ମଥୁରାନଗରୀ, ୦୪/୦୧: ଦ୍ୱାପରକୁ ଫେରିଛି ବରଗଡ଼ । ଆରମ୍ଭ ହୋଇଛି କଂସ ରାଜୁତି । କଳାକାରଙ୍କ ଆକର୍ଷଣୀୟ ବେଶପୋଷାକ ଓ ସଂଳାପରେ କମ୍ପୁଛି ହେଉଛି ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ । ପୌରାଣିକ ଓ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଅକ୍ଷୁଣ୍ଣ ରଖିଥିବା ଧନୁଯାତ୍ରାର ୭୭ତମ ସଂସ୍କରଣ ପୌଷ ଶୁକ୍ଳ ପଞ୍ଚମୀ ତିଥିରେ ଉଦ୍ଘାଟିତ ହୋଇଛି।
ଜି ପୌଷ ଶୁକ୍ଳ ପଂଚମୀ ତିଥିରେ ବରଗଡ଼ ଧନୁଯାତ୍ରାର ୭୭ତମ ସଂସ୍କରଣ ଉଦଘାଟନ ସହ ବିଶ୍ୱ ପ୍ରସିଦ୍ଧ ସର୍ବ ବୃହତ୍ତ ରଙ୍ଗମଞ୍ଚରେ ନାଟ୍ୟାଭିନୟ ଶୁଭାରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୨ଟାରେ ଗାନ୍ଧୀଛକରୁ ବାହାରିଥିବା ସାଂସ୍କୃତିକ ଶୋଭଯାତ୍ରା ସନ୍ଧ୍ୟା ୬ଟାରେ ସମେଲଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପାରମ୍ପରିକ ପୂଜା ପାଠ କରାଯାଇ ଯାତ୍ରା ଅନୁକୂଳ କରାଯାଇଥିଲା । ରୀତି ଅନୁସାରେ ଟମକ ନିଷାଣ, ଢ଼ୋଲ ମୁହୂରୀର ସୁମଧୁର ଧୂନ ସହିତ ସମ୍ପୂର୍ଣ୍ଣ ମନଲୋଭା ପୌରାଣିକ ପରିବେଶରେ ଚର ଅନୁଚରଙ୍କ ଗହଣରେ ପାଟ ଭୂଷଣ ପରିହିତ ମଥୁରା ନରେଶ ଉଗ୍ରସେନ ହସ୍ତୀଋଢ଼ ହୋଇ ନଗର ପରିକ୍ରମା ପୂର୍ବକ ହାଟପଦା ସ୍ଥିତ ରାଜଦରବାରରେ ପହଞ୍ଚିଥିଲେ । ମହାମନ୍ତ୍ରୀ ଅକ୍ରୂର, ମନ୍ତ୍ରୀ ସକ୍ରାଜିତ, ମନ୍ତ୍ରୀ ଅନାଧୃଷ୍ଟ, ସେନାପତି ହଂସଧ୍ୱଜ, ସେନାପତି ପ୍ରଦ୍ୟୁତଙ୍କ ସମେତ ସମସ୍ତ ରାଜ ପାରିଷଦ ମହାରାଜଙ୍କୁ ପାଛୋଟି ନେବା ପରେ ରାଜକର୍ମଚାରୀଙ୍କ ଜୟଜୟକାର ଧ୍ୱନୀରେ ମହାରାଜ ଉଗ୍ରସେନ ସିଂହାସନରୂଢ଼ ହୋଇଥିଲେ ।
