ଲେକ୍ଷ୍ନୌ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ନେଇ ସହମତି ହୋଇଛି । ଭାରତର ପ୍ରଚଣ୍ଡ ପ୍ରତିଜବାବରେ ପାକିସ୍ତାନ ଦୋହଲି ଯାଇଛି । ଆଉ ଏବେ ପାକିସ୍ତାନକୁ ଜବାବ ଦେବାକୁ ଭାରତୀୟ ସେନା କଣ ସବୁ ଯୁଦ୍ଧାସ୍ତ୍ର ପୟୋଗ କରିଥିଲା ସେନେଇ ଧିରେ ଧିରେ ତଥ୍ୟ ମିଳୁଛି । ଏହାରି ଭିତରେ ବ୍ରହ୍ମୋସ ମିସାଇଲ୍ର ଶକ୍ତି କେତେ ଜାଣିବାକୁ ହେଲେ ପାକିସ୍ତାନୀଙ୍କୁ ପଚାରିବା ଉଚିତ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ସେ କହିଛନ୍ତି ଯେ, ଅପରେସନ ସିନ୍ଦୂର ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଶକ୍ତିର ଏକ ଝଲକ ଦେଖାଯାଇଥିଲା । ଯଦି ଏହା ଯଥେଷ୍ଟ ନୁହେଁ ତେବେ ପାକିସ୍ତାନର ଲୋକମାନଙ୍କୁ ଏହା ବିଷୟରେ ପଚରାଯିବା ଉଚିତ । ଆତଙ୍କବାଦକୁ ଦମନ କରିବାର ସମୟ ଆସିଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଦେଶକୁ ଏକତ୍ରିତ ହେବାକୁ ପଡିବ । 'ବ୍ରହ୍ମୋସ ଏରୋସ୍ପେସ୍ ଇଣ୍ଟିଗ୍ରେସନ୍ ଆଣ୍ଡ୍ ଟେଷ୍ଟିଂ ଫାସିଲିଟି'ର ଉଦଘାଟନ ଉତ୍ସବରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେକୌଣସି ଆତଙ୍କବାଦୀ ଘଟଣା ଏବେ ଯୁଦ୍ଧ ଭାବରେ ବିବେଚନା କରାଯିବ ।
ଯେପର୍ଯ୍ୟନ୍ତ ଆମେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ଦମନ ନକରିବା, ସେପର୍ଯ୍ୟନ୍ତ ସମସ୍ୟାର ସମାଧାନ ହେବ ନାହିଁ । ଆତଙ୍କବାଦ କୁକୁରର ଲାଞ୍ଜ ପରି ଯାହାକୁ କେବେ ସିଧା କରାଯାଇପାରିବ ନାହିଁ । ଭାରତ ସେମାନଙ୍କୁ ସମାନ ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ରହିବାକୁ ପଡିବ ଏବଂ ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ୱକୁ ଏକ ବାର୍ତ୍ତା ଦେଇଛି । ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ୍ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି ଏବଂ ଅପରେସନ୍ ସିନ୍ଦୂରର ସଫଳତା ପାଇଁ ଉତ୍ତର ପ୍ରଦେଶର ଜନସାଧାରଣଙ୍କ ପକ୍ଷରୁ ଦେଶର ସଶସ୍ତ୍ର ବାହିନୀ, ସୈନିକ, ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହା ସହିତ, ସେ ଉତ୍ତର ପ୍ରଦେଶକୁ ପ୍ରତିରକ୍ଷା ଉତ୍ପାଦର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ବିକଶିତ କରିବାର ଲକ୍ଷ୍ୟକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ଯୋଗୀ କହିଛନ୍ତି ଯେ, ୨୦୧୮ ମସିହାରେ ଯେତେବେଳେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ପ୍ରଥମ ନିବେଶ ସମ୍ମିଳନୀ ଆୟୋଜନ କରିଥିଲା, ସେତେବେଳେ କେନ୍ଦ୍ର ବଜେଟରେ ଦୁଇଟି ପ୍ରତିରକ୍ଷା କରିଡର ଘୋଷଣା କରାଯାଇଥିଲା। ପ୍ରଧାନମନ୍ତ୍ରୀ ଲକ୍ଷ୍ନୌରେ ଏକ କରିଡର ଘୋଷଣା କରିଥିଲେ। ଉତ୍ତର ପ୍ରଦେଶରେ ଛଅଟି ନୋଡ୍ ସ୍ଥିର କରାଯାଇଥିଲା - ଲକ୍ଷ୍ନୌ, କାନପୁର, ଆଲିଗଡ଼, ଆଗ୍ରା, ଝାନ୍ସୀ ଏବଂ ଚିତ୍ରକୂଟ । ସେ କହିଛନ୍ତି ଯେ, ୨୦୧୯ ମସିହାରେ କେନ୍ଦ୍ରରେ ପୁଣିଥରେ ସରକାର ଗଠନ ହେବା ପରେ, ପ୍ରତିରକ୍ଷା ମନ୍ତ୍ରୀ ଭାବରେ ରାଜନାଥ ସିଂହ ପ୍ରଥମ ଥର ପାଇଁ ଲକ୍ଷ୍ନୌରେ ପ୍ରତିରକ୍ଷା ପ୍ରଦର୍ଶନୀର ଆୟୋଜନ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ, ସେ ଲକ୍ଷ୍ନୌରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ତିଆରିର ବଡ଼ କାର୍ଯ୍ୟକ୍ରମକୁ ଆଗକୁ ନେବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ୨୦୦ ଏକର ଜମି ଯୋଗାଇ ଦେଇଛନ୍ତି ଏବଂ ଏବେ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହେଉଛି ।