ନୂଆଦିଲ୍ଲୀ,୦୩/୦୯: ଭାରତ ଏବଂ ରୁଷ ମଧ୍ୟରେ ଆର୍ଥିକ ଏବଂ ସାମରିକ ସମ୍ପର୍କ ମଜବୁତ ହେଉଛି। ବିଶେଷକରି ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ, ଦୁଇ ଦେଶ ମଧ୍ୟରେ ଏକ ଗଭୀର ସହଭାଗୀତା ଦେଖିବାକୁ ମିଳିଛି। ଏସସିଓ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭ୍ଲାଦିମିର ପୁଟିନଙ୍କ ସାକ୍ଷାତ ପରେ, ଏହି ଚୁକ୍ତିକୁ ଆହୁରି ଶକ୍ତି ମିଳିଛି। ରିପୋର୍ଟ ଅନୁସାରେ, ରୁଷ୍ ଭାରତକୁ ଶସ୍ତା ଦରରେ ତେଲ ଦେବାକୁ ପ୍ରସ୍ତାବ ଦେଇଛି ଏବଂ S-400 ମିସାଇଲ ସିଷ୍ଟମର ନୂତନ ଯୋଗାଣ ପାଇଁ ମଧ୍ୟ ଆଲୋଚନା ଚାଲିଛି।
ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ରୁଷ ଭାରତକୁ ୟୁରାଲ ଅଶୋଧିତ ତୈଳ ଉପରେ ଅଧିକ ରିହାତି ଦେବାକୁ ନିଷ୍ପତ୍ତି ନେଇଛି। ଏହି ରିହାତି ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଲୋଡ୍ ହେବାକୁ ଥିବା ତେଲ ଉପରେ ଲାଗୁ ହେବ। ବର୍ତ୍ତମାନ, ରୁଷର ୟୁରାଲ ଅଶୋଧିତ ତୈଳ ବ୍ରେଣ୍ଟ ଅଶୋଧିତ ତୈଳ ତୁଳନାରେ ୩-୪ ଡଲାର ଶସ୍ତା। ପୂର୍ବରୁ ଏହି ରିହାତି ମାତ୍ର ୧ରୁ ୨.୫ ଡଲାର ଥିଲା। ଏବେ ଭାରତର ତୈଳ ଆମଦାନୀ ସେପ୍ଟେମ୍ବରରେ ୧୦-୨୦% ବୃଦ୍ଧି ପାଇପାରେ, ଯାହାର ଅର୍ଥ ହେଉଛି ପ୍ରତିଦିନ ୧.୫ରୁ ୩ ଲକ୍ଷ ବ୍ୟାରେଲ ଅତିରିକ୍ତ ତୈଳ ଭାରତରେ ପହଞ୍ଚିବ। ତେବେ ତେଲ ସହିତ, ଭାରତ-ରୁଷ୍ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସହଯୋଗ ଗଭୀର ହେଉଛି। ୨୦୧୮ ରେ ଭାରତ ୫.୫ ବିଲିୟନ ଡଲାରରେ ଋଷଠାରୁ ୫ଟି S-400 ୟୁନିଟ୍ କିଣିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ଭାରତ ଏଥିମଧ୍ୟରୁ ତିନୋଟି ପାଇସାରିଥିବା ବେଳେ ଆଉ ଦୁଇଟି ୨୦୨୬ ଏବଂ ୨୦୨୭ ସୁଦ୍ଧା ଯୋଗାଇ ଦିଆଯିବ। ପ୍ରକାଶ ଥାଉକି, S-400କୁ ବିଶ୍ୱର ସର୍ବୋତ୍ତମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଭାରତ ମଧ୍ୟ ମେ' ମାସରେ ଅପରେସନ ସିନ୍ଦୁର ସମୟରେ ଏହାକୁ ବ୍ୟବହାର କରିଥିଲା। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅନୁଯାୟୀ, ୨୦୨୦-୨୪ ମଧ୍ୟରେ ଭାରତର ଅସ୍ତ୍ରଶସ୍ତ୍ର ଆମଦାନୀରେ ରୁଷର ଅବଦାନ ୩୬% ଥିଲା, ଯେତେବେଳେ ଫ୍ରାନ୍ସର ୩୩% ଏବଂ ଇସ୍ରାଏଲର ୧୩% ଥିଲା।