ମଧ୍ୟପ୍ରଦେଶ ୦୪/୦୧: ଆଜିକାଲିର ମହଙ୍ଗା ଯୁଗରେ ଦେଢ଼ ଟଙ୍କା ଅନେକଙ୍କୁ ମହତ୍ୱହୀନ ଲାଗୁଥାଇପାରେ । କିନ୍ତୁ ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଚକ୍ରେଶ ଜୈନ୍ ଏହି ମାମୁଲି ରାଶି ଲାଗି ଏକ ଗ୍ୟାସ୍ ଏଜେନ୍ସି ବିରୋଧରେ ମାମଲା ରୁଜୁ କରିଥିଲେ । ୭ ବର୍ଷ ଧରି କୋର୍ଟରେ ଲଢ଼େଇ ଜାରି ରହିଥିଲା । ତାଙ୍କର ଦୃଢ଼ ସଂକଳ୍ପ ଶେଷରେ ସଫଳ ମଧ୍ୟ ହୋଇଛି । ଖାଉଟି ଅଦାଲତ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ଜୈନ୍ ଏହାକୁ ଖାଉଟି ଅଧିକାର ପାଇଁ ନିଜର ଲଢ଼େଇ ଭାବେ ଦର୍ଶାଇଛନ୍ତି ।
ଘଟଣାଟି ଏହିପରି । ୨୦୧୭ ନଭେମ୍ବର ୧୪ ତାରିଖରେ ଜୈନ୍ ଏକ ଗ୍ୟାସ୍ ଏଜେନ୍ସି ନିକଟରୁ ଏକ ସିଲିଣ୍ଡର ବୁକ୍ କରିଥିଲେ । ସେ ବାବଦକୁ ୭୫୩ ଟଙ୍କା ୫୦ ପଇସା ବିଲ୍ ଆସିଥିଲା । କିନ୍ତୁ ଡେଲିଭରି କରିଥିବା ବ୍ୟକ୍ତି ତାଙ୍କଠାରୁ ୭୫୫ ଟଙ୍କା ନେଇଥିଲେ । ଖୁଚୁରା ନ ଥିବା କହି ବଳକା ଦେଢ଼ଟଙ୍କା ଫେରାଇବାକୁ ଏଡ଼ାଇ ଯାଇଥିଲେ । ଜୈନ୍ ତାଙ୍କୁ ସେହି ଟଙ୍କା ମାଗିବାରୁ ସେ ସିଧାସଳଖ ଗ୍ୟାସ୍ ଏଜେନ୍ସି ସହ ଯୋଗାଯୋଗ କରିବାକୁ କହିଥିଲେ । ଏହାପରେ ଜୈନ୍ ଗ୍ୟାସ୍ ଏଜେନ୍ସିକୁ ଏ ବାବଦରେ ଜଣାଇଥିଲେ । କିନ୍ତୁ ଏଜେନ୍ସି କୌଣସି ପଦକ୍ଷେପ ନ ନେବାରୁ ଖାଉଟି ଅଦାଲତରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲେ । ଏହି ସମୟରେ ଗ୍ୟାସ୍ ଏଜେନ୍ସି ଜୈନ୍ ଛୋଟ କଥାକୁ ବଡ଼ କରୁଥିବା ଅଭିଯୋଗ ଆଣି ତାଙ୍କୁ ଉପହାସ କଲା । କିନ୍ତୁ ନ୍ୟାୟ ପାଇବା ନେଇ ନିଜ ସଂକଳ୍ପରେ ଅଟଳ ରହିଲେ ସେ ।
୭ ବର୍ଷ ଧରି ଶୁଣାଣି ଚାଲିବା ପରେ ଖାଉଟି ଅଦାଲତ ଗ୍ୟାସ୍ ଏଜେନ୍ସିର ସେବା ପ୍ରଦାନରେ ତ୍ରୁଟି ଥିବା ଦର୍ଶାଇ ଜୈନ୍ଙ୍କ ସପକ୍ଷରେ ରାୟ ଦେଲେ । ୨ ମାସ ମଧ୍ୟରେ ଏଜେନ୍ସିକୁ ୬ ପ୍ରତିଶତ ସୁଧ ସହିତ ଦେଢ଼ ଟଙ୍କା ଫେରାଇବାକୁ କୁହାଗଲା । କେବଳ ସେତିକି ନୁହେଁ, ଜୈନ୍ଙ୍କୁ ହୋଇଥିବା ମାନସିକ, ଆର୍ଥିକ ଓ ସେବାଗତ ସମସ୍ୟା ଯୋଗୁ ୨୦୦୦ ଟଙ୍କା କ୍ଷତିପୂରଣ ଓ ଆଇନଗତ ଖର୍ଚ୍ଚ ବାବଦରେ ଆଉ ୨୦୦୦ ଦେବାକୁ କୋର୍ଟ କହିଥିଲେ । ଚକ୍ରେଶ ଜୈନ୍ କହିଛନ୍ତି, ଏହି ମାମଲା ଖାଉଟି ଅଧିକାରର ଗୁରୁତ୍ୱ ସଂପର୍କରେ ବର୍ଣ୍ଣନା କରିଥାଏ । ଏହା ଆମର ଅଧିକାର ଓ ଆତ୍ମସମ୍ମାନର ମାମଲା ମଧ୍ୟ । ସେହିପରି ଏହା ବ୍ୟବସାୟୀଙ୍କୁ ସେମାନଙ୍କର ଗ୍ରାହକଙ୍କୁ ଉଚିତ ସମ୍ମାନ ଦେବା ବି ଶିଖାଇଥାଏ ।