ଏହା ପରେ ବରଗଡ଼ ମଥୁରାନଗରୀରେ ପରବର୍ତ୍ତିତ ହେବା ସହ ଜିଲ୍ଲାପାଳ ଓ ଏସପି ହୋଇଯାଇଥିଲେ ତାଙ୍କ ଅଧସ୍ତନ ରାଜ ଅଧିଚାରୀ ା ରାଜ୍ୟ ଓ ପ୍ରଜାଙ୍କ କୁଶଳ ମଙ୍ଗଳ କାମନା କରି ମହାରାଜ ଉଗ୍ରସେନ ରାଜକାର୍ଯ୍ୟ ଆରମ୍ଭ କରିଥିଲେ । ଜନତା ଦରବାରରେ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଏବଂ କଥା ପ୍ରସଙ୍ଗରେ ତାଙ୍କର ଏକମାତ୍ର ଅଳିଅଳ ଝିଅ ଦେବକୀର ବିବାହ ପାଇଁ ଇଚ୍ଛା ପ୍ରକାଶ କରି ବରପାତ୍ର ଯୋଗାଡ଼ ସହ ବିବାହ ଆୟୋଜନ ପାଇଁ ମନ୍ତ୍ରୀମଣ୍ଡଳରେ ପ୍ରସଙ୍ଗ ଉତ୍ଥାପନ କରି ମହାମନ୍ତ୍ରୀ ଅକ୍ରୂରଙ୍କ ସହାୟତା ଲୋଡ଼ିଥିଲେ । ତାଙ୍କ ପରାମର୍ଶ କ୍ରମେ ବସୁଦେବକୁ ଜ୍ୱାଇଁ ଭାବେ ଚୟନ କରି ବିବାହ ଆୟୋଜନ ପାଇଁ ରାଜପୁରୋହିତଙ୍କୁ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ପାରିଷଦ ରାଜକୀୟ ଠାଟ୍ରେ ବାହାଘର ଆୟୋଜନରେ ମାତି ଯାଇଥିଲେ । ଏପଟେ ମୃଗୟା ପାଇଁ ଜଙ୍ଗଲକୁ ଯାଇଥିବା ଯୁବରାଜ କଂସଙ୍କୁ ଭଉଣୀର ବିବାହ ସମ୍ପର୍କରେ ଦେବର୍ଷି ନାରଦ ସୂଚନା ଦେବା ପରେ କଂସ ସିଧା ରାଜଉଆସ ଫେରି ଭଉଣୀର ବାହାଘର ସମ୍ପର୍କରେ ସେ କହିଁକି ଅଜ୍ଞ ବୋଲି ପିତାଙ୍କ ଉପରେ ଅଭିମାନ କରିଥିଲେ । ତେବେ ପିତା ମହାରାଜ ଉଗ୍ରସେନ ପୁଅକୁ ବୁଝାଇ ଭଉଣୀର ଭବ୍ୟ ବିବାହୋତ୍ସବ ସୁସମ୍ପାଦନା କରିବା ସହିତ ବଡ଼ଭାଇର ଗୁରୁ ଭୂମିକା ତୁଳାଇବା ପାଇଁ ପୁତ୍ରଙ୍କୁ ପରାମର୍ଶ ଦେବା ପରେ ଯୁବରାଜ କଂସ ପିତାଙ୍କ ଆଦେଶ ଗ୍ରହଣ କରି ଅତି ଆନନ୍ଦ ଚିତ୍ତରେ ଭଉଣୀର ବିବାହ ଆୟୋଜନରେ ଲାଗିପଡ଼ିଥିଲେ । ଯୁବରାଜ କଂସ ପିତାଙ୍କ ନିର୍ଦ୍ଦେଶ ପାଳନ କରି ରାଜ ଉଆସରେ ତିଆରି କରାଯାଇଥିବା ବିବାହ ମଣ୍ଡପରେ ବିଧି ଅନୁଯାୟୀ ଭଉଣୀ ଦେବକୀଙ୍କ ସହିତ ବସୁଦେବଙ୍କ ବିବାହ ଆୟୋଜନ କରିଥିଲେ । ଆଦରରେ ଭଉଣୀ ଦେବକୀ ଓ ଭଉଣୀଜ୍ୱାଇଁ ବସୁଦେବଙ୍କୁ ପାଛୋଟି ନେଇ ଲିଆ କଉଡ଼ି ପରମ୍ପରା ସମ୍ପାଦନ କରିବାରେ ପ୍ରତ୍ତକ୍ଷ୍ୟ ଭୂମିକା ନେଇଥିଲେ ।
