ନୂଆଦିଲ୍ଲୀ,୨୦।୧୦: ଇରାନ ସମର୍ଥିତ ହୁତି ବିଦ୍ରୋହୀ ରାଜଧାନୀ ସାନାରେ ଜାତିସଂଘ ଦ୍ୱାରା ପରିଚାଳିତ ଏକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛନ୍ତି। ଏହା ସହ  ୨୪ ଜଣ ଜାତିସଂଘ କର୍ମଚାରୀଙ୍କୁ ବନ୍ଧକ ରଖିଛନ୍ତି। ଜାତିସଂଘ ମୁଖପାତ୍ର ଜିନ୍ ଆଲାମ୍ କହିଛନ୍ତି, କର୍ମଚାରୀଙ୍କୁ ସାନାର ଦକ୍ଷିଣ-ପଶ୍ଚିମରେ ହୁଦା ସ୍ଥିତ  ସଂସ୍ଥାର ପରିସରରେ ରଖାଯାଇଛି।ରବିବାର ବନ୍ଧକ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ୫ ଜଣ ୟେମେନର ରହିଥିବା ବେଳେ ୧୫ ବିଦେଶୀ କର୍ମଚାରୀ ରହିଛନ୍ତି।  

ଏହି କର୍ମଚାରୀମାନେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ଶିଶୁ ସଂସ୍ଥା ୟୁନିସେଫ୍ ଏବଂ ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ସମେତ ଅନେକ ଜାତିସଂଘ ଏଜେନ୍ସି ସହିତ ଜଡିତ ବୋଲି ଜଣାପଡିଛି। ଅଟକ ଥିବା ଲୋକଙ୍କ ମଧ୍ୟରେ ଅତି କମରେ ପାଞ୍ଚ ଜଣ ୟେମେନି ନାଗରିକ ଅଛନ୍ତି। ଜିନ୍ ଆଲାମ୍ କହିଛନ୍ତି ଯେ ଏହି ଜଟିଳ ପରିସ୍ଥିତିକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଜାତିସଂଘ ହୁତି ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ପକ୍ଷଙ୍କ ସହିତ ସିଧାସଳଖ ଯୋଗାଯୋଗରେ ଅଛି।

ଏହି ଘଟଣା ସାନା, ଲୋହିତ ସାଗର ବନ୍ଦର ସହର ହୋଦେଇଦା ଏବଂ ଉତ୍ତର ସାଦା ପ୍ରଦେଶ ସମେତ ସେମାନଙ୍କ ନିୟନ୍ତ୍ରଣାଧୀନ ଅଞ୍ଚଳରେ ଘଟିଛି। ସେଠାରେ କାର୍ଯ୍ୟ କରୁଥିବା ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସହାୟତା ସଂଗଠନଗୁଡ଼ିକ ଉପରେ ହୁତି ବିଦ୍ରୋହୀଙ୍କ ଦ୍ୱାରା ଲଗାତାର ଆକ୍ରମଣ ପରେ ଆସିଛି। ହୁତି ବିଦ୍ରୋହୀ ଜାତିସଂଘ କର୍ମଚାରୀଙ୍କ ଫୋନ୍, ସର୍ଭର ଓ କମ୍ପ୍ୟୁଟର ସହିତ ସବୁ ସଞ୍ଚାର ଉପକରଣକୁ ନିଜ କବଜାରେ ନେଇଯାଇଛନ୍ତି।