ରାୟଗଡ଼ା, ୧୭/୦୧: ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଛୋଟ ପାହାଡ ଟାପୁ ଉପରେ ଏକ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ ପଟାମୁଣ୍ଡା ଗ୍ରାମର ପବିତ୍ର ନାଏକ (୨୨) ବୋଲି ଜଣାପଡ଼ିଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ରାୟଗଡ଼ା ସହର ଉପକଣ୍ଠସ୍ଥ ବାଇସିଂ ପଞ୍ଚାୟତରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଧୁମାଗୁଡ଼ା ଗ୍ରାମ ନିକଟସ୍ଥ ରାସ୍ତା କଡ଼ରେ ଥିବା ଏକ ଛୋଟ ପାହାଡ ଟାପୁ ଉପରେ ଯୁବକଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଶେଷଖାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଏକ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ତଦନ୍ତ ବେଳେ ପବିତ୍ରଙ୍କ ମୃତଦେହ ନିକଟରେ ମଦ ବୋତଲ, କପା ଔଷଧ ସମେତ ମୋବାଇଲ ଓ କିଛି ଟଙ୍କା ପଡ଼ିଥିବା ପୋଲିସ ସୂଚନା ଦେଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପବିତ୍ରକୁ କେହି ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ମୃତକର ଭଉଣୀ ଅଭିଯୋଗ କରିଛନ୍ତ ।