କଟକ,୧୯/୧୦: ପାରିବାରିକ କହଳର କରୁଣ ପରିଣତି । ବିଷ ଦେଇ ଗାଁ ଦାଣ୍ଡରେ ମାରିଦେଲେ ଭାଇ ଏବଂ ଗ୍ରାମବାସୀ । ମୃତକ ହେଉଛନ୍ତି ବରୀ ଆନନ୍ଦପୁର ଅଞ୍ଚଳର ସନ୍ତୋଷ ମଲ୍ଲିକ । ଯାଜପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ବରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ବରୀ ଆନନ୍ଦପୁର ଅଞ୍ଚଳର ସନ୍ତୋଷ ମଲ୍ଲିକଙ୍କୁ ପାରିବାରିକ ହିଂସା ପାଇଁ ନିଜ ଭାଇ ଏବଂ ଗାଁ ଲୋକେ ମିଶି ବିଷ ଦେଇ ମାରିଦେଇଥିବା ଅଭିଯୋଗ କରିଛନ୍ତି ସନ୍ତୋଷଙ୍କ ପତ୍ନୀ ବନ୍ଦନା ଓ ଝିଅ କାଜଲ ମଲ୍ଲିକ । ଅନ୍ୟପଟେ ଶନିବାର ଗୁରୁତର ଅବସ୍ଥାରେ ସନ୍ତୋଷଙ୍କୁ ବରୀରୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ଅଣାଯାଇଥିଲା । SCBରେ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ଘଟିଛି । ତେବେ ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
କେବଳ ସେତିକି ନୁହେଁ ସନ୍ତୋଷଙ୍କ ଝିଅ କାଜଲଙ୍କ କହିବା ଅନୁଯାୟୀ, ଯେତେବେଳେ ଏଘଟଣାକୁ ନେଇ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ, ଥାନା ତରଫରୁ କୌଣସି ପ୍ରତିକ୍ରିୟା ନ ମିଳିନଥିଲା । ଏହାବ୍ୟତୀତ ଯଦି ପୁଲିସକୁ ଅଭିଯୋଗ କରନ୍ତି ତେବେ ପୁରା ପରିବାରକୁ ମାରି ଦେବାକୁ ଧମକ ଦେଇଛନ୍ତି । ତେଣୁ ସେମାନେ ବାଧ୍ୟ ହୋଇ ନ୍ୟାୟ ପାଇଁ ଆଜି ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ଏବଂ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ।