ଭୁବନେଶ୍ୱର, ୨୦/୦୩(ଅମନ ଆୟୁଷ୍ମାନ ଦାସ): ଘରଚଟିଆ । ଛୋଟିଆ ପକ୍ଷୀଟେ । ଦୈନନ୍ଦିନ ଆମ ଚାରିପାଖେ ଯେତେ ପକ୍ଷୀ ରହିଛନ୍ତି ସେମାନଙ୍କୁ ମଧ୍ୟରୁ ଏ ହେଉଛି ଜଣେ । ତା’ର କିଚିରିମିଚିରି ଶବ୍ଦରେ ଆଖପାଖ ପରିବେଶ ଫାଟିଉଠେ । ରାବ ଶୁଣି ନିଦ ଭାଙ୍ଗିଯାଏ । ସେଥିପାଇଁ ଏମାନଙ୍କୁ ପ୍ରାକୃତିକ ଆଲାରାମ ମଧ୍ୟ କୁହାଯାଏ । ହେଲେ ଘରଚଟିଆଙ୍କୁ ଆଉ ଦେଖିବାକୁ ମିଳୁନି । ଚାଳଘର ନଥିବାରୁ ଘରଚଟିଆଙ୍କ ସଂଖ୍ୟା ହ୍ରାସ ପାଉଛି । ହେଲେ ଏହି ପକ୍ଷୀଙ୍କ ବଂଶ ସମ୍ପୂର୍ଣ୍ଣ ଲୋପ ପାଇନି । ଏବେବି ଘରଚଟିଆଙ୍କ ବଂଶ ରକ୍ଷା ପାଇଁ ବହୁ ଯୁବକଯୁବତୀମାନେ କାମ କରୁଛନ୍ତି । ଗାଁ ଗାଁ ବୁଲି ଅଧିବାସୀଙ୍କୁ ସଚେତନ କରାଉଛନ୍ତି । ଚଟିଆଙ୍କ ପାଇଁ ଘର ତିଆରି କରୁଛନ୍ତି ।
ଏବେବି ରାଜଧାନୀ ଭୁବନେଶ୍ୱରର ଉପକଣ୍ଠରେ ଏହି ପକ୍ଷୀ ରହିଛନ୍ତି ବୋଲି ପକ୍ଷୀପ୍ରେମୀ ମତ ରଖିଛନ୍ତି । ଆସନ୍ତାକାଲି ବିଶ୍ୱ ଘର ଚଟିଆ ଦିବସ ଥିବାରୁ କିପରି ଏହି ପକ୍ଷୀଙ୍କ ବଂଶ ବିସ୍ତାର କରିହେବ ସେଥିପାଇଁ ଚିନ୍ତା ପ୍ରକାଶ କରିଛନ୍ତି । ଏହି ପକ୍ଷୀଙ୍କ ନିରାପଦ ସ୍ଥାନ ହେଉଛି ଚାଳ ଛପର ଘର । ଯଦି ରାଜଧାନୀ ଭୁବନେଶ୍ୱର କଥା କହିବା, ବରିଷ୍ଠ ନାଗରିକମାନଙ୍କ କହିବା କଥା, ୮୦ରୁ ୯୦ ଦଶକ ସମୟରେ ଭୁବନେଶ୍ୱରରେ ବହୁଳ ଭାବେ ଘର ଚଟିଆ ଦେଖିବାକୁ ମିଳୁଥିଲା । ଏଠାରେ କଂକ୍ରିଟ୍ ଓ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା ହେଉଛି । ଫଳରେ ଚଟିଆମାନେ ଆଉ ରହିବାକୁ ସ୍ଥାନ ପାଉନାହାନ୍ତି । ମାଟି ଉପରେ ପେଭର ବ୍ଲକ ବିଛାଇବାରୁ ମାଟିରୁ ଉତ୍ପନ୍ନ ଛୋଟଛୋଟ ପୋକ ଓ ଜିଆମାନେ ଲୋପ ପାଇଗଲେ । ଏହି ପୋକ ଓ ଜିଆ ଚଟିଆଙ୍କ ଖାଦ୍ୟ । ଖାଦ୍ୟ ନମିଳିବା ଓ ଥଣ୍ଡା ପରିବେଶର ଅଭାବରୁ ଘରଚଟିଆ ଜନମାନସରୁ ଦୂରେଇଯିବା ଅନ୍ୟ ଏକ କାରଣ । ସେହିପରି କାଟନାଶକର ପ୍ରୟୋଗ ହେବାରୁ କୀଟଙ୍କ ସଂଖ୍ୟା କମିଗଲା । ଘର ପାଖରେ ଥିବା ଡ୍ରେନରେ ଫିଙ୍ଗାଯାଉଥିବା ଘରର ଖାଦ୍ୟ ଓ ପୋକ ଖାଉଥିଲେ । ସେହି ଖାଦ୍ୟ ସଂଗ୍ରହ କରି ଶାବକଙ୍କୁ ଖୁଆଉଥିଲେ । ହେଲେ ଡ୍ରେନ ଉପରେ ଢାଙ୍କୁଣି ଘୋଡ଼ାଇ ଦିଆଯାଉଥିବାରୁ ଖାଦ୍ୟ ସଂଗ୍ରହରେ ଅସୁବିଧା ହେଉଛି ।
ପକ୍ଷୀ ବିଶେଷଜ୍ଞ ବିଭୁପ୍ରସାଦ ପଣ୍ଡା କହିଛନ୍ତି, ଘରଚଟିଆ ନିଜେ ଚାଳରେ ବସା କରେ । ହେଲେ କୋଠା ଘର ଥିବାରୁ ସେମାନେ ଆଉ ନାହାନ୍ତି । ଘରଚଟିଆ ଭୁବନେଶ୍ୱର ସହରରେ ନାହାନ୍ତି ସତ । ହେଲେ ଉପକଣ୍ଠ ଡମପଡା ଓ ଭରତପୁର ଗାଁରେ ଏହି ପକ୍ଷୀ ଅଛନ୍ତି । ସେହି ସ୍ଥାନରେ ଘରଚଟିଆଙ୍କ ସଂଖ୍ୟା ଭଲ ଅଛି । ଚାଳଘର ଓ ବିଭିନ୍ନ ଖାଦ୍ୟ ଶସ୍ୟ ମିଳୁଥିବାରୁ ଚଟିଆ ସେଠାରେ ବଞ୍ଚି ରହିଛନ୍ତି । କିଛିବର୍ଷ ପୂର୍ବେ କୋଏମ୍ବାଟୁରସ୍ଥିତ ସଲିମ ଅଲି ସେଣ୍ଟର ଫର୍ ଅର୍ଣ୍ଣିଥୋଲୋଜି ଆଣ୍ଡ ନାଚ୍ୟୁରାଲ ହିଷ୍ଟ୍ରି ପକ୍ଷରୁ ଘରଚଟିଆଙ୍କ ସ୍ଥିତି ଉପରେ ଗବେଷଣା କରାଯାଇଥିଲା । ଯେଉଁଥିରେ ଜଣାପଡିଥିଲା ଘରଚଟିଆ କିଛି କିଛି ସ୍ଥାନରେ ଅଛନ୍ତି ।
ଘରଚଟିଆ ଉପରେ ଗବେଷଣା କରିଥିବା ଡ. ଉମାକାନ୍ତ ବେହେରା କହିଛନ୍ତି, ଓଡିଶାରେ ପ୍ରଥମ ଥର ପାଇଁ ପାଇଁ ମୁଁ ଘରଚଟିଆ ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗବେଷଣା କରିଥିଲି । ମୁଁ ଗଞ୍ଜାମ ଜିଲ୍ଲାରେ ପୂର୍ବରୁ ଗୋଟେ ଗୋଟେ ପଲ(ଦଳ)ରେ ୪୦ରୁ ୫୦ଟି ଘରଚଟିଆ ଉଡୁଥିଲେ । ଚାଳ ଘରେ ଏମାନେ ରହି ଅଣ୍ଡା ଦେଉଥିଲେ । ହେଲେ ଚାଳ ଘର ନଥିବାରୁ ଅଣ୍ଡା ଦେବାରେ ସମସ୍ୟା ରହିଲା । ଅନ୍ୟ ଯେଉଁଠି ଅଣ୍ଡା ଦେଲେ ସେଠାରେ ଅଣ୍ଡା ନଷ୍ଟ ହେଲା ନହେଲେ ବିଲେଇ ଖାଇଦେଲା । ଯଦ୍ୱାରା ସେମାନଙ୍କ ସଂଖ୍ୟା କମିଯାଇଛି । ୧୯୯୯ ମହାବାତ୍ୟା ଓ ୨୦୨୩ ଫାଇଲିନ୍ ବାତ୍ୟା ପରେ ଉପକୂଳ ଅଞ୍ଚଳରେ ବହୁ ଚାଳ ଘର ଭାଙ୍ଗିଗଲା । ସେଠାରେ ଥିବା ଚଟିଆଙ୍କ ସଂଖ୍ୟା ହ୍ରାସ ପାଇଲା । ଲୋକଙ୍କ ସହ ସରକାର ମଧ୍ୟ ଏ ଦିଗରେ ସଚେତନ ହୁଅନ୍ତୁ । ଗାଁ ଗାଁରେ କୋଠାଘର ପାଖରେ ଛୋଟ ଚାଳଘର ରହୁ । ସରକାର ସଂରକ୍ଷଣ ଓ ଗବେଷଣା ପାଇଁ ଅଣ୍ଟା ଭିଡ଼ନ୍ତୁ ।
ଘରଚଟିଆର ସୁରକ୍ଷା ନିମନ୍ତେ ୨୦୧୧ ମସିହାରେ ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ୍, ଦକ୍ଷିଣପୁର ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମରେ କିଛି ଯୁବକଙ୍କୁ ନେଇ ଗଠିତ ହୋଇଥିଲା ଆଞ୍ଚଳିକ ବିକାଶ ପରିଷଦ ନାମକ ଏକ ଯୁବ ସ୍ୱେଚ୍ଛାସେବୀ ସଂଗଠନ । ବାଘଝରୀ ଓ ବିରିବାଡିଆ ଗ୍ରାମରେ କିଛି ଘରଚଟିଆ ଥିବା ଜଣାପଡିଥିଲା । ଏମାନଙ୍କ ସୁରକ୍ଷା ଅଭିଯାନ ପ୍ଲାଇ ବୋର୍ଡ, ମାଟି ହାଣ୍ଡି, ଶୁଖିଲା ନଡିଆ ଓ ଶୁଖିଲା ଲାଉ ତୁମ୍ୱାରେ ସେମାନଙ୍କ ପାଇଁ ଘର ତିଆରି କରାଗଲା । ଲୋକମାନଙ୍କ ଘର ଆଗରେ ଏହି ଘର ମାଗଣାରେ ସ୍ଥାପନ କରାଗଲା ଓ ଗାଁ ଲୋକେ ଏଥିରେ ସହଯୋଗ କଲେ। ଘର ଚଟିଆ ଏହି କୃତ୍ରିମ ବସାରେ ରହିଲେ ଓ କ୍ରମାଗତ ଭାବେ ସେମାନଙ୍କ ବଂଶ ବୃଦ୍ଧି ଘଟିଲା । ପର୍ଯ୍ୟାୟ କ୍ରମେ ଲାଞ୍ଜିଆ, ଗୁଣ୍ଠବନ୍ଧ, ଅନନ୍ତାଇ, ରଘୁନାଥ ପୁର ଓ ବ୍ରହ୍ମପୁର ମହାନଗରର ଧର୍ମନଗର, ଶାସ୍ତ୍ରୀ ନଗର, ଜି. ରଘୁନାଥ ପୁର ଠାରେ କାର୍ଯ୍ୟକ୍ରମ ଆରମ୍ଭ ହାଇ ଗଞ୍ଜାମ ଜିଲ୍ଲାର ବାଇଶି ଗୋଟି ବ୍ଲକର ବିଭିନ୍ନ ଗ୍ରାମରେ ସୁରକ୍ଷା କାର୍ଯ୍ୟକ୍ରମ ସଫଳତାର ସହିତ ବଂଶ ବୃଦ୍ଧି ହୋଇପାରିଛି । ଏବେ ଗଜପତି ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଘର ଚଟିଆ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।