ଛତିଶଗଡ଼, ୨୫।୩: ପ୍ରେମ ପାଇଁ ପାଗଳାମିର ସୀମା ଟପିଲେ ଯୁବକ । ନିଜ ଜିଦ୍ ପୂରଣ କରିବା ପାଇଁ ଶେଷରେ ମୋବାଇଲ୍ ଟାୱାର ଉପରେ ଚଢ଼ିଗଲେ । ଦୀର୍ଘ ୪ ଘଣ୍ଟା ଧରି ଚାଲିଲା ହାଇଡ୍ରାମା । ଘଟଣାଟି ଘଟିଛି ଛତିଶଗଡ଼ର ଅମ୍ବିକାପୁର ଅନ୍ତର୍ଗତ ଲୁଣ୍ଡ୍ରା ଅଞ୍ଚଳରେ । ସୂଚନା ଅନୁଯାୟୀ, ଗତକାଲି ହଠାତ୍ ଜଣେ ଲୋକଙ୍କ ନଜର ଆକାଶ ଆଡ଼କୁ ଯାଇଥିଲା । ପ୍ରାୟ ୪୦ ଫୁଟ ଉଚ୍ଚ ଏକ ମୋବାଇଲ୍ ଟାୱାର ଶୀର୍ଷରେ ବସିଥିଲେ ଜଣେ ଯୁବକ । ସେହି ଯୁବକ ଜଣକ ହେଉଛନ୍ତି ୨୭ ବର୍ଷୀୟ ଯୋଗେଶ ଯାଦବ । ଟାୱାର ଉପରୁ ସେ ଚିତ୍କାର କରି କହୁଥିଲେ- “ଯଦି ମୋର ପସନ୍ଦର ଝିଅ ସହ ମୋ ବାହାଘର ନହୁଏ, ତାହେଲେ ମୁଁ ଏଇଠୁ ଡେଇଁ ଆତ୍ମହତ୍ୟା କରିବି ।”

ଏହା ବି ପଢ଼ନ୍ତୁ... ହରିୟାଣାରେ ବଡ଼ ବ୍ୟାଙ୍କ ଘୋଟାଲା: ନଗର ନିଗମ ଖାତାରୁ ୧୬୦ କୋଟି ଗାଏବ୍, ଜାଲ୍ ଏଫଡି ଦେଇ ଲୁଟିନେଲେ ବ୍ୟାଙ୍କ କର୍ମଚାରୀ !

ଏହି ଦୃଶ୍ୟ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଦେଖଣାହାରୀଙ୍କ ଭିଡ଼ ଜମିବା ସହ କିଛି ଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରିଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ଲୁଣ୍ଡ୍ରା ପୁଲିସ ପହଞ୍ଚିଥିଲା । ପୁଲିସ ଯୁବକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ନିଜ ଜିଦ୍ରେ ଅଟଳ ଥିଲେ । ଶେଷରେ ଯୋଗେଶଙ୍କ ପରିବାର ଲୋକଙ୍କୁ ଡକାଯାଇଥିଲା । ବାପା-ମା’ ଏବଂ ସମ୍ପର୍କୀୟମାନେ ଝିଅ ସହ ବାହାଘର କରାଇଦେବାର ପ୍ରତିଶ୍ରୁତି ଦେବା ପରେ ଯୋଗେଶ ଟାୱାର ତଳକୁ ଓହ୍ଲାଇଥିଲେ । ଯୁବକ ଜଣକ ତଳକୁ ଆସିବା ପରେ ସମସ୍ତେ ଆଶ୍ୱସ୍ତି ଅନୁଭବ କରିଥିଲେ ।

ପ୍ରେମ ନୁହେଁ, ଏହା ଥିଲା ଏକତରଫା ପାଗଳାମି !

ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ଝିଅ ପାଇଁ ଯୋଗେଶ ଏତେ ବଡ଼ କାଣ୍ଡ ଭିଆଇଲେ, ସେହି ଝିଅ ତାଙ୍କୁ ସଫା ସଫା ମନା କରିଦେଇଥିଲେ । କେବଳ ସେତିକି ନୁହେଁ, ଯୁବତୀ ଜଣକ ପୂର୍ବରୁ ଯୋଗେଶଙ୍କ ନାଁରେ ପୁଲିସରେ ଅଭିଯୋଗ ମଧ୍ୟ କରିଥିଲେ ଯେ ସେ ତାଙ୍କୁ ହଇରାଣ କରିବା ସହ ଅସଦାଚରଣ କରୁଛନ୍ତି । ଥାନା ଅଧିକାରୀ ପ୍ରଦୀପ ଜୈସୱାଲଙ୍କ କହିବା ଅନୁସାରେ, ଯୁବତୀଙ୍କ ଅଭିଯୋଗ ଆଧାରରେ ପୁଲିସ ଯୋଗେଶଙ୍କୁ ତୁରନ୍ତ ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ସେଠାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି । ନିଜର ଜିଦ୍ ପାଇଁ ମହିଳାଙ୍କୁ ହଇରାଣ କରିବା ଯୋଗେଶଙ୍କୁ ମହଙ୍ଗା ପଡ଼ିଛି ।