ଲକ୍ଷ୍ନୌ, ୧୦।୧: ଉତ୍ତରପ୍ରଦେଶ ପ୍ରୟାଗରାଜ ନଦୀକୂଳରେ ଆୟୋଜନ ହେବ ଭବ୍ୟ ମହାକୁମ୍ଭ ମେଳା । ଜାନୁଆରୀ ୩ରୁ ଆରମ୍ଭ ହୋଇ ଫେବୃଆରୀ ୨୬ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଏଥିପାଇଁ ଜୋରସୋରରେ ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତି ଆରମ୍ଭ କରିଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜେ ଏହାର ତଦାରଖ କରୁଛନ୍ତି । ଏଥିପାଇଁ ବାରମ୍ୱାର ପ୍ରୟାଗରାଜ ଗସ୍ତ କରୁଛନ୍ତି ଯୋଗୀ । କୁମ୍ଭ ମେଳାରେ ମୁସଲମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚର୍ଚ୍ଚା ହେଉଥିଲା । ଏ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଆଦିତ୍ୟନାଥ କହିଛନ୍ତି ଯେ, ଯେଉଁମାନଙ୍କୁ ଭାରତର ସନାତନ ଧର୍ମ ପରମ୍ପରାରେ ଆସ୍ଥା ଓ ବିଶ୍ୱାସ ରହିଛି ସେମାନେ କୁମ୍ଭମେଳାକୁ ଆସିପାରିବେ । ହେଲେ ମନ୍ଦ ବା ଖଳ ଚିନ୍ତାଧାରା ରଖୁଥିବା ଲୋକ ଏଭଳି ପବିତ୍ର ସ୍ଥାନକୁ ନ ଆସିବାକୁ ମଧ୍ୟ ସେ ଚେତାବନୀ ଦେଇଛନ୍ତି । କେହି ଖରାପ କାମ କରୁଥିବା ବେଳେ ଧରାପଡ଼ିଲେ ତାଙ୍କୁ କଠୋର ମଧ୍ୟ ଦଣ୍ଡ ଦିଆଯାଇପାରେ ବୋଲି ସେ କହିଛନ୍ତି । 

ଯୋଗୀ ଆଦିତ୍ୟନାଥ କୁମ୍ଭନଗରୀରେ ମୁସଲମାନଙ୍କୁ ସ୍ୱାଗତ କରିଛନ୍ତି ସତ, କିନ୍ତୁ ତାଙ୍କ ପାଇଁ କିଛି ସର୍ତ୍ତ ମଧ୍ୟ ଲଗାଇଛନ୍ତି । ସେ କହିଛନ୍ତି, କୁମ୍ଭମେଳାରେ ଏଭଳି ଲୋକଙ୍କୁ ସ୍ୱାଗତ କରାଯିବ, ଯିଏ ଭାରତୀୟଙ୍କୁ ସମ୍ମାନ କରନ୍ତି । ସନାତନ ପରମ୍ପରାରେ ଶ୍ରଦ୍ଧା ରଖନ୍ତି । ଯେଉଁମାନେ ଅନ୍ୟ କାହାର ଚାପରେ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ନିଜ ଗୋତ୍ରକୁ ଭାରତର ଋଷିମୁନିଙ୍କ ନାଁ ସହ ଜଡ଼ିତ ବୋଲି ଭାବୁଛନ୍ତି ସେମାନଙ୍କୁ କୁମ୍ଭମେଳାକୁ ସ୍ୱାଗତ । ଏଭଳି ଲୋକ ପ୍ରୟାଗରାଜ ଆସି ପାରମ୍ପରିକ ଭାବେ ସଙ୍ଗମରେ ସ୍ନାନ କରନ୍ତୁ । କହିରଖୁ କି, ଆଦିତ୍ୟନାଥ ଗୁରୁବାର ପ୍ରୟାଗରାଜରେ ସାଧୁସନ୍ଥଙ୍କ ସାଙ୍ଗରେ ରାତ୍ରି ଭୋଜନ କରିବା ସହ ତାଙ୍କୁ ଉପହାର ମଧ୍ୟ ଦେଇଥିଲେ । ଏହି ସମୟରେ ସାଧୁସନ୍ଥମାନେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ପୁଷ୍ପ ବର୍ଷାରେ ସ୍ୱାଗତ କରିଥିଲେ ।