ନୂଆଦିଲ୍ଲୀ,୧୧/୦୧: ଚଳିତ ଡବ୍ଲ୍ୟୁପିଏଲ୍-୪ରେ ଏକ ସଂଘର୍ଷପୂର୍ଣ୍ଣ ବିଜୟ ସହ ଗୁଜରାଟ ଜାଏଣ୍ଟ୍‌ସ ଅଭିଯାନ ଆରମ୍ଭ କରିଛି । ଡିୱାଇ ପାଟିଲ ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍‌ସ ୧୦ ରନ୍‌ରେ ୟୁପି ୱାରିୟର୍ସକୁ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଜାଏଣ୍ଟ୍‌ସ ଦଳ ୪ ୱିକେଟ୍ ହରାଇ ୨୦୭ ରନ ସଂଗ୍ରହ କରିଥିଲା । ଜବାବରେ ୟୁପି ୱାରିୟର୍ସ ଲଢୁଆ ବ୍ୟାଟିଂ କରିଥିଲେ ହେଁ ଶେଷରେ ୮ ୱିକେଟ୍ ହରାଇ ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା । ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଦଳକୁ ବିଜୟୀ କରାଇଥିବା ଜର୍ଜିୟା ୱାରେହାମ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେବା ୟୁପି ୱାରିୟର୍ସ ପାଇଁ ମହଙ୍ଗା ପଡ଼ିଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଗୁଜରାଟ ଜାଏଣ୍ଟସ ଦଳର ଦୁଇ ଓପନର ବେଥ ମୁନି ଓ ଶୋଫି ଡିଭାଇନ୍ ୪୧ ରନ ସଂଗ୍ରହ କରିଥିଲେ । ମୁନି ୧୩ ରନ କରି ପ୍ରଥମେ ଆଉଟ୍ ହୋଇଥିଲେ । ଡିଭାଇନ ଆକ୍ରମଣ ଜାରି ରଖି ୨୦ଟି ବଲ୍ରୁ ୫ଚୌକା ଓ ୨ ଛକା ବଳରେ ୩୮ ରନ୍ ସଂଗ୍ରହ କରିଥିଲେ । ୫୫ ରନ୍ରେ ଉଭୟ ଓପନରଙ୍କ ୱିକେଟର ପତନ ପରେ ଘରୋଇ ଖେଳାଳି ଅନୁଷ୍କା ଶର୍ମା ଓ ଅଧିନାୟିକା ଆସଲି ଗାର୍ଡନର ବିସ୍ଫୋରକ ବ୍ୟାଟିଂ କରି ୟୁପି ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ । ଉଭୟ ତୃତୀୟ ୱିକେଟ୍ରେ ୧୦୩ ରନ ଯୋଗ କରିଥିଲେ । ୧୬ ଓଭର ଶେଷ ସୁଦ୍ଧା ଦଳୀୟ ସ୍କୋର ୧୫୮ରେ ପହଞ୍ଚି ସାରିଥିଲା । ୧୭ତମ ଓଭରର ପ୍ରଥମ ବଲ୍ରେ ଯୋଡ଼ି ଭାଙ୍ଗିଥିଲେ ଡିଆଣ୍ଡ୍ରା ଡଟିନ । ଅନୁଷ୍କା ୪୪ (୭ଚୌକା) ରନ କରି ଆଉଟ୍ ହୋଇଥିଲେ । ସେହିପରି ଗାର୍ଡନର ୪୧ଟି ବଲ୍‌ରେ ୬ଚୌକା ଓ ୩ଛକା ବଳରେ ୬୫ ରନ କରିଥିଲେ । ଅନ୍ତିମ ଭାଗରେ ଜର୍ଜିୟା ୱାରେହାମ ୧୦ଟି ବଲ ଅପରାଜିତ ୨୭ ରନକରି ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଥିଲେ ।

ଜବାବରେ ୟୁପି ୱାରିୟର୍ସ ୩ ରନ୍‌ରେ ଓପନର କିରଣ ନଭଗିରେ (୧)ଙ୍କୁ ହରାଇଥିଲେ ହେଁ ସହଳ ସ୍ଥିତି ସୁଧାରି ନେଇଥିଲା । ମେଗ ଲ୍ୟାନିଂଙ୍କ ସହ ଫୋଏବ ଲିଚଫିଲ୍ଡ ମିଶି ୭୦ ରନ୍‌ର ଭାଗିଦାରୀ ଗଢ଼ିଥିଲେ । ଲ୍ୟାନିଂ ୩୦ ରନ କରି ଆଉଟ୍ ହେବା ପରେ ପରେ ହର୍ଲିନ ଦେଓଲ (୦) ଓ ଦୀପ୍ତି ଶର୍ମା (୧) ସହଳ ପାଭିଲିୟନ ଫେରିଥିଲେ । ଲିଚଫିଲ୍ଡ ଗୋଟିଏ ପଟେ ଆକ୍ରମଣ ଜାରି ରଖି ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲେ । ଶ୍ୱେତା ଶେରାୱତଙ୍କ ସହ ମିଶି ଲିଚଫିଲ୍ଡ ଆଉ ୬୯ ରନ ଯୋଗ କରିଥିଲେ । ଦଳୀୟ ସ୍କୋର ୧୪୩ ବେଳେ ଶେରାୱତ ୨୫ ରନ କରି ଆଉଟ୍ ହେବା ପରେ ବାଜି ପଲଟିଥିଲା । ଗୁଜରାଟ ଜାଏଣ୍ଟ୍‌ସ ମ୍ୟାଚ୍‌କୁ ଫେରିଥିଲା । ଲିଚଫିଲ୍ଡ ୪୦ଟି ବଲ୍‌ରେ ୭୮ (୮ଚୌକା, ୫ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଡଟିନ ୧୨ ଓ ଶୋଫି ଏକ୍ଲେଷ୍ଟୋନ ୧୧ ରନ କରି ପାଭିଲିୟନ ଫେରିବା ସହ ଦଳ ୧୮୨ ରନ୍‌ରେ ୮ଟି ୱିକେଟ ହରାଇଥିଲା । ଆଶା ଶୋଭନା ଅନ୍ତିମ ଭାଗରେ ୧୦ଟି ବଲ୍‌ରେ ୨୭ (୩ଚୌକା, ୨ଛକା) ରନ କରିଥିଲେ ହେଁ ବିଜୟ ପାଇଁ ଏହା ଯଥେଷ୍ଟ ସାବ୍ୟସ୍ତ ହୋଇପାରି ନଥିଲା । ଗୁଜରାଟ ଜାଏଣ୍ଟସ ପକ୍ଷରୁ ରେଣୁକା ସିଂହ, ଶୋଫି ଓ ୱାରେହାମ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।