ନୂଆଦିଲ୍ଲୀ,୨୦/୦୧: ବିଶ୍ୱରେ ଧନୀ ଏବଂ ଦରିଦ୍ର୍ୟଙ୍କ ମଧ୍ୟରେ ପ୍ରଭେଦ ଭୟଙ୍କର ସ୍ତରରେ ପହଞ୍ଚିଛି । ଅକ୍ସଫାମ୍ର ଏକ ନୂଆ ରିପୋର୍ଟରେ ଅସମାନତାର ଏକ ବିକୃତ ଚିତ୍ର ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ, ୨୦୨୪ରେ ବିଶ୍ୱର ଅରବପତିଙ୍କ ମୋଟ ସମ୍ପତ୍ତି ରେକର୍ଡ ସ୍ତରରେ ପହଞ୍ଚିଯାଇଛି । ସ୍ଥିତି ଏଭଳି ଯେ, ଶୀର୍ଷ ୧୨ ଅରବପତିଙ୍କ ପାଖରେ ବିଶ୍ୱର ସବୁଠୁ ଗରିବ ୫୦% ଲୋକଙ୍କଠୁ ଅଧିକ ସମ୍ପତ୍ତି ରହିଛି । ଡାଭୋସ୍ଠାରେ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ମଞ୍ଚ(ଡବ୍ଲ୍ୟୁଇଏଫ୍) ବୈଠକ ପୂର୍ବରୁ ଜାରି ହୋଇଥିବା ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଏଥିସହିତ ବିଶ୍ୱରେ ବଢ଼ି ଚାଲିଥିବା ଆର୍ଥିକ ଅସମାନତା ଉପରେ ଏବେ ନୂଆ ତର୍କ ଆରମ୍ଭ ହେବାକୁ ଯାଉଛି ।

ଅକ୍ସଫାମ୍ ଅନୁସାରେ, ୨୦୨୫ରେ ବିଶ୍ୱରେ ଅରବପତିଙ୍କ ମୋଟ ସମ୍ପତ୍ତି ୧୬.୨% ବଢ଼ି ୧୮.୩ ଟ୍ରିଲିୟନ ଡଲାର ହୋଇଯାଇଛି । ଏହାର ଏକ ବଡ଼ କାରଣ ହେଉଛି, ଆମେରିକା ସମେତ ଅନେକ ଦେଶରେ ଏଭଳି ନୀତି ଅଣାଯାଉଛି, ଯାହାଦ୍ୱାରା ବଡ଼ ବଡ଼ ଅରବପତି ଏବଂ ନିବେଶକଙ୍କୁ ଫାଇଦା ମିଳୁଛି । ରିପୋର୍ଟ ଅନୁସାରେ, କୋହଳ ନିୟମ ଏବଂ କମ୍ପାନି ଟିକସ ସହ ଜଡ଼ିତ ବୁଝାମଣାକୁ ଦୁର୍ବଳ କରିବାର ପ୍ରୟାସର ସିଧା ଲାଭ ଧନୀଙ୍କୁ ମିଳୁଛି । ରିପୋର୍ଟରେ ପ୍ରଥମ ଥର କୁହାଯାଇଛି ଯେ, ବିଶ୍ୱରେ ଅରବପତିଙ୍କ ସଂଖ୍ୟା ୩,୦୦୦ ପାର୍ କରିଯାଇଛି । ଏଥିରେ ସବୁଠାରୁ ଉପରେ ରହିଛନ୍ତି ଟେସ୍ଲା ଏବଂ ସ୍ପେସ୍ଏକ୍ସର ମୁଖ୍ୟ ଏଲନ୍ ମସ୍କ । ଅକ୍ସଫାମ୍ ଦାବି କରିଛି ଯେ, ଶ୍ରେଷ୍ଠ ୧୨ ଅରବପତିଙ୍କ ପାଖରେ ଥିବା ସମ୍ପତ୍ତି ବିଶ୍ୱର ସବୁଠାରୁ ଗରିବ ୫୦% ଅର୍ଥାତ୍ ୪୦୦ କୋଟି ଲୋକଙ୍କ ମୋଟ ସମ୍ପତ୍ତିଠାରୁ ଅଧିକ । ଏହି ରିପୋର୍ଟ ବିଶ୍ୱ ଆର୍ଥିକ ଅସନ୍ତୁଳନର ଗମ୍ଭୀର ଛବି ଉପସ୍ଥାପନ କରୁଛି ।

