ଭୁବନେଶ୍ୱର ୨୧/୦୩: ଶରୀରକୁ ସୁସ୍ଥ ରଖିବା ପାଇଁ ଯକୃତର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ଶରୀର ପାଇଁ ଯକୃତ ଠିକ୍‌ ଭାବେ କାମ କରିବା ନିହାତି ଜରୁରି । ଆଉ ଯକୃତକୁ ସୁସ୍ଥ ରଖିବା ପାଇଁ ନିୟମିତ ଯୋଗାସନ ଏକ ଶ୍ରେଷ୍ଠ ଉପାୟ । ଯକୃତ ଠିକ୍‌ ଭାବେ କାମ ନ କଲେ ବିଭିନ୍ନ ରୋଗ ଦେଖା ଦେଇଥାଏ । ତା’ ସାଙ୍ଗକୁ ଯକୃତ ସମସ୍ୟା ବି କିଛି କମ୍‌ ନୁହେଁ । ସନ୍ତୁଳିତ ଆହାର ଖାଇବା ସହ ଧୂମପାନଠାରୁ ଦୂରେଇ ରହିଲେ ହିଁ ଏହାକୁ ସୁସ୍ଥ ରଖିପାରିବେ । ଆସନ୍ତୁ ଜାଣିବା କେଉଁ ଯୋଗାସନ ଦ୍ୱାରା ଯକୃତକୁ ସୁସ୍ଥ ରଖିପାରିବା । 

ନୌକାସନ:

ଯକୃତକୁ ସୁସ୍ଥ ରଖିବା ପାଇଁ ନୌକାସନ ହେଉଛି ଏକ ପ୍ରଭାବଶାଳୀ ଯୋଗ । ଏହା କରିବା ଦ୍ୱାରା ଯକୃତ ସମ୍ବନ୍ଧୀୟ କୌଣସି ରୋଗ ହୋଇ ନଥାଏ । ଏହା ଲିଭରକୁ ମଜଭୁତ କରିବା ସହ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । 

-ପ୍ରଥମେ ଯୋଗ ମ୍ୟାଟ୍‌ରେ ଚିତ୍‌ ହୋଇ ଶୋଇ ପଡନ୍ତୁ ।

-ପିଠିକୁ ସିଧା ରଖିବା ସହ ହାତକୁ ଶରୀରର ଦୁଇ ପାଶ୍ୱର୍ରେ ରଖନ୍ତୁ । 

-ଏବେ ନିଜର ମୁଣ୍ଡପଟୁ ଅଣ୍ଟା ଯାଏ ଓ ଗୋଡ ପଟୁ ଅଣ୍ଟା ଯାଏ ଚଟାଣରୁ ଉପରକୁ ଉଠାନ୍ତୁ । ଆଉ ଶରୀରର ସମସ୍ତ ଭାର ନିତମ୍ବ ଉପରେ ଛାଡି ଦିଅନ୍ତୁ ।

-ବର୍ତ୍ତମାନ ଆପଣଙ୍କ ହାତ ଓ ଗୋଡ ପରସ୍ପରର ପାଶ୍ୱର୍ରେ ହୁକ୍‌ ପରି ପବନରେ ଝୁଲି ରହିବ ।

-ଯେପର୍ଯ୍ୟନ୍ତ ସମ୍ଭବ ଆପଣ ଏହି ମୁଦ୍ରାରେ ରୁହନ୍ତୁ । 

ଧନୁରାସନ:

ଫ୍ୟାଟି ଲିଭରରେ ପୀଡିତ ଲୋକମାନଙ୍କ ପାଇଁ ଧନୁରାସନ ବେଶ୍‌ ଉପଯୋଗୀ । ଏହା ଯକୃତକୁ ଉତ୍ତେଜିତ, ଷ୍ଟ୍ରେଚ୍‌ ଓ ମଜଭୁତ୍‌ କରିବାରେ ସାହାଯ୍ୟ କରେ । ଧନୁରାସନ କରିବା ଦ୍ୱାରା ଯକୃତରେ ଫ୍ୟାଟ୍‌ କମ୍‌ ହୋଇଥାଏ । 

-ଯୋଗ କରିବା ପାଇଁ ମ୍ୟାଟ୍‌ ଉପରେ ପେଟ ମାଡି ଶୋଇପଡନ୍ତୁ । 

-ଦୁଇ ହାତକୁ ଶରୀର ସହ ସମାନ୍ତର ଭାବେ ରଖନ୍ତୁ । 

-ଏବେ ଦୁଇ ଗୋଡକୁ ପଛକୁ ମୋଡନ୍ତୁ । 

-ଏହା ପରେ ଦୁଇ ହାତରେ ଦୁଇ ଗୋଡକୁ ଧରନ୍ତୁ । 

-ଏହି ମୁଦ୍ରାରେ ୨୦/୩୦ ସେକେଣ୍ଡ ଯାଏ ରୁହନ୍ତୁ । 

-ପୁଣି ପୂର୍ବ ମୁଦ୍ରାକୁ ଫେରି ଆସନ୍ତୁ । ଏହି ମୁଦ୍ରାକୁ ୧୦ ଥର କରିପାରିବେ ।