ନୂଆଦିଲ୍ଲୀ ୧୮/୦୫: ସାଉଦି ଆରବରେ ଖୋଲିଛି ବିଶ୍ୱର ପ୍ରଥମ  ଏଆଇ ଡାକ୍ତର କ୍ଲିନିକ୍‌ । ଏଠାରେ ଆର୍ଟିଫିସିଆଲ  ଇଣ୍ଟେଲିଜେନ୍ସ ଡାକ୍ତରଙ୍କ ଦ୍ୱାରା ରୋଗୀଙ୍କର ରୋଗ  ଚିହ୍ନଟ ହେଉଛି ଏବଂ ସେମାନଙ୍କର ଚିକିତ୍ସା ମଧ୍ୟ  ହେଉଛି । ସାଉଦିର ଅଲ୍‌ମୂସା ହେଲ୍‌ଥ ଗ୍ରୁପ୍‌  ସହିତ ଚୀନ୍‌ ସ୍ଥିତ ମେଡିକାଲ ଟେକ୍ନୋଲୋଜି  କମ୍ପାନି ସିନି ଏଆଇର ସହଭାଗିତାରେ ଏହି  ପରୀକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅଲ୍‌- ଆହ୍‌ସାର ପୂର୍ବ ପ୍ରାନ୍ତରେ ଗତ ମାସ ଏହି  କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।  

ରୋଗ ଚିହ୍ନଟ ଓ ଚିକିତ୍ସା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଡାକ୍ତରଙ୍କ ହସ୍ତକ୍ଷେପ ବିନା ଏଆଇ  ଡାକ୍ତର ଦ୍ୱାରା ଚିକିତ୍ସା ଏହି କ୍ଲିନିକ୍‌ର ଉଦ୍ଦେଶ୍ୟ । ଏହା ସତ୍ତେ୍ୱ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏଥିରେ  ଅସଲ ଡାକ୍ତରଙ୍କୁ ସାମିଲ କରାଯାଇଛି ।  

ଶଂଘାଇ ସ୍ଥିତ କମ୍ପାନି ସିନି-ଏଆଇ କହିଛି,  ଏଆଇ କ୍ଲିନିକ୍‌ ଏକ ଅଭିନବ ଚିକିତ୍ସା ସେବା  ପ୍ରଣାଳୀ । ଏଠାରେ ଏଆଇ ଡାକ୍ତରମାନେ ସ୍ୱାଧୀନ  ଭାବେ ରୋଗ ଯାଞ୍ଚ୍‌ଠୁ ଆରମ୍ଭ କରି ଔଷଧ ଲେଖିବା  ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଚିକିତ୍ସା କାର୍ଯ୍ୟକ୍ରମର ପରିଚାଳନା  କରୁଛନ୍ତି । ସୁରକ୍ଷା ପାଇଁ ଏଆଇ ଡାକ୍ତରଙ୍କ ରୋଗ  ଚିହ୍ନଟ ଓ ଚିକିତ୍ସା ପରିଣାମର ସମୀକ୍ଷା ପାଇଁ ବାସ୍ତବ  ଡାକ୍ତର ସୁରକ୍ଷା ପ୍ରହରୀ ଭାବେ କାମ କରୁଛନ୍ତି ।  

ରୋଗୀ କ୍ଲିନିକ୍‌ରେ ପହଞ୍ଚିବା ପରେ, ଏକ  ଟାବ୍‌ଲେଟ୍‌ କମ୍ପ୍ୟୁଟର ବ୍ୟବହାର କରି ଡା. ହୁଆ  ନାମରେ ପରିଚିତ ଏଆଇ ଡାକ୍ତରଙ୍କୁ ସେମାନେ ନିଜର ରୋଗର ଲକ୍ଷଣ ବର୍ଣ୍ଣନା କରୁଛନ୍ତି । ଜଣେ  ଅସଲି ଡାକ୍ତରଙ୍କ ଭଳି ଏଆଇ ଡାକ୍ତର ରୋଗୀଙ୍କୁ  ଅଧିକ ପ୍ରଶ୍ନ ପଚାରନ୍ତି । ମାନବ ସହକର୍ମୀଙ୍କ  ସହାୟତାରେ ତଥ୍ୟ ଓ ଛବିଗୁଡ଼ିକର ବିଶେଷ୍ଳଣ  କରନ୍ତି । ତା’ପରେ ଡା. ହୁଆ ଚିକିତ୍ସା ପ୍ରସ୍ତାବ  ଦିଅନ୍ତି । ଶେଷରେ ଜଣେ ମାନବ ଡାକ୍ତର ଏହାର  ପୁଙ୍ଖାନୁପୁଙ୍ଖ ସମୀକ୍ଷା କରନ୍ତି । ଯେଉଁ ମାମଲା  ଏଆଇ ନିୟନ୍ତ୍ରଣରେ ନ ଥାଏ, ସେହି କ୍ଷେତ୍ରରେ  ମାନବ ଡାକ୍ତର ଉପସ୍ଥିତ ଥାନ୍ତି ।  

ଏଆଇ ଡାକ୍ତର ଏବେ ଶ୍ୱାସ ଓ ଫାରିନ୍‌ଗିଟିସ୍‌  ଭଳି ୩୦ ରୋଗ ପାଇଁ ଚିକିତ୍ସା ପ୍ରସ୍ତାବ ଦେଉଛନ୍ତି ।  ୫୦ ପ୍ରକାର ଶ୍ୱାସ ରୋଗ, ଗ୍ୟାଷ୍ଟ୍ରିକ୍‌ ଓ ତ୍ୱଚା ରୋଗର  ଚିକିତ୍ସା ପାଇଁ ଏଆଇ ଡାକ୍ତରଙ୍କୁ ସକ୍ଷମ କରିବାକୁ  ସିନି ଏଆଇ ଲକ୍ଷ୍ୟ ରଖିଛି । ଏହି ପାଇଲଟ୍‌  ପ୍ରୋଗ୍ରାମ୍‌ର ତଥ୍ୟ ସାଉଦି କର୍ତ୍ତୃପକ୍ଷଙ୍କୁ ପ୍ରଦାନ  କରାଯିବା ସହିତ ୧୮ ମାସ ମଧ୍ୟରେ ଏହାକୁ ମଞ୍ଜୁରି  ମିଳିବ ବୋଲି କମ୍ପାନି ଆଶା କରିଛି । ପାଇଲଟ୍‌  ପ୍ରୋଗ୍ରାମ୍‌ ପୂର୍ବରୁ ପରୀକ୍ଷଣ ପର୍ଯ୍ୟାୟରେ ଏହି  ଟେକ୍ନୋଲୋଜିର ତ୍ରୁଟି ହାର ୦.୩ ପ୍ରତିଶତ ଥିଲା  ବୋଲି ସିନି ଏଆଇ କହିଛି ।  

କମ୍ପାନିର ସିଇଓ ଝାଙ୍ଗ୍‌ ଶାଓଦିଆନ୍‌ କହିଛନ୍ତି,  ଏଆଇ ପୂର୍ବରୁ ଡାକ୍ତରଙ୍କୁ ସାହାଯ୍ୟ କରୁଥିଲା ।  ଏବେ କିନ୍ତୁ ଆମେ ଏହି ଯାତ୍ରାର ଚୂଡ଼ାନ୍ତ ସୋପାନରେ ପହଞ୍ଚିଛୁ, ଯେଉଁଠି ଏଆଇ ସିଧାସଳଖ  ରୋଗ ଚିହ୍ନଟ କରିବ ଓ ରୋଗୀଙ୍କ ଚିକିତ୍ସା କରିବ ।