ନୂଆଦିଲ୍ଲୀ,୦୨/୦୨; ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ର ଅନ୍ତିମ ଗ୍ରୁପ୍ ମ୍ୟାଚ୍‌ରେ ୟୁପି ୱାରିୟର୍ସକୁ ୫ ୱିକେଟ୍‌ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଏଲିମିନେଟର ମ୍ୟାଚ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ଫଳରେ ୟୁପି ୱାରିୟର୍ସ ଓ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆର ଅଭିଯାନ ଶେଷ ହୋଇଛି । ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପହଞ୍ଚି ସାରିଛି । ଏବେ ଦିଲ୍ଲୀ ଏବଂ ଗୁଜରାଟ ପ୍ଲେଅଫ ମ୍ୟାଚ ହେବ । ଯିଏ ଜିତିବ ସେ ଆରସିବି ସହ ଫାଇନାଲ ମ୍ୟାଚ ଖେଳିବ 

ରବିବାର ଖେଳାଯାଇଥିବା ମ୍ୟଚରେ ୟୁପି ୱାରିୟର୍ସ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ହରାଇ ୧୨୨ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ବଲ୍ ବାକି ଥାଇ ୫ ୱିକେଟ୍ ବିନିମୟରେ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଲିଜେଲି ଲି ୧୦, ଶେଫାଳି ବର୍ମା ୨୯, ଲୌରା ଉଲଭାର୍ଟ ୪୭, ଜେମିମା ରୋଡ୍ରିଗ୍ସ ଅପରାଜିତ ୩୪ରନ୍ କରିଥିଲେ । ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଫଳପ୍ରଦ ରହିଥିଲା । ପେସ୍ ବୋଲର ଚିନେଲୀ ହେନରୀ ପ୍ରଥମ ଓଭରର ପ୍ରଥମ ବଲ୍ରେ ୟୁପି ୱାରିୟର୍ସ ଅଧିନାୟିକା ମେଗ୍ ଲ୍ୟାନିଂଙ୍କୁ ଏଲ୍‌ବିଡବ୍ଲ୍ୟୁ ହୋଇ ଆଉଟ୍ କରି ଉନ୍ମାଦନା ଖେଳାଇ ଦେଇଥିଲେ । ଅନ୍ୟ ଓପନର ଦୀପ୍ତି ଶର୍ମା ଚିରାଚରିତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବାବେଳେ ଅନ୍ୟ ପଟରେ ଚାର୍ଲି ନଟ୍ ୧୨ରନ୍ କରି ଆଉଟ୍ ହୋଇଥିଲେ ।

ଏହା ବି ପଢନ୍ତୁ...ବଜେଟ ୨୦୨୬ : ଜାଣନ୍ତୁ ଖେଳ ସାମଗ୍ରୀ ଶସ୍ତା ନା ମହଙ୍ଗା ହେଲା ?​​​​​​​

ଦୀପ୍ତି ୪ଚୌକା, ୧ଛକା ବଳରେ ୨୪ ରନ୍ କରି ପାଭିଲିୟନ ଫେରିବା ପରେ ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ହର୍ଲିନ ଦେଓଲ (୩), ଡିଣ୍ଡ୍ରା ଡଟିନ (୫), ସିପ୍ରା ଗିରି (୯) ପଛକୁ ପଛ ଡ୍ରେସିଂ ରୁମ୍କୁ ଲେଉଟିଥିଲେ । ମଧ୍ୟ ଭାଗରେ ସିମ୍ରନ ଶୈଖ ୨୨, ଆଶା ଶୋଭାନା ୧୩, ଶିଖା ପାଣ୍ଡେ ଅପରାଜିତ ୨୩ ଓ ସୋଫି ଏକ୍ଲେଷ୍ଟୋନ ଅପରାଜିତ ୧୦ରନ୍ ଯୋଗ କରିବା ଫଳରେ ଦଳୀୟ ସ୍କୋର ୮/୧୨୨ରେ ପହଞ୍ଚିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାରିଜନେ କାପ୍ ୩ଟି, ଶ୍ରୀ ଚରଣୀ ଓ ହେନରୀ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।