ନୂଆଦିଲ୍ଲୀ,୧୯।୯: JKLF ଆତଙ୍କୀ ୟାସିନ ମାଲିକର ବିସ୍ଫୋରକ ବୟାନ। ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିବା ୮୫ ପେଜ୍ର ସତ୍ୟପାଠକୁ ନେଇ ରାଜନୀତି ଦୁନିଆରେ ହଇଚଇ। ୟାସିନ୍ କହିଛି ୧୯୯୪ ରେ ଜେଲ୍ରୁ ମୁକ୍ତ ହେବାପରେ ସେ ବହୁ କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ, କୁଟନୀତିଜ୍ଞ ଏବଂ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲା। କେବଳ ସେତିକି ନୁହେଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ବିରୋଧି ଦଳ ନେତା ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସାକ୍ଷାତ କରିଥିଲା। ଏପରିକି ଲସ୍କର ମୁଖ୍ୟ ହାଫିଜ ସଇଦକୁ ଭେଟିବା ପରେ ପିଏମ୍ ମନମୋହନ ସିଂହ ତାକୁ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଜଣାଇଥିଲେ।
ଟେରର ଫଣ୍ଡିଂ ମାମଲାରେ ତିହାର ଜେଲରେ ଅଛି JKLF ଆତଙ୍କୀ ୟାସିନ୍ । ଏବେ ଏହି ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ଚାଲିଛି। ୟାସିନକୁ ମୃତ୍ୟୁଦଣ୍ଡ ପାଇଁ ଅଗଷ୍ଟ ୧୧ ରେ NIA ଆବେଦନ କରିଥିଲା। ମଲିକକୁ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କୋର୍ଟ ସମୟ ଦେଇଥିଲେ। ଅଗଷ୍ଟ ୨୫ ରେ ମଲିକ୍ ୮୫ ପୃଷ୍ଠାର ଏକ ସତ୍ୟପାଠ କରିଛି। ଏଥିରେ ସେ ଦାବି କରିଥିଲା, ଦେଢ଼ ଦଶନ୍ଧି ଧରି କେନ୍ଦ୍ର ସରକାରଙ୍କ ଅନେକ ରାଜନେତା, ବ୍ୟୁରୋକ୍ରାଟ ଏବଂ ଆଇବି ଅଧିକାରୀଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରିଥିଲା। ଏହି ସମୟ ମଧ୍ୟରେ ତାକୁ ୩୨ଟି ଆତଙ୍କବାଦ ସମ୍ବନ୍ଧୀୟ ମାମଲାରେ ଜାମିନ ମିଳିଥିଲା। ୧୯୯୦ ରେ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ସମୟରେ ବୈଠକର ଧାରା ଆରମ୍ଭ ହୋଇଥିଲା। ତା’ର ପ୍ରଥମ ଗିରଫଦାରୀ ପରେ, ତାଙ୍କୁ ଦିଲ୍ଲୀର ମେହରୌଲିରେ ଥିବା ଏକ ଅତିଥି ଭବନକୁ ନିଆଯାଇଥିଲା। ସେଠାରେ ବିଏସଏଫ ମୁଖ୍ୟ, ଇଣ୍ଟେଲିଜେନ୍ସ ବ୍ୟୁରୋର ସ୍ୱତନ୍ତ୍ର ନିର୍ଦ୍ଦେଶକ ଏବଂ ପୋଲିସ ମୁଖ୍ୟ ଜେ.ଏନ. ସକ୍ସେନା ଭେଟିଥିଲେ। ତା'ପରେ ତାକୁ ପ୍ରଧାନମନ୍ତ୍ରୀଙ୍କ ସହିତ ରାତ୍ରୀଭୋଜନ ପ୍ରସ୍ତାବ ଦିଆଯାଇଥିଲା, ଯାହାକୁ ସେ ମନା କରିଦେଇଥିଲେ। ତା'ପରେ ତାକୁ ଆଗ୍ରା ଜେଲକୁ ପଠାଯାଇଥିଲା। କିଛି ମାସ ପରେ, ଜେଲରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା, ତେଣୁ ତାକୁ ମେହରୌଲିର ଏକ ବଙ୍ଗଳାକୁ ଫେରାଇ ଅଣାଯାଇଥିଲା। ସେତେବେଳର ଗୃହମନ୍ତ୍ରୀ ରାଜେଶ ପାଇଲଟ, ଦୁଇଜଣ ରାଜ୍ୟପାଳ ଏବଂ ବରିଷ୍ଠ ଅଧିକାରୀଙ୍କୁ ଆଲୋଚନା ପାଇଁ ସେଠାକୁ ପଠାଇଥିଲେ।
୨୦୦୦-୨୦୦୧ ମସିହାରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ରମଜାନ ଅସ୍ତ୍ରବିରତି ଘୋଷଣା କରିଥିଲେ। ତତ୍କାଳୀନ ଇଣ୍ଟେଲିଜେନ୍ସ ବ୍ୟୁରୋ ବା ଆଇବିର ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଜିତ ଡୋଭାଲ, ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଶ୍ୟାମଲ ଦତ୍ତ ଏବଂ ତତ୍କାଳୀନ ଏନଏସଏ ବ୍ରଜେଶ ମିଶ୍ରଙ୍କ ସହିତ ଏକ ବୈଠକ କରିଥିଲେ। ଅଧିକାରୀମାନେ ତାଙ୍କୁ କହିଥିଲେ, ପ୍ରଧାନମନ୍ତ୍ରୀ ବାଜପେୟୀ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଚାହାଁନ୍ତି। ସେ ଏହି ଅସ୍ତ୍ରବିରତିକୁ ସମର୍ଥନ କରିବା ଉଚିତ।ମାଲିକ ଦାବି କରିଛି, ଯେ, ଗୁଇନ୍ଦା ଅଧିକାରୀଙ୍କ ନିର୍ଦ୍ଦେଶରେ ସେ ପାକିସ୍ତାନରେ ଲସ୍କର ଆତଙ୍କୀ ହାଫିଜ୍ ସଇଦଙ୍କୁ ଭେଟିଥିଲା। ୨୦୦୬ ରେ ପାକିସ୍ତାନରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ତାଙ୍କୁ ଏକ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ସମୟରେ ସେ ବ୍ୟକ୍ତିଗତ ଭାବରେ ଧନ୍ୟବାଦ ଜଣାଇଥିଲ ବୋଲି କହିଛି ମଲିକ୍। ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଓ ସରକାରଙ୍କ କାର୍ଯ୍ୟକାଳ ସମୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ବଜାୟ ରଖିଥିଲେ। କିନ୍ତୁ, ଏହା ପରେ ସରକାରଙ୍କ ମତ ପରିବର୍ତ୍ତନ ହୋଇଥିଲା ବୋଲି ମଲିକ୍ କହିଛି।