ଭୁବନେଶ୍ୱର,୦୭/୦୬: ଭୀଷଣ ତାତି, ସାଂଘାତିକ ଗୁଳୁଗୁଳି । ନୟାନ୍ତ କରିଦେଲାଣି । ଜନଜୀବନ ପୂରା ଅସ୍ତବ୍ୟସ୍ତ । ମଝିରେ ମଝିରେ କାଳବୈଶାଖୀ ବର୍ଷା ହେଉଛି । ପୁଣି ସକାଳୁ ତାତି ପ୍ରକୋପ । ଏ ସ୍ଥିତି ଏବେ ଆହୁରି କିଛିଦିନ ରହିବ । ଏହା ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି ) ଶନିବାର ଓଡ଼ିଶା ପାଇଁ ମୌସୁମୀ ଆଗମନର ସମ୍ଭାବ୍ୟ ତାରିଖ ଆକଳନ କରିଛି । ଅନୁମାନ କରାଯାଉଛି, ଆସନ୍ତା ୬ରୁ ୮ ଦିନ ଭିତରେ ମୌସୁମୀ ଓଡ଼ିଶା ଛୁଇଁପାରେ । ବର୍ତ୍ତମାନ ସ୍ଥିତିରେ ତାତି ଆହୁରି ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ଆସନ୍ତା ୩ ଦିନ ଭିତରେ । ତା’ପରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ରାଜ୍ୟରେ ନିୟମିତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଅଛି ।

 

ଶନିବାର ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଥିଲା । ବୌଦ୍ଧ ତାପମାତ୍ରା ୪୧.୯ ଡିଗ୍ରୀ, ଟିଟିଲାଗଡ଼ ୪୧.୭, ନୟାଗଡ଼ ୪୧.୫, ଭବାନୀପାଟଣା ୪୧.୫, ତାଳଚେର ୪୧, ବଲାଙ୍ଗିର ୪୦.୮, ଭୁବନେଶ୍ୱର ୪୦.୭, ସମ୍ବଲପୁର ୪୦.୬, ସୋନପୁର ୪୦.୪, ଢେଙ୍କାନାଳ ୪୦.୩ ଡିଗ୍ରୀ ଥିଲା । ଅନେକ ଜାଗରେ ପାରଦ ୩୭ରୁ ୩୯ ଡିଗ୍ରୀ ଭିତରେ ରହିଥିଲା । ଭୁବନେଶ୍ୱରରେ ସକାଳୁ ଆରମ୍ଭ ହୋଇଯାଇଥିଲା ତାତି ପ୍ରକୋପ । ସକାଳ ସାଢ଼େ ୫ଟାରୁ ତାପମାତ୍ରା ୩୦.୮ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୮୭% ଥିଲା । ଅନୁଭୂତ ହେଉଥିଲା ୪୭ ଡିଗ୍ରୀ ଭଳି ଗରମ । ସାଢ଼େ ୮ଟାରେ ପାରଦ ୩୩ ଡିଗ୍ରୀ ଛୁଇଁ ସାରିଥିଲା ।

ଦିନ ସାଢ଼େ ୧୧ଟାବେଳକୁ ଭୁବନେଶ୍ୱର ତାପମାତ୍ରା ଥିଲା ୩୮ ଡିଗ୍ରୀ ଓ ଆର୍ଦ୍ରତା ୫୧% । ୪୯ ଡିଗ୍ରୀ ତାତି ଭଳି ଅନୁଭବ ହେଉଥିଲା । ଗରମରେ ଛଟଛଟ ହୋଇଯାଇଥିଲେ ଲୋକେ । ପଦାରେ ଥିବା ଲୋକେ ଗରମରେ ସିଝି ଯାଇଥିଲେ । ଅପରାହ୍ନରେ ଭୁବନେଶ୍ୱରରେ କାଳବୈଶାଖୀ କୋପ ଦେଖାଇଥିଲା । ବର୍ଷା ସାଙ୍ଗକୁ ଭୟାନକ ପବନରେ ବ୍ୟାପକ ଗଛ, ଖୁଣ୍ଟି ଉପୁଡ଼ି ପଡ଼ିଥିଲା । ପବନ ବର୍ଷା ପରେ ଭୁବନେଶ୍ୱର ତାପମାତ୍ରା ୪୦ରୁ ୨୬ ଡିଗ୍ରୀକୁ ଖସି ଯାଇଥିଲା । ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗରମ, ଗୁଳୁଗୁଳି ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହାସହିତ କାଳବୈଶାଖୀ ବିଭିନ୍ନ ସ୍ଥାନରେ ହୋଇପାରେ ।

ଅଧିକ ପଢ଼ନ୍ତୁ :- LPG Price Hike: ସାଧାରଣ ଜନତାଙ୍କୁ ଝଟ୍କା; କମର୍ସିଆଲ ପରେ ମହଙ୍ଗା ହେଲା ଘରୋଇ ଏଲପିଜି ସିଲିଣ୍ଡର ଦର, ଜାଣନ୍ତୁ କେତେ ବଢିଲା ?

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ସିଇସି ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟକୁ ଉତ୍ତର ପଶ୍ଚିମରୁ ଗରମ ପବନ ଆସିପାରେ । ୧୧/୧୨ ତାରିଖ ପର୍ଯ୍ୟନ୍ତ ଗରମ ରହିପାରେ । ୧୪-୧୫ ତାରିଖବେଳକୁ ରାଜ୍ୟରେ ମୌସୁମୀ ଆଗମନ କରିପାରେ । ତେବେ ଉପକୂଳ ଓଡ଼ିଶାରେ ୯ ତାରିଖ ପରଠାରୁ ଗରମ କମିପାରେ ।