ମୁମ୍ବାଇ, ୨୦/୦୧: ଚଳିତ ଡବ୍ଲ୍ୟୁପିଏଲ୍‌ରେ ଆଜି ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏ ମାତ୍ର ବିଜୟ ସହ ପଏଣ୍ଟ ତାଲିକାର ଅନ୍ତିମ ସ୍ଥାନରେ ରହିଛି । ତେଣୁ ଦଳ ପାଇଁ ଏଣିକି ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ସ୍ଥାନ ଦଖଲ କରିଥିଲେ ହେଁ ବିଜୟ ପାଇଁ ସଂଘର୍ଷ କରୁଛି । ଚାମ୍ପିଅନ୍ ଦଳ ଭଳି ପ୍ରଦର୍ଶନ କରିବାରେ ମୁମ୍ବାଇ ଇଣ୍ଡିଆନ୍ସ ବିଫଳ ହେଉଛି । ଦଳ ୫ଟି ମ୍ୟାଚ୍ ଖେଳି ସାରିଛି । ଏଥିରୁ ଦଳ ୨ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚ୍‌ରେ ପରାଜିତ ହୋଇଛି । ତେଣୁ ଆଜି ଚାମ୍ପିଅନ ଦଳ ପୁନର୍ବାର ବିଜୟ ଧାରାକୁ ଫେରିବା ପାଇଁ ବ୍ୟଗ୍ର ।

ମୁମ୍ବାଇ ଇଣ୍ଡିଆନ୍ସକୁ ଓପନିଂ ବିଭାଗକୁ ମଜଭୁତ କରିବାକୁ ପଡ଼ିବ । ମାତ୍ର ଦିଲ୍ଲୀ କ୍ୟାପିଟାଲ୍ସକୁ ସବୁ ବିଭାଗରେ ଉନ୍ନତି ଆଣିବାକୁ ହେବ । ଭଦୋଦରା ପିଚ୍ ବ୍ୟାଟିଂ ପାଇଁ ବେଶ୍ ଉନ୍ନତ ରହିଛି । ତେଣୁ ମଙ୍ଗଳାବର ବିଶାଳ ସ୍କୋର ହେବା ନିଶ୍ଚିତ । ଟସ୍ ସେଭଳି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ 

ଦିଲ୍ଲୀ କ୍ୟାପିଟାଲ୍ସ: ଶେଫାଳି ବର୍ମା, ଲିଜେଲି ଲି, ଲୌରା ଉଲଭାର୍ଟ, ଜେମିମା ରୋଡ୍ରିଗ୍ସ (ଅଧିନାୟିକା), ମରିଜାନ କାପ, ନିକି ପ୍ରସାଦ, ସ୍ନେହ ରାଣା, ମିନୁ ମାନି, ଶ୍ରୀ ଚରଣୀ, ନନ୍ଦନୀ ଶର୍ମା, ଲୁସି ହାମିଲଟନ ।

ମୁମ୍ବାଇ ଇଣ୍ଡିଆନ୍ସ: ଜି କାମାଳିନୀ, ହେଲି ମାଥ୍ୟୁସ, ନାତାଲି ସ୍କିଭର-ବ୍ରଣ୍ଟ, ହର୍ମନପ୍ରୀତ କୌର (ଅଧିନାୟିକା), ଆମେଲିଆ କେର, ଅମନଜୋତ କୌର, ନିକୋଲା କ୍ୟାରୀ, ଏସ ସଜନା, ସଂସ୍କୃତି ଗୁପ୍ତା, କ୍ରାନ୍ତି ରେଡ୍ଡୀ, ତ୍ରିବେଣୀ ବଶିଷ୍ଠା ।