଼ିବ । ରାତି ତାପମାତ୍ରା ଅଧିକ ରହିବ, ଯାହା ଦ୍ୱାରା ଶାରୀରିକ ପୀଡ଼ା ବଢ଼ିବ । କୃଷି, ସ୍ୱାସ୍ଥ୍ୟ ଓ ଜଳର ଉପଲବ୍ଧତା ଉପରେ ଖରାପ ପ୍ରଭାବ ପଡ଼ିବ । ସହରରେ ଅର୍ବାନ ହିଟ୍ ଆଇଲାଣ୍ଡ ପ୍ରଭାବରୁ ଗରମ ଆହୁରି ବଢ଼ିବ । ଏହି ସ୍ଥିତିରେ ଭାରତକୁ ହିଟ୍ ଆକ୍ସନ୍ ପ୍ଲାନ୍କୁ ଆହୁରି ମଜଭୁତ କରିବା ଉଚିତ୍ । ଜାତିସଂଘର ଜଳବାୟୁ ପ୍ରମୁଖ ସାଇମନ ଷ୍ଟିଲ୍ କହିଛନ୍ତି, ବିଶ୍ୱ ଉତ୍ତାପନକୁ ରୋକିବାର ପ୍ରୟାସ ଏବେ ଯଥେଷ୍ଟ ନୁହେଁ । କୋଇଲା, ତେଲ ଓ ଗ୍ୟାସ୍ର ଉପଯୋଗ ଏବେ ବି ବହୁତ ଅଧିକ । ଏହା ଦ୍ୱାରା ଚରମ ପାଣିପାଗ ଘଟଣା ବଢୁଛି, ଯାହାର ପ୍ରଭାବ ସ୍ୱାସ୍ଥ୍ୟ, ଅର୍ଥବ୍ୟବସ୍ଥା ଓ ଖାଦ୍ୟ ସୁରକ୍ଷା ଉପରେ ପଡୁଛି ।
କ’ଣ କହନ୍ତି ବୈଜ୍ଞାନିକ ? ବୈଜ୍ଞାନିକଙ୍କ ଅନୁସାରେ, ଏବେ ବି ବିଳମ୍ବ ହୋଇନାହିଁ । ଯଦି ଆମେ ଯଥାଶୀଘ୍ର ଅଙ୍ଗାରକ ନିର୍ଗମନକୁ କମାଇଦେବା, ନବୀକରଣଯୋଗ୍ୟ ଉର୍ଜ୍ଜା ବଢ଼ାଇବା, ଜଙ୍ଗଲ ସୁରକ୍ଷା ରଣନୀତି ପ୍ରସ୍ତୁତ କରିବା, ତେବେ କ୍ଷତିକୁ ସୀମିତ କରିପାରିବା । ରିପୋର୍ଟରେ ସ୍ପଷ୍ଟ ହୋଇଛି ଯେ ପ୍ରତି ୦.୧ ଡିଗ୍ରୀ ଗରମ ବଢ଼ିଲେ, ପ୍ରଭାବ ବଢ଼ୁଛି । ତେଣୁ ପ୍ରତି ଛୋଟ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ । ଜାତିସଂଘର ରିପୋର୍ଟ ବିଶ୍ୱ ପାଇଁ ଗମ୍ଭୀର ଚେତାବନୀ । ଆଗାମୀ ୫ ବର୍ଷ ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗମ୍ଭୀର ପଦକ୍ଷେପ ନ ନେଲେ ଗରମର ରେକର୍ଡ ଭାଙ୍ଗିଚାଲିବ । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରଭାବିତ ହେବ ।