ନୂଆପଡ଼ା/ଖଡ଼ିଆଳ, ୨୬/୦୮:ନୂଆପଡ଼ା  ଜିଲ୍ଲା ଖଡ଼ିଆଳ ଥାନା  ତୁକଲା ଗାଁରେ  ଅଭାବନୀୟ ଘଟଣା  ଘଟିଛି । ଆକସ୍ମିକ  ଅଗ୍ନିକାଣ୍ଡରେ ଦମ୍ପତି  ଦଗ୍ଧ ହୋଇଯାଇଛନ୍ତି । ହେଲେ ସୌଭାଗ୍ୟବଶତଃ ୯ମାସର ଶିଶୁପୁତ୍ର  ବର୍ତ୍ତିଯାଇଛି । ମୃତକ ହେଲେ ରାଜେଶ ପଟେଲ  (୨୭) ଓ ସ୍ତ୍ରୀ ରୀମା ପଟେଲ(୨୫) । 

ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ରାଜେଶ ଓ ରୀମା  ରୋଷେଇ କରୁଥିଲେ । ଏହି ସମୟରେ ଘରେ ହଠାତ୍‌  ନିଆଁ ଲାଗିଯାଇଥିଲା । ନିଆଁ ବ୍ୟାପୀ ଘର ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘରୁ ବାହାରିବାକୁ ସମୟ ପାଇପାରି ନ ଥିଲେ ଦମ୍ପତି । ଜୀବନ୍ତ ଜଳି ଯାଇଥିଲେ । ରାଜେଶଙ୍କ ବାପା ମକାରୁ ପଟେଲ ଓ ମା’ଗୀତା ପଟେଲ ୯  ମାସର ଶିଶୁପୁତ୍ରକୁ  ଧରି ଅନ୍ୟ କୋଠରିରେ ଖେଳାଉଥିବା ବେଳେ  ଏଭଳି ହୃଦୟ ବିଦାରକ  ଘଟଣା ଘଟିଥିଲା ।  ପଡ଼ୋଶୀ ପହଞ୍ଚି  ବହୁକଷ୍ଟରେ ରାଜେଶ ଓ ରୀମାଙ୍କୁ ଉଦ୍ଧାର କରି ଖଡ଼ିଆଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ରାଜେଶ ଓ ରୀମାଙ୍କୁ ଡାକ୍ତର ମୃତ ଘୋଷଣା  କରିଥିଲେ । ମା-ବାପାଙ୍କୁ ହରାଇ ୯ ମାସର ଶିଶୁପୁତ୍ର  ଅନାଥ ହୋଇଯାଇଛି । ବିଦ୍ୟୁତ୍‌ ସର୍ଟସର୍କିଟରୁ ଘରେ  ନିଆଁ ଲାଗିଥିବା ପରିବାର ଲୋକେ ସନ୍ଦେହ କରିଛନ୍ତି ।  କିନ୍ତୁ ଏତେ ଜୋରରେ ନିଆଁ କିଭଳି ଲାଗିଲା ଏବଂ ସ୍ୱାମୀ-ସ୍ତ୍ରୀ କିପରି ଘରୁ ପଦାକୁ ବାହାରି ପାରିଲେନି  ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନା ପାଇ  ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।