ଭୁବନେଶ୍ୱର,୧୭/୦୧: ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇ ମୋହନ ସରକାର କ୍ଷମତାକୁ ଆସିଲେ, ତାହାକୁ ପୂରଣ କରି ପାରୁନାହାନ୍ତି । ଗତ ୭ ମାସରେ  ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ସେହିପରି ଦଳିତ, ଆଦିବାସୀ,  ମୁସଲମାନ ଓ ଖ୍ରୀଷ୍ଟିଆନମାନଙ୍କ ଉପରେ ଅତ୍ୟାଚାର ବଢ଼ିଛି । ଖଣି ଲୁଟ୍‌ ଆରମ୍ଭ  ହୋଇଥିବା ବେଳେ ପ୍ରତିଶ୍ରୁତି ଅନୁଯାୟୀ ତୁରନ୍ତ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେବାରେ  ସରକାର ଫେଲ୍‌ ମାରିଛନ୍ତି । ଦରଦାମ ହୁ ହୁ ହୋଇ ବଢ଼ି ଚାଲିଛି । 

କହିଥିଲେ ସରକାର ହେବାର ମାସକ ମଧ୍ୟରେ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଦେବୁ, ତାହା ବି କରିପାରିଲେନି ।  ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କଲାଣି । ଏହି  ସବୁ ୮ଟି ଦାବି ପୂରଣ ପାଇଁ  ଯୁବ କଂଗ୍ରେସ ଆସନ୍ତା ୨୦  ତାରିଖରେ ମାଷ୍ଟରକ୍ୟାଣ୍ଟିନ  ଛକରେ ଜନ ଅସନ୍ତୋଷ  ସମାବେଶ କରିବ । ଏହାପରେ ସେହିଦିନ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ  ଘେରିବ ବୋଲି ଯୁବ କଂଗ୍ରେସ ନେତା ରଞ୍ଜିତ ପାତ୍ର କହିଛନ୍ତି । 

ଏକ ସାମ୍ବାଦିକ  ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି, ଯୁବ କଂଗ୍ରେସ ଏହି ସମାବେଶକୁ ବ୍ୟାପକ କରିବ ।  ଏଥିରେ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍‌ ଯୋଗ ଦେବେ । ଅଖିଳ  ଭାରତ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅଜିତ୍‌ ସିଂ କହିଲେ, ମୋହନ  ସରକାର ଏକ ଜନ ବିରୋଧୀ ସରକାର । ତେଣୁ ଲୋକଙ୍କ ଅସନ୍ତୋଷକୁ ନେଇ ଯୁବ  କଂଗ୍ରେସ ବିକ୍ଷୋଭ କରିବ । ପୂର୍ବତନ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ,  ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ସୁଦୀପ  ସାମଲ, ଅଜୟ ସାହୁ, ମହମ୍ମଦ ପରଭେଜ, ସଙ୍କୁନା କଅଁର ପ୍ରମୁଖ ଉପସ୍ଥିତ ଥିଲେ।