ନୂଆଦିଲ୍ଲୀ,୧୨/୦୧: ବିଜୟ ନିକଟ ଥିଲା । ଦଳ ଭଲ ଖେଳିଥିଲା ବିଜୟ ଖାତା ଖୋଲିବାକୁ ମାତ୍ର କିଛି ରନ୍ ବାକି ଥିଲା । ହେଲେ ଗଡ୍ ପ୍ଲାନ୍ କିଛି ଅଲଗା ଥିଲା । ଚଳିତ ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଗୁଜରାଟ ଜାଏ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ରବିବାର ଅନୁଷ୍ଠିତ ଚତୁର୍ଥ ଲିଗ୍ ମ୍ୟାଚ୍ରେ ଦଳ ୪ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା । ସୋଫି ଡିଭାଇନ୍ଙ୍କ (୯୫ରନ୍, ୨ୱିକେଟ୍) ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦଳ ରୋମାଞ୍ଚକର ବିଜୟ ହାସଲ କରିଥିଲା ।
ଏହି ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟ୍ସ ପ୍ରଥମେ ବ୍ୟାଟିଂ କରି ୨୦୯ରନ୍ରେ ଅଲଆଉଟ୍ ହୋଇଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ନନ୍ଦନୀ ଶର୍ମା ହ୍ୟାଟ୍ରିକ୍ ସହ ମୋଟ ୫ଟି ୱିକେଟ୍ ନେଇଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ ୨୦୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ୨୧୦ରନ୍ ବିଜୟ ଲକ୍ଷ୍ୟର ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭର ଶେଷ ସୁଦ୍ଧା ୩ ୱିକେଟ୍ ହରାଇ ୨୦୩ ରନ୍ ସଂଗ୍ରହ କରି ସାରିଥିଲା । ଅନ୍ତିମ ଓଭରରେ ଦଳକୁ ବିଜୟ ପାଇଁ ଆଉ ୭ରନ୍ ଆବଶ୍ୟକ ହେଉଥିଲା । ଲୌରା ଉଲଭାର୍ଟ ୭୬ ଓ ଜେମିମା ରୋଡ୍ରିଗ୍ସ ୧୫ରନ୍ କରି ଅପରାଜିତ ଥାନ୍ତି । ୨୦ତମ ଓଭର ବୋଲିଂ କରିଥିଲେ ଡିଭାଇନ୍ । ପ୍ରଥମ ବଲ୍ରେ ଉଲଭାର୍ଟ ୧ରନ୍ ସଂଗ୍ରହ କରିଥିଲେ । ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଥିଲେ ରୋଡ୍ରିଗ୍ସ । ମାରିଜନେ କାପ୍ ତୃତୀୟ ବଲ୍ ସାମ୍ନା କରିଥିଲେ ଏବଂ କୌଣସି ରନ୍ ହୋଇନଥିଲା । ଚତୁର୍ଥ ବଲ୍ରେ ସେ ନେଇଥିଲେ । ଶେଷ ୨ଟି ବଲ୍ରେ ବିଜୟ ପାଇଁ ଆଉ ୫ରନ୍ ଆବଶ୍ୟକ ହେଉଥିଲା । ପଞ୍ଚମ ବଲ୍ରେ ଉଲଭାର୍ଟଙ୍କୁ ଆଉଟ କରି ବିଜୟ ଛଡ଼ାଇ ଆଣିଥିଲେ ଡିଭାଇନ୍ ।
Lead with the bat and ball 🫡
— Women's Premier League (WPL) (@wplt20) January 11, 2026
Sophie Devine is the Player of the Match for her stellar batting show and calmness with the ball in the final over 🏆
Relive her knock ▶️ https://t.co/Vmz9JJHoU8 #TATAWPL | #KhelEmotionKa | #DCvGG pic.twitter.com/IE6qJoHyx5
