ବୀରମିତ୍ରପୁର​​​​​​​, ୨/୯ : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ଭାବେ ହତ୍ୟା। ରାସ୍ତାରେ ମୃତଦେହ ଫିଙ୍ଗିଦେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ୧୪୩ନଂ ଜାତୀୟ ରାଜପଥ କଡ଼ ଲାହକୋଠୀ ନିକଟରୁ ମୃତଦେହ ଉଦ୍ଧାର ହୋଇଛି। ବୀରମିତ୍ରପୁର ପୁଲିସ ଏନେଇ ଅଧିକ ତଦନ୍ତ ଚଳାଇଛି।

ସୂଚନାନୁଯାୟୀ, ବୀରମିତ୍ରପୁର ୧୪୩ନଂ ଜାତୀୟ ରାଜପଥ କଡ଼ ଲାହକୋଠୀ ନିକଟରେ ଏକ ରକ୍ତାକ୍ତ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବୀରମିତ୍ରପୁର ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଜଣାପଡ଼ୁଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ସେ ବୀରମିତ୍ରପୁର ନା ଝାଡ଼ଖଣ୍ଡ ଅଞ୍ଚଳର ତାହା ବି ଜଣାପଡ଼ି ନାହିଁ। ଗତକାଲି ରାତିରେ ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।