ନୂଆଦିଲ୍ଲୀ ୨୦/୦୪: ଟେକ୍ନୋଲୋଜି ଦୌଡ଼ରେ ଚୀନ୍‌ କେତେ ଆଗରେ, ତା’ର ଏକ ଚମତ୍କାର ଦୃଶ୍ୟ ବେଜିଂରେ ଦେଖିବାକୁ ମିଳିଛି । ଶନିବାର ବେଜିଂ ବିଶ୍ୱର ପ୍ରଥମ ମାନବ ରୋବୋ ମାରାଥନ୍‌ ଆୟୋଜନ କରିଥିଲା । ଏଥିରେ ମଣିଷଙ୍କ ସହ ୨୧ କିମି ଦୌଡ଼ିଥିଲେ ରୋବୋ । ବେଜିଂର ଇକୋନୋମିକ୍‌ଟେକ୍ନୋଲୋଜିକାଲ ଜୋନ୍‌ରେ ଏହି ଐତିହାସିକ ରେସ୍‌ ହୋଇଥିଲା । ଏଥିରେ ରୋବୋ ଗଡ଼ାଣି ଓ ମୋଡ଼ ମାର୍ଗରେ ଦୌଡ଼ି ଏଆଇ ଓ ଇଞ୍ଜିନିୟରିଂର ଅସଲ ଶକ୍ତି ଦେଖାଇଲେ । 

ଚୀନ୍‌ରେ ପୂର୍ବରୁ କିଛି ମାରାଥନ୍‌ରେ ମଧ୍ୟ ରୋବୋଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ପ୍ରଥମ ଥର ଔପଚାରିକ ରୂପେ ମଣିଷ ସହ ଏମାନଙ୍କୁ ଦୌଡ଼ିବାର ଅନୁମତି ମିଳିଲା । ଟେକ୍‌ ହ୍ୟାଣ୍ଡଲର୍‌ (ରୋବୋଙ୍କ ସହ ଚାଲୁଥିବା ବ୍ୟକ୍ତି)ଙ୍କ ସହ ରୋବୋ ଦୌଡୁଥିବା ନଜର ଆସିଥିଲେ । ଏହି ଆୟୋଜନରେ କେବଳ ବେଗ ନୁହେଁ, ବେଷ୍ଟ୍‌ ଏନ୍‌ଡ୍ୟୁରାନ୍ସ, ବେଷ୍ଟ୍‌ ଗେଟ୍‌ ଡିଜାଇନ୍‌ ଓ ମୋଷ୍ଟ୍‌ ଇନୋଭେଟିଭ୍‌ ଫର୍ମ ଭଳି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । କିଛି ରୋବୋ ବୈଷୟିକ ତ୍ରୁଟି ଓ ଆରମ୍ଭରୁ ପଡ଼ିଯିବା ଭଳି ଚାଲେଞ୍ଜ୍‌ର ସମ୍ମୁଖୀନ ହେଉଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । 

ପ୍ରତିଯୋଗିତାରେ ତିୟାଙ୍ଗୋଙ୍ଗ୍‌ ଅଲ୍‌ଟ୍ରା ନାମକ ରୋବୋ ୨ ଘଣ୍ଟା ୪୦ ମିନିଟ୍‌ରେ ଜିତିଲା । ଅନ୍ୟପକ୍ଷେ, ମାନବ ଦୌଡ଼ରେ ଇଥିଓପିୟାର ଏଲିଆସ ଡେଷ୍ଟା ମାତ୍ର ୧ ଘଣ୍ଟା ୨ ମିନିଟ୍‌ରେ ଦୌଡ଼ ଶେଷ କରିଥିଲେ । ବିଶେଷଜ୍ଞମାନେ ଏହି ରେସ୍‌କୁ କୋର୍‌ ଆଲ୍‌ଗୋରିଦମ୍‌, ବ୍ୟାଟେରୀ ଲାଇଫ୍‌ ଓ ସ୍ଥାୟିତ୍ୱର ପରୀକ୍ଷା ବୋଲି କହିଲେ । ଚୀନ୍‌ ଅନୁସାରେ, ଏହା ଫିନିଶ୍‌ ଲାଇନ୍‌ ନୁହେଁ, ବରଂ ଇଣ୍ଡଷ୍ଟ୍ରି ବୃଦ୍ଧିର ଆରମ୍ଭ ବିନ୍ଦୁ । ସ୍ଥାନୀୟ ଖବରସଂସ୍ଥା ଅନୁସାରେ, ଚୀନ୍‌ର ମାନବ ରୋବୋ ବଜାର ୨୦୩୦ ମସିହା ସୁଦ୍ଧା ୮.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିପାରେ । ଚୀନ୍‌ରେ ଏହି ରୋବୋ ରେସ୍‌ କୌଣସି ସାଧାରଣ କାର୍ଯ୍ୟକ୍ରମ ନୁହେଁ, ବରଂ ରୋବୋଟିକ୍ସ ଓ ଏଆଇରେ ବିଶ୍ୱ ଗୁରୁ ହେବାକୁ ଚାହୁଁଥିବା ଦେଶର ବଡ଼ ମିଶନର ଏକ ଅଂଶ । ହାଇ-ଟେକ୍‌ ମିଶନ୍‌ଗୁଡ଼ିକୁ ଲୋକଙ୍କ ସାମ୍ନାକୁ ଆଣି ଚୀନ୍‌ ଟେକ୍ନୋଲୋଜିର ଭବିଷ୍ୟତକୁ ନେଇ ଉତ୍ସାହ ଓ ଚର୍ଚ୍ଚା ସୃଷ୍ଟି କରିବାକୁ ଚାହୁଁଛି । ତେବେ ସବୁ ବିଶେଷଜ୍ଞ ଏଥିରେ ପୂର୍ଣ୍ଣ ସହମତ ନୁହନ୍ତି ।