ଅନ୍ତିମ ବଲ୍ରେ ସ୍ନେହ ରାଣା ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ଏହାପରେ ଗୁଜରାଟ ଜାଏଣ୍ଟ୍ସର ବିଜୟ ଉତ୍ସବ ଆରମ୍ଭ ହୋଇଥିଲା । କ୍ୟାପିଟାଲ୍ସ ପକ୍ଷରୁ ଲିଜେଲି ଲି’ ୫୪ବଲ୍ରେ ୮୬ (୧୨ଚୌକା, ୩ଛକା), ଶେଫାଳି ବର୍ମା ୧୪, ଉଲଭାର୍ଟ ୩୮ବଲ୍ରେ ୭୭ (୯ଚୌକା, ୩ଛକା), ରୋଡ୍ରିଗ୍ସ ୧୫ରନ୍ କରିଥିଲେ । ପୂର୍ବରୁ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମହଙ୍ଗା ପଡ଼ିଥିଲା । ଗୁଜରାଟ ଜାଏଣ୍ଟ୍ସ ପକ୍ଷରୁ ବେଥ୍ ମୁନି ଓ ସୋଫି ଡିଭାଇନ ୪୯ବଲ୍ରେ ୯୪ରନ୍ ସଂଗ୍ରହ କରିଥିଲେ । ମୁନି ୧୯ରନ୍ କରି ଆଉଟ୍ ହୋଇଥିଲେ ।
ଅଧିନାୟିକା ଆସଲି ଗାର୍ଡନର କ୍ରିଜ୍ରେ ଯୋଗଦେଇ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଦଳୀୟ ସ୍କୋର ୧୨୬ରେ ଡିଭାଇନଙ୍କ ୱିକେଟର ପତନ ଘଟିଥିଲା । ସେ ମାତ୍ର ୫ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ । ୪୨ବଲ୍ରେ ୭ଚୌକା ଓ ୮ଛକା ବଳରେ ୯୫ରନ୍ କରିଥିଲେ ଡିଭାଇନ । ଏହାପରେ ଆରମ୍ଭ ହୋଇଯାଇଥିଲା ବ୍ୟାଟିଂ ବିପର୍ଯ୍ୟୟ । ମାତ୍ର ଗାର୍ଡନର ୨୬ବଲ୍ରେ ୪୯ (୪ଚୌକା, ୩ଛକା)ଯୋଗ କରିବା ଫଳରେ ଦଳୀୟ ସ୍କୋର ୨୦୯ରେ ପହଞ୍ଚି ଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ନନ୍ଦନୀ ଶର୍ମା ଅନ୍ତିମ ଓଭରରେ ୨ରନ୍ ପ୍ରଦାନ କରି ହ୍ୟାଟ୍ରିକ ସହ ୪ଟି ୱିକେଟ୍ ନେଇଥିଲେ । ଡବ୍ଲ୍ୟୁପିଏଲ୍ର ଚତୁର୍ଥ ବୋଲର ଭାବେ ସେ ହ୍ୟାଟ୍ରିକ୍ ନେବାରେ ସଫଳ ହୋଇଥିଲେ । ପୂର୍ବରୁ ୨୦୨୩ରେ ଇସି ୱଙ୍ଗ୍, ୨୦୨୪ରେ ଦୀପ୍ତି ଶର୍ମା ଏବଂ ୨୦୨୫ରେ ଗ୍ରେସ ହ୍ୟାରିସ୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ ।
ୟସ୍ତିକା ଡବ୍ଲ୍ୟୁପିଏଲ ବାଦ- ଗୁଜରାଟ ଜାଏଣ୍ଟ୍ସ ଦଳର ସଦସ୍ୟା ଥିବା ୱିକେଟ୍ କିପର ବ୍ୟାଟର ୟସ୍ତିକା ଭାଟିଆ ଚଳିତ ଡବ୍ଲ୍ୟୁପିଏଲ୍ରୁ ବାଦ୍ ପଡ଼ିଛନ୍ତି । ସେ ଗତ ଅକ୍ଟୋବର ମାସରେ ଆହତ ହୋଇଥିଲେ । ସେ ଏପର୍ଯ୍ୟନ୍ତ ଫିଟ୍ ହୋଇପାରି ନାହାନ୍ତି । ଆହତ ସତ୍ତେ୍ୱ ଗୁଜରାଟ ଜାଏଣ୍ଟ୍ସ ଗତ ନିଲାମୀରେ ତାଙ୍କୁ ୫୦ଲକ୍ଷ ଟଙ୍କାରେ କିଣିଥିଲା । ସେତେବେଳେ ଡବ୍ଲ୍ୟୁପିଏଲ ପକ୍ଷରୁ କୁହାଯାଇଥିଲା ଯେ, ‘ଯଦି ୟସ୍ତିକା ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ନ୍ତି, ତା’ହେଲେ ତାଙ୍କ ସ୍ଥାନରେ କୌଣସି ବଦଳ ଖେଳାଳି ସାମିଲ କରିବାକୁ ଅନୁମତି ଦିଆଯିବ ନାହିଁ ।’ ୟସ୍ତିକା ଗତ ୩ଟି ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ସଦସ୍ୟା ରହିଥିଲେ । ସେ ୨୮ଟି ମ୍ୟାଚ୍ ଖେଳି ମୋଟ ୫୦୬ରନ୍ ସଂଗ୍ରହ କରିଥିଲେ ।