ଅକ୍ସଫାମ୍ ଚେତାବନୀ ଦେଇଛି ଯେ, ଅରବପତିଙ୍କ ସମ୍ପତ୍ତିରେ ଏହି ବୃଦ୍ଧି ଏବେ କେବଳ ଆର୍ଥିକ ପ୍ରସଙ୍ଗ ହୋଇ ରହିନାହିଁ । ଧନୀମାନେ ରାଜନୈତିକ ସ୍ତରରେ ଅଧିକ କ୍ଷମତାଶାଳୀ ହେଉଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ଅଧିକାଂଶ ଅରବପତି ଗଣମାଧ୍ୟମ ଏବଂ ଜନମତକୁ ପ୍ରଭାବିତ କରିବାରେ ବଡ଼ ଭୂମିକା ଗ୍ରହଣ କରୁଛନ୍ତି । ଉଦାହରଣସ୍ୱରୂପ, ଏଲନ୍ ମସ୍କଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ର ଅଧିଗ୍ରହଣ ଏବଂ ଜେଫ୍ ବେଜୋସ୍‌ଙ୍କ  ଦ୍ୱାରା ଏକ ପ୍ରମୁଖ ଖବରକାଗଜର ଅଧିଗ୍ରହଣ । ଟଙ୍କା ବଳରେ ଅରବପତିମାନେ ଗଣମାଧ୍ୟମ ଏବଂ ଜନମତକୁ ପ୍ରଭାବିତ କରୁଛନ୍ତି । ଅକ୍ସଫାମ୍ର କହିବାନୁସାରେ, ଏହାଦ୍ୱାରା ଲୋକତାନ୍ତ୍ରିକ ପ୍ରକ୍ରିୟା ପ୍ରତି ବିପଦ ବଢୁଛି । ଅକ୍ସଫାମ୍ ଇଣ୍ଟର୍ନ୍ୟାସ୍ନାଲର ପ୍ରମୁଖ ଅମିତାଭ ବେହର କୁହନ୍ତି, ଧନୀ ଏବଂ ଅବଶିଷ୍ଟ ସମାଜ ମଧ୍ୟମରେ ବଢ଼ୁଥିବା ପ୍ରଭେଦ ଏକ ଭୟଙ୍କର ରାଜନୈତିକ ଅଭାବ ସୃଷ୍ଟି କରୁଛି । ରିପୋର୍ଟରେ ଆମେରିକା ଦ୍ୱାରା ବିଶ୍ୱର ସର୍ବନିମ୍ନ କମ୍ପାନି ଟିକସଠାରୁ ଜଡ଼ିତ ବ୍ୟବସ୍ଥାରୁ ନିଜକୁ ଦୂରେଇ ରଖାଯିବା ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଅକ୍ସଫାମ୍ର କହିବାନୁସାରେ, ଏହାଦ୍ୱାରା ସ୍ପଷ୍ଟ ହେଉଛି ଯେ, ଅନେକ ସରକାର ବର୍ଦ୍ଧିତ ଅସମାନତାର ନିୟନ୍ତ୍ରଣରେ ବିଫଳ ହେଉଛନ୍ତି ।

ଅକ୍ସଫାର୍ମ ଏହାର ରିପୋର୍ଟରେ ସମସ୍ତ ଶ୍ରେଷ୍ଠ-୧୨ ଅରବପତିଙ୍କ ସୂଚୀ ଦେବା ପରିବର୍ତ୍ତେ ବ୍ୟବସ୍ଥା ଉପରେ ଧ୍ୟାନକେନ୍ଦ୍ରିତ କରିଛି । ସଂଗଠନର କହିବାନୁସାରେ, ଅସଲି ସମସ୍ୟା ହେଉଛି ଉକ୍ତ ସିଷ୍ଟମ, ଯାହା ଅତି ଧନୀଙ୍କୁ ନୀତି ଏବଂ ନିୟମକୁ ନିଜ ଆଡ଼କୁ ମୋଡ଼ିବାର କ୍ଷମତା ଦେଉଛି । ରିପୋର୍ଟରେ କୁହାଯାଇଛି ଯେ, ଯଦି ଏ ଧାରା ଜାରି ରୁହେ ତେବେ ଲୋକତାନ୍ତ୍ରିକ ସ୍ୱତନ୍ତ୍ରତା ଏବଂ ସାଧାରଣ ଲୋକଙ୍କ ଅଧିକାରୀ ଉପରେ ଗଭୀର ପ୍ରଭାବ ପଡ଼ିପାରେ । ଅତିଧନୀଙ୍କ ଉପରେ ମୋଟା ଟିକସ ଲଦି ସମସ୍ୟାର କିଛି ମାତ୍ରାରେ ସମାଧାନ ହୋଇପାରେ ବୋଲି ଏହା ପରାମର୍ଶ ଦେଇଛି ।