ଭଦ୍ରକ,୨୬/୧୨: ଚାନ୍ଦବାଲିରେ ପୁଣି ଲଜ୍ଜା। ଦୁଷ୍କର୍ମ ଉଦ୍ୟମ ଶିକାର ପରେ ବିଷ ପିଇଦେଲେ ଯୁବତୀ। ଭଦ୍ରକ ଜିଲ୍ଲା ଧାମରା ପଞ୍ଚାୟତ ନରସିଂହପୁର ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୀଡ଼ିତା ଯୁବତୀଙ୍କୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ସୂଚନା ମିଳିଛି।
ସୂଚନା ମୁତାବକ, କିଛି ଦିନ ତଳେ ପଡୋଶୀ ଘରର ଯୁବକ ସମ୍ପୃକ୍ତ ଯୁବତୀଙ୍କ ଘରକୁ ଯାଇଥିଲା। ଘରେ କେହି ନଥିବାର ସୁଯୋଗ ପାଇଁ ଯୁବକ ଜଣକ ଦୁଷ୍କର୍ମ କରିଥିଲା । ଲୋକଲଜ୍ଜା ତଥା ମାନଲିକ ସନ୍ତୁଳନ ହରାଇ ଯୁବତୀ ଜଣକ ବିଷ ପିଇ ଦେଇଥିଲେ ।ଏନେଇ ତାଙ୍କୁ ଧାମରା ପ୍ରଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଗତକାଲି ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୀଡିତା ମାଆଙ୍କ ଏତଲାକ୍ରମେ ଧାମରା ଥାନା କେସ୍ ନମ୍ୱର ୫୬ ୨୫ ରେ ମାମଲା ରୁଜୁ କରି ପୁଲିସ ଗତକାଲି ବିଳମ୍ୱିତ ରାତିରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ।
ପ୍ରକାଶ ଥାଉକି, ଗତ କିଛିଦିନ ପୂର୍ବରୁ ଚାନ୍ଦବାଲିରେ ଏନ୍ଏସି ଅଧୀନ ଏକ ଗାଁରେ ତୃତୀୟ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ମଙ୍ଗଳବାର ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରୁ ଉଲଗ୍ନ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା l