ପୁରୀ, ୨୧।୪ : ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ ଦେଇ ବନ୍ଧା ହେଲା ଅଭିଯୁକ୍ତ। ବିଭିନ୍ନ ମନ୍ଦିର ଓ ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଧମକପୂର୍ଣ୍ଣ ମେସେଜ ଦେବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ପୁରୀ ମଙ୍ଗଳା ଘାଟ ଅଞ୍ଚଳର ପ୍ରତୀକ ମିଶ୍ର। ପୁରୀ ଏସପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି।

ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ଗତ କିଛିଦିନ ଧରି ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ପୁରୀରେ ଥିବା ମନ୍ଦିର ଗୁଡ଼ିକୁ ବିଭିନ୍ନ ନମ୍ବରରୁ ଧମକପୂର୍ଣ୍ଣ ମେସେଜ ଆସୁଥିଲା। ଏନେଇ ବିଭିନ୍ନ ଥାନାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ପ୍ରତୀକ ମିଶ୍ର କୁ ଅନୁଗୁଳ ରୁ ଗିରଫ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତ ଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ୍ ଜବତ କରିଛି। ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ଜଣକ ବିଭିନ୍ନ ପ୍ରକାର ସିମ୍ କାର୍ଡ ବ୍ୟବହାର କରୁଥିଲା। ଜଣେ ମହିଳାଙ୍କ ସହିତ ଅଭିଯୁକ୍ତ ଜଣକ ସମ୍ପର୍କ ରଖିଥିବା ବେଳେ ତାଙ୍କୁ ଫସାଇବା ପାଇଁ ଏଭଳି କାର୍ଯ୍ୟ କରୁଥିବା ପୋଲିସ କହିଛି। ତେବେ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତରେ ବୋମା ପଡ଼ିବ ଏବଂ ରାଜ୍ୟସଭା ସାଂସଦ ଙ୍କୁ ଧମକ ଦେବା ଅଭିଯୋଗରେ ଜେଲ୍ ଯାଇଥିଲା ଅଭିଯୁକ୍ତ।