ନୂଆଦିଲ୍ଲୀ ୨୮/୧୧: ଗୋଆରେ ଉନ୍ମୋଚିତ ହେବ ବିଶ୍ୱର ସର୍ବବୃହତ ଶ୍ରୀରାମ ମୂର୍ତ୍ତି । ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ମୋଦି ସାଉଥ୍ ଗୋଆ ଜିଲ୍ଲାରେ ଶ୍ରୀ ସଂସ୍ଥାନ ଗୋକର୍ନ ଜୀବୋତ୍ତମ ମଠରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ୭୭ ଫୁଟ ଉଚ୍ଚ କାଂସ୍ୟ ମୂର୍ତ୍ତି ଉନ୍ମୋଚନ କରିବେ । ମଠର ଜଣେ ପ୍ରତିନିଧି ଏ ବିଷୟରେ ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ୩.୪୫ରେ ମୋଦି ଏଠାରେ ପହଞ୍ଚିବେ । ଏଥିଲାଗି ମଠ ପରିସରରେ ଏକ ସ୍ୱତନ୍ତ୍ର ହେଲିପ୍ୟାଡ୍ ନିର୍ମାଣ କରାଯାଇଛି ।
ଗୁଜରାଟରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ମୂର୍ତ୍ତିକାର ରାମ ସୂତାର ଶ୍ରୀରାମଙ୍କର ଏହି ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି । ଏହା ପ୍ରଭୁ ଶ୍ରୀରାମଙ୍କର ବିଶ୍ୱର ସର୍ବବୃହତ ମୂର୍ତ୍ତି ବୋଲି ଗୋଆ ପୂର୍ତ୍ତ ବିଭାଗ ମନ୍ତ୍ରୀ ଦିଗମ୍ବର କାମତ କହିଛନ୍ତି । ଜନସାଧାରଣଙ୍କୁ ସମ୍ବୋଧନ ପୂର୍ବରୁ ମୋଦି ମଠରେ ନିର୍ମିତ ରାମ ମନ୍ଦିର ପରିଦର୍ଶନ କରିବେ । ଗୋଆ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ କ୍ୟାବିନେଟର ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ମଠ ପରମ୍ପରାର ୫୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଗତ ୨୭ ତାରିଖରୁ ଆସନ୍ତା ଡିସେମ୍ବର ୭ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ୩୭୦ ବର୍ଷ ତଳେ କାନାକୋନାର ପାର୍ଟାଗଲ ଗାଁରେ ଏହି ମଠ ନିର୍ମିତ ହୋଇଥିଲା ।