ଭୁବନେଶ୍ୱର ୦୭/୦୬: ଜୀବନ ରକ୍ଷା ପାଇଁ ଖାଦ୍ୟ ଜରୁରି । ହେଲେ ଆଜିର ସମୟରେ ଏହି ଉକ୍ତିଟି ସମ୍ପୂର୍ଣ୍ଣ ବଦଳିବାକୁ ବସିଲାଣି । ପେଟ ପୋଷିବା ପାଇଁ ଖାଦ୍ୟ ଲୋଡ଼ା, ହେଲେ ସେହି ଖାଦ୍ୟ ଯଦି ଜୀବନ ନେବାକୁ ବସେ, ତେବେ ମଣିଷ ଯିବ କୁଆଡେ? ଆଜିକାଲି ବଜାରକୁ ଗଲେ ଏମିତି ପ୍ରଶ୍ନ ସବୁ ଖାଉଟିଙ୍କ ମନକୁ ଆସୁଛି । ଆଜି ଆମେ ଯେଉଁ ଥାଳିରେ ସ୍ୱାଦିଷ୍ଟ ଖାଦ୍ୟ ସଜାଇ ବସୁଛେ, ତାହା ଶରୀରକୁ ଶକ୍ତି ଦେବା ବଦଳରେ ଧୀରେ ଧୀରେ ମୃତ୍ୟୁ ମୁଖକୁ ଠେଲି ଦେଉଛି । କହିବାକୁ ଗଲେ ଆମେ ଖାଦ୍ୟ ନାଁରେ ପ୍ରତିଦିନ ‘ଧୀମା ବିଷ’ ବା ‘ସ୍ଲୋ ପଏଜନ’ ଗ୍ରହଣ କରୁଛେ । ସକାଳର ଜଳଖିଆ ଠାରୁ ଆରମ୍ଭ କରି ରାତ୍ରି ଭୋଜନ ପର୍ଯ୍ୟନ୍ତ ପ୍ରତିଟି ଜିନିଷରେ ଏବେ ଅପମିଶ୍ରଣ ଏବଂ କେମିକାଲର ଭେଜାଲ କାରବାର ଚାଲିଛି ।

 

ପନିପରିବାକୁ ଶୀଘ୍ର ବଡ଼ କରିବା ପାଇଁ ଏବଂ ଫଳକୁ ଶୀଘ୍ର ପାଚିବା ପାଇଁ ମାରାତ୍ମକ ‘ଅକ୍ସିଟାସିନ୍’ ଇଞ୍ଜେକସନ୍ ବ୍ୟବହାର କରାଯାଉଛି । ଏହା ଏକ ହରମୋନାଲ ଇଞ୍ଜେକସନ୍, ଯାହା ମଣିଷ ଶରୀର ପାଇଁ ବିପଜ୍ଜନକ । ଚମକଦାର ଦେଖାଯିବା ପାଇଁ ସେଓ ଉପରେ ମହମର ପ୍ରଲେପ ଏବଂ ସବୁଜ ପନିପରିବା ଉପରେ କୃତ୍ରିମ ରଙ୍ଗ ଦିଆଯାଉଛି । ଡିଟରଜେଣ୍ଟ, ୟୁରିଆ,ଷ୍ଟାର୍ଚ ଏବଂ ରିଫାଇନ୍ ତେଲ ମିଶାଇ ନକଲି କ୍ଷୀର ତିଆରି ହେଉଛି । ପନିର ଓ ଖୁଆରେ ମଧ୍ୟ ବ୍ୟାପକ ଭେଜାଲ ଦେଖିବାକୁ ମିଳୁଛି ା ସୋରିଷ ତେଲରେ ଶସ୍ତା ଆର୍ଜିମାନ ତେଲ ଏବଂ ଗୁଣ୍ଡ ମସଲାରେ କାଠ ଗୁଣ୍ଡ, ଇଟା ଗୁଣ୍ଡ ଓ କୃତ୍ରିମ ରଙ୍ଗର ତେଲ ବ୍ୟବହାର କରାଯାଉଛି । ଚିପ୍ସ, ମ୍ୟାଗି ଏବଂ ହୋଟେଲ ଖାଦ୍ୟରେ ଅତ୍ୟଧିକ ମାତ୍ରାରେ ଅଜିନାମାଟା, ପ୍ରିଜରଭେଟିଭ ଏବଂ ସୋଡିୟମ ବ୍ୟବହାର କରାଯାଉଛି ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅଜିନାମାଟା ଯାହା ମସ୍ତିଷ୍କର କୋଷଗୁଡିକୁ ଦୁର୍ବଳ କରିଥାଏ । ଉଚ୍ଚ ସୋଡିୟମ ଏବଂ ଟ୍ରାନ୍ସଫ୍ୟାଟ୍ ରକ୍ତ ଚାପ ବଢାଇବା ସହିତ ଧମନୀରେ ଦୂଷିତ କୋଲେଷ୍ଟ୍ରଲ ଜମା କରି ହାର୍ଟ ଆଟାକର ହୃଦ୍ଘାତର କାରଣ ସାଜେ ।

ଅଧିକ ପଢ଼ନ୍ତୁ :-  Monsoon Update: ଭୀଷଣ ତାତି, ସାଂଘାତିକ ଗୁଳୁଗୁଳି, ଆହୁରି ୩ ଦିନ କଲବଲ କରିବ ଖରା, ୮ ଦିନରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଏହି କେମିକାଲ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଣିଷ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛି। ଆଜିର ଯୁବପିଢି ଓ ଛୋଟ ପିଲାମାନେ କ୍ୟାନ୍ସର, କିଡ୍ନୀ ଜନିତ ରୋଗ, ହୃଦ୍‌ଘାତ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହେଉଛନ୍ତି । ଓଡ଼ିଶା ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ସରକାରୀ ରିପୋର୍ଟ ଅନୁସାରେ, ୨୯ଟି ଜିଲ୍ଳାରୁ ସଂଗ୍ରହ କରାଯାଇଥିବା ଖାଦ୍ୟ ନମୁନାରେ ବ୍ୟାପକ ଅପମିଶ୍ରଣ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଭେଜାଲ ଜିନିଷ କାରବାରରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହିଛି । ସାଧାରଣ ଜନତାଙ୍କ ଅଭିଯୋଗ ହେଉଛି ଯେ ଖାଦ୍ୟ ସୁରକ୍ଷା ବିଭାଗ ସମୟ ସମୟରେ ଚଢ଼ଉ କରି ନକଲି କାରଖାନା ସିଲ୍ କରୁଛି ସତ । କିନ୍ତୁ କଡ଼ା ଆଇନ ନ ଥିବାରୁ ଅପରାଧୀମାନେ ଅଳ୍ପ ଜରିମାନା ଦେଇ ପାର୍ ହୋଇଯାଉଛନ୍ତି । ଏଥିପାଇଁ ଅପମିଶ୍ରଣକାରୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଏବଂ ଆଜୀବନ କାରାଦଣ୍ଡ ଭଳି କଠୋର ଆଇନ ପ୍ରଣୟନ କରିବାକୁ ଦାବି ହେଉଛି ।