ମେଲବର୍ଣ୍ଣ,୩୧/୧୨: ମେଲ୍ବର୍ଣ୍ଣରେ ବକ୍ସିଂ ଡେ’ ଟେଷ୍ଟ ପରାଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ପହଞ୍ଚିବାର ଆଶା ଏକପ୍ରକାର ମଉଳି ଯାଇଛି । ସୂତା ଖିଅରେ ଝୁଲିଛି ଶେଷ ଆଶା । ଦକ୍ଷିଣ ଆଫ୍ରିକା ଫାଇନାଲ୍ରେ ପହଞ୍ଚି ସାରିଥିବାରୁ ବର୍ତ୍ତମାନ ଗୋଟିଏ ସ୍ଥାନ ପାଇଁ ୩ ଦଳ ଅଷ୍ଟ୍ରେଲିଆ, ଭାରତ ଓ ଶ୍ରୀଲଙ୍କା ଦାବିଦାର ରହିଛନ୍ତି । ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଆଉ ୩ଟି ଟେଷ୍ଟ ଖେଳିବେ । ଭାରତ ଖେଳିବ କେବଳ ଗୋଟିଏ ଟେଷ୍ଟ । ୩ ତାରିଖରୁ ସିଡନୀରେ ଏହି ମ୍ୟାଚ୍ ଖେଳାଯିବ ।
ପଏଣ୍ଟ ତାଲିକାକୁ ଦେଖିଲେ ୬୧.୪୬% ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ଓ ୫୨.୭୮% ପଏଣ୍ଟ ସହ ଭାରତ ତୃତୀୟ ସ୍ଥାନରେ ରହିଛନ୍ତି। ସିଡନୀ ଟେଷ୍ଟ ବ୍ୟତୀତ ଅଷ୍ଟ୍ରେଲିଆ ଆଗକୁ ଶ୍ରୀଲଙ୍କା ବିପକ୍ଷରେ ଆଉ ୨ଟି ଟେଷ୍ଟ ଖେଳିବ । ଏହି ୩ଟି ଯାକ ଟେଷ୍ଟରୁ ଅଷ୍ଟ୍ରେଲିଆ କେବଳ ଗୋଟିଏ ମ୍ୟାଚ ଜିତିଲେ ସିଧା ଫାଇନାଲ୍ରେ ପ୍ରବେଶ କରିବ ।
ଭାରତକୁ ଫାଇନାଲ୍ରେ ପ୍ରବେଶ କରିବାକୁ ହେଲେ ପ୍ରଥମେ ସିଡନୀ ଟେଷ୍ଟ ଜିତିବାକୁ ପଡ଼ିବ । ଏହାପରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜ ଫଳାଫଳକୁ ଅପେକ୍ଷା କରିବାକୁ ହେବ । ଉକ୍ତ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ ଶ୍ରୀଲଙ୍କା ୧-୦ରେ ଜିତିଲେ ଭାରତ ଫାଇନାଲରେ ପ୍ରବେଶ କରିପାରିବ ।
ସିଡନୀ ଟେଷ୍ଟ ଜିତିଲେ ଭାରତର ପଏଣ୍ଟ ୫୫.୨୬% ରେ ପହଞ୍ଚିବ । ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ସିରିଜକୁ ଶ୍ରୀଲଙ୍କା ୧-୦ରେ ଜିତିଲେ ଅଷ୍ଟ୍ରେଲିଆର ପଏଣ୍ଟ ୫୩.୫୧% ଓ ଶ୍ରୀଲଙ୍କା ପଏଣ୍ଟ ୪୮.୭୨% ରହିବ । ଫଳରେ ଭାରତ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିପାରିବ ।
ସିଡନୀ ଟେଷ୍ଟ ଡ୍ର’ ରହିଲେ ଭାରତର ପଏଣ୍ଟ ୫୧.୭୫% ରେ ସମାପ୍ତ ହେବ । ଅର୍ଥାତ ଭାରତ ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଯିବ । ଏହାପରେ ଶ୍ରୀଲଙ୍କା-ଅଷ୍ଟ୍ରେଲିଆ ସିରିଜର ୨ଟି ଯାକ ଟେଷ୍ଟ ଡ୍ର’ ରହିଲେ ଅଷ୍ଟ୍ରେଲିଆର ପଏଣ୍ଟ ୫୩.୫୧% ଓ ଶ୍ରୀଲଙ୍କାର ପଏଣ୍ଟ ୫୩.୮୫% ରହିବ । ଫଳ ସ୍ୱରୂପ ଶ୍ରୀଲଙ୍କା ଦ୍ୱିତୀୟକୁ ଉଠି ଫାଇନାଲ୍ରେ ପ୍ରବେଶ କରିବ ।
ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ପରାଜିତ ହେବା ପରେ ମଧ୍ୟ ଫାଇନାଲ୍ ଆଶା ଉଜ୍ଜୀବିତ ରହିବ । ଶ୍ରୀଲଙ୍କାରେ ଗୋଟିଏ ଟେଷ୍ଟ ଜିତିଲେ ଅଷ୍ଟ୍ରେଲିଆ ଫାଇନାଲ୍ରେ ପ୍ରବେଶ କରିପାରିବ । ୧-୧ରେ ଶ୍ରୀଲଙ୍କା ବିପକ୍ଷ ସିରିଜ ଡ୍ର’ ରହିଲେ ମଧ୍ୟ ଅଷ୍ଟ୍ରେଲିଆ ୫୭.୦୨%ପଏଣ୍ଟ ସହ ଫାଇନାଲ୍ରେ ପ୍ରବେଶ କରିବ । ଭାରତ ୫୫.୨୬% ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିବ ।