ନୟାଗଡ଼, ୨୩/୧୧ : ଗାଁ ଦାଣ୍ଡରେ ପିଟି ପିଟି ଯୁବକଙ୍କୁ ହତ୍ୟା। ପାରିବାରିକ କଳହରୁ କରୁଣ ପରିଣତି। ପିଉସୀ ପୁଅ ଭାଇ ଓ ତାଙ୍କ ପରିବାର ମାରିଥିବା ସନ୍ଦେହ। ତଦନ୍ତ କରୁଛି ପୁଲିସ।

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଜଣେ ଯୁବକକୁ ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରାଯାଇଛି। ନୟାଗଡ଼ ଟାଉନ ଥାନା ବୃନ୍ଦାବନପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ବୃନ୍ଦାବନପୁରର କୈଳାସ ମାଝୀଙ୍କ ମଝିଆ ପୁଇ ପିଣ୍ଟୁ ମାଝୀ (୨୭) ।

ଘଟଣାରୁ ପ୍ରକାଶ ଯେ, କୈଳାସ ମାଝୀଙ୍କ ଠାରୁ ତାଙ୍କ ଭଉଣୀ ସଂଜୁ ପରିଡ଼ାଙ୍କ ଘର ମାତ୍ର ତିନି ଘର ବ୍ୟବଧାନରେ ରହିଛି । ଇଟାମାଟି ଥାନା ନାଟୁଗାଁରୁ ଆସି ସଂଜୁଙ୍କ ପରିବାର ଏଠାରେ ପ୍ରାୟ ୨୫ ବର୍ଷ ହେଲା ରହିଆସୁଛନ୍ତି । ତେବେ କୌଣସି କାରଣରୁ ଉଭୟ ପରିବାର ମଧ୍ୟରେ ପ୍ରାୟ ୫ ବର୍ଷ ହେବ ବିବାଦ ଲାଗି ରହିଛି। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ କୈଳାଶଙ୍କ ପୁଅ ପିଣ୍ଟୁଙ୍କୁ ପିଉସୀ ପୁଅ ଭାଇ ଓ ପରିବାର ଲୋକ ଗାଁ ଦାଣ୍ଡରେ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ୍ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଁ ଦାଣ୍ଡରେ ପଡିଥିବା ପିଣ୍ଟୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିବା ପରେ ଶବକୁ ଶବବ୍ୟବଚ୍ଛେଦ ଘରେ ରଖାଯାଇଛି । ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।