ନୂଆଦିଲ୍ଲୀ,୩୧/୦୧: ଚଳିତ ଡବ୍ଲ୍ୟୁପିଏଲ୍ରେ ଗୁଜରାଟ ଜାଏଣ୍ଟ୍ସ ଏକ ରୋମାଞ୍ଚକର ବିଜୟ ସହ ପ୍ଲେ-ଅଫ୍ରେ ପ୍ରବେଶ କରିଛି । ଶୁକ୍ରବାର ଅନୁଷ୍ଠିତ ୧୯ତମ ଲିଗ୍ ମୁକାବିଲାରେ ଦଳ ୧୧ ରନ୍ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଜାଏଣ୍ଟ୍ସ ୪ ୱିକେଟ୍ ବିନିମୟରେ ୧୬୭ ରନ ସଂଗ୍ରହ କରିଥିଲା । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ହରାଇ ୧୫୬ ରନ କରିବାକୁ ସକ୍ଷମ ହୋଇଥିଲା । ବିଗତ ୪ ସିଜନର ସଂଘର୍ଷ ପରେ କେବେ ବି ମୁମ୍ବାଇଠାରୁ ଜିତିନଥିବା ଗୁଜରାଟ ଶେଷରେ ନବମ ମୁକାବିଲାରେ ପ୍ରଥମ ବିଜୟ ହାସଲ କରିଛି ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଜାଏଣ୍ଟ୍ସ ୨୧ ରନ୍ରେ ଓପନ ବେଥ ମୁନିଙ୍କ ୱିକେଟ୍ ହରାଇଥିଲା । ଅନ୍ୟ ଓପନର ଶୋଫି ଡିଭାଇନଙ୍କ ସହ ଅନୁଷ୍କା ଶର୍ମା କ୍ରିଜରେ ଯୋଗଦେଇ ଦଳୀୟ ସ୍କୋରକୁ ୬୯ରେ ପହଞ୍ଚାଇବା ପରେ ଦ୍ୱିତୀୟ ୱିକେଟ୍ର ପତନ ଘଟିଥିଲା । ବ୍ୟକ୍ତିଗତ ୩୩ (୪ଚୌକା, ୧ଛକା) ରନ କରି ଅନୁଷ୍କା ଆଉଟ୍ ହୋଇଥିଲେ । ପରେ ପରେ ଶୋଫି ୨୫ ରନ କରି ବିଦାୟ ନେଇଥିଲେ । ଏହାପରେ ଆସଲି ଗାର୍ଡନର ଓ ଜର୍ଜିୟା ୱାରେହାମ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ଶୃଙ୍ଖଳିତ ବୋଲିଂ କରି ରନ ଗତିରେ ଅଙ୍କୁଶ ଲଗାଇଥିଲେ । ଦ୍ରୁତ ରନ ସଂଗ୍ରହ କଷ୍ଟକର ହୋଇଥିଲା । ଉଭୟ ୭୧ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୪୨ ବେଳେ ଯୋଡ଼ି ଭାଙ୍ଗିଥିଲେ ଆମେଲିଆ କେର । ଗାର୍ଡନର ୨୮ଟି ବଲ୍ରୁ ୭ ଚୌକା ଓ ୧ଛକା ବଳରେ ୪୬ ରନ କରିଥିଲେ । ୱାରେହାମ ଅପରାଜିତ ରହି ଦଳୀୟ ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ । ସେ ୨୬ଟି ବଲ୍ରୁ ୪ ଚୌକା ଓ ଛକା ବଳରେ ୪୪ ରନ କରିଥିଲେ ।
A 𝙜𝙞𝙖𝙣𝙩 jump into the playoffs! 🧡
— Women's Premier League (WPL) (@wplt20) January 30, 2026
Ashleigh Gardner-led @Giant_Cricket are heading to the #Eliminator 👏
Updates ▶️ https://t.co/0ABkT4KS2M #TATAWPL | #ClaimTheCrown | #GGvMI pic.twitter.com/fzoWFiDznG
ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୩୭ ରନ୍ରେ ୩ଟି ୱିକେଟ୍ ହରାଇ ସଂକଟରେ ପଡ଼ି ଯାଇଥିଲା । ହେଲି ମାଥ୍ୟୁସ ୬, ନାତାଲି ସ୍କିଭର-ବ୍ରଣ୍ଟ ୨ ଓ ଏସ ସଜନା ୩୬ ରନ କରିଥିଲେ । ଏହାପରେ ହର୍ମନପ୍ରୀତ କୌର ଲଢୁଆ ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । ମାତ୍ର ଅନ୍ୟ ପଟରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା । ହର୍ମନପ୍ରୀତ ଅନ୍ତିମ ଭାଗରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଁ ଦଳକୁ ଜିତାଇ ପାରି ନଥିଲେ । ଦଳ ବିଜୟ ଲକ୍ଷ୍ୟ ଠାରୁ ୧୨ ରନ ପଛରେ ରହି ଯାଇଥିଲା । ହର୍ମନପ୍ରୀତ ୪୮ଟି ବଲ୍ରୁ ୮ ଚୌକା ଓ ୪ଛକା ବଳରେ ୮୨ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମେଲିଆ ୨୦ ଓ ଅମନଜୋତ ୧୩ ରନ କରିଥିଲେ । ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ଶୋଫି ଡିଭାଇନ ଓ ଜର୍ଜିୟା ୱାରେହାମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।