ଆସିକା,୧୫।୪ : ଆସିକା କୋଟିନଡ଼ା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଓଡ଼ିଆ ନବ ବର୍ଷ ବା ପଣା ସଂକ୍ରାନ୍ତିରେ ଜଣେ ସୁରତ ଫେରନ୍ତାଙ୍କୁ ଛୁରା ମାଡ କରି ହତ୍ୟା କରାଯାଇଛି l ଯୁବକ ଜଣଙ୍କ ସେହି ଗ୍ରାମର ଶିବ ନାହାକ । ପୁଲିସ ଏହି ଘଟଣାରେ ଜଣକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି।

ଶିବ ନାହାକ ମେରୁ ଯାତ୍ରା ପାଇଁ ଗୋଟିଏ ଦିନ ଆଗରୁ ସୁରତରୁ ଗାଁ କୁ ଫେରିଥିଲେ l ମେରୁସରିବା ପରେ ସେହି ଦିନ ସନ୍ଧ୍ୟାରେ ଭେଟନଇ ନିକଟସ୍ଥ ଏକ ମଦ ଦୋକାନକୁ ମଦ ପିଇବାକୁ ଯାଇଥିଲେ l ସେ ସମୟରେ ପୂର୍ବ ଶତ୍ରୁତାକୁ ନେଇ ଧନୁ ମହାନ୍ତି ସହ ତାଙ୍କର ବଚସା ହୋଇଥିଲା l ବଚସା ପରେ ଧନୁ ମହାନ୍ତି ଓ ତାଙ୍କର ଦୁଇ ସହଯୋଗୀ ମିଳିତ ଭାବେ ଶିବନାହାକଙ୍କୁ ଭେଟନଈ ମିଲ ନିକଟସ୍ଥ ବଡ ତୋଟା ଠାରେ ଆକ୍ରମଣ କରିବା ସହ ଛୁରା ମାଡ଼ କରିଥିଲେ l ଗୁରୁତର ଅବସ୍ଥାରେ ଶିବକୁ ତାଙ୍କ ପରିବାର ଲୋକେ ଉଦ୍ଧାର କରି ଆସିକା ମେଡିକାଲକୁ ଆଣିଥିବା ବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ଆସିକା ଏସଡିପିଓ ସନ୍ତୋଷ ଜେନା ଓ କୋଟିନଡା ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିଲେ l ଏହି ହତ୍ୟା କାଣ୍ଡ ଘଟଣାରେ ପୋଲିସ ମୁଖ୍ୟ ଅଭିଯୁ୍କ୍ତ ଧନୁ ମହାନ୍ତିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ସହଯୋଗୀ ଫେରାର ଅଛନ୍ତି l ତଦନ୍ତ ବେଳେ ପୋଲିସ ହାତରେ ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ଲାଗିଛି l ପୋଲିସ ଘଟଣାର ଅଧିକ ଯାଞ୍ଚ କରୁଛି l