ଅତି ଆନନ୍ଦରେ ନିଜେ ସାରଥି ସାଜି ସୁସଜ୍ଜିତ ରଥରେ ଭଉଣୀ ଓ ଭିଣୋଇଙ୍କୁ ବିଦାୟ ଦେଉଥିବା ବେଳେ ହଠାତ ଶୂନ୍ୟରୁ ଗୁଞ୍ଜରିତ ଦୈବବାଣୀ "ଦେବକୀଙ୍କର ଅଷ୍ଟମ ଗର୍ଭେ କଂସ ନାଶ' ଖୁସିରେ ବାଧକ ସାଜିଥିଲା । ଗୋମତ ଋଷିଙ୍କ ଅଭିଶାପ ଭାଇକୁ ଭଗାରୀ କରିବା ସହ କଂସକୁ କଂସାସୁରରେ ପରିବର୍ତ୍ତିତ କରିଥିଲା । କ୍ଷଣିକ ଆଗରୁ ଭଉଣୀ ଭିଣୋଇଙ୍କ ପଦବନ୍ଦନା କରୁଥିବା କଂସ କାଳ ବିଳମ୍ବ ନକରି ଭଉଣୀ ଓ ଭିଣୋଇଙ୍କୁ କାରାଗାରରେ ବନ୍ଦୀ କରି କଡ଼ାକଡ଼ି ପହରା ପାଇଁ ରକ୍ଷୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗର୍ଭ ସଂଚାର କ୍ଷଣି ତାଙ୍କୁ ଖବର କରିବାକୁ ପ୍ରହରୀଙ୍କୁ ତାଗିଦ କରି ମୂଳୁ ମାଇଲେ ଯିବ ସରି ନ୍ୟାୟରେ ନବଜାତକଙ୍କୁ ଶିଳାରେ କଚାଡ଼ି ମାରିବା ପାଇଁ ଘୋଷଣା କରିଥିଲେ। କଂସାସୁରରେ ପରିଣତ କଂସ ମୃତ୍ୟୁ ଭୟରେ ପିତାଙ୍କୁ ମଧ୍ୟ ବନ୍ଦୀ କରିବାକୁ ପଛେଇ ନଥିଲେ । ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ସିଂହାସନ ଆରୋହଣ କରି ଯୁବରାଜ କଂସରୁ ମହାରାଜା କଂସ ପାଲଟିଥିଲେ । ମନ୍ତ୍ରୀ ଓ ସଭାଷଦଙ୍କ ପରାମର୍ଶାନୁସାରେ ବୃଦ୍ଧ ପିତା ଉଗ୍ରସେନଙ୍କ କାରାଦଣ୍ଡାଦେଶକୁ ପ୍ରତ୍ୟାହାର କରି ରାଜ୍ୟର ସୀମାରେ ପହରା ଦେବା ପାଇଁ ନିୟୋଜିତ କରି ତାଙ୍କ ପ୍ରଭୁତ୍ୱ ସ୍ୱୀକାର କରିବା ପାଇଁ ପିତାଙ୍କୁ ବାଧ୍ୟ କରିଥିଲେ ।
ସେହିପରି କୌଣସି ଭଗବାନ ନୁହେଁ ତାଙ୍କୁ ହିଁ ପୂଜାର୍ଚ୍ଚନା କରିବାକୁ ମଥୁରାବାସୀଙ୍କୁ ଆଦେଶ ଦେଇଥିଲେ ା ନିଜ ପିତାଙ୍କ ପ୍ରତି ଏଭଳି କ୍ରୁର ଆଚରଣ କରିଥିବା ପୁତ୍ର କଂସର ଚେତାବନୀକୁ ଭୟାର୍ତ୍ତ ମଥୁରାବାସୀ ଶିରୋଧାର୍ଯ୍ୟ କରି କାରାଗାରରେ ବନ୍ଦୀଥିବା ନିରୀହ ଦେବକୀ ବସୁଦେବଙ୍କ ପାଇଁ ପ୍ରାର୍ଥନା କରିଥିଲେ । କଂସ ପ୍ରକୋପରେ ଥରହର ମଥୁରାବାସୀ ବ୍ରହ୍ମା ବିଷ୍ଣୁଙ୍କ ଶରଣ ପଶିଥିବା ବେଳେ କଂସ ଆତଙ୍କରେ ପ୍ରମାଦ ଗଣିବା ଆରମ୍ଭ କରିଥିବା ଦେବତାଗଣ ବିଷ୍ଣୁଙ୍କ ଶରଣାପନ୍ନ ହୋଇଥିଲେ । ହାଟପଦାରେ ନିର୍ମିତ ରାଜଦରବାର ଦୈବୀବାଣୀ ଅଙ୍କ ମଂଚସ୍ଥ ହୋଇଥିବା ବେଳେ ଦେବକୀ ବସୁଦେବ ବିବାହ ଦୃଶ୍ୟ ସ୍ଥାନୀୟ ରାମଜୀ ମନ୍ଦିରରେ ସମ୍ପନ୍ନ ହୋଇଥିଲା ।