ଖଲ୍ଲିକୋଟ, ୨୦/୧୦: ଦୀପାବଳି ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳରେ ବଡ଼ ଅଘଟଣ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କଇଠଡ଼ା ଗାଁରେ ଦୀପାବଳି ପାଇଁ ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ । ଭୟଙ୍କର ବ୍ଲାଷ୍ଟରେ ଛିଣ୍ଡିଗଲା ଯୁବକଙ୍କ ହାତ ଓ ଗୋଡ । ମେଡିକାଲ ଯିବାବେଳେ ଚାଲିଗଲା ଜୀବନ । ମୃତ ଯୁବକ ଜଣଙ୍କ କଇଠଡ଼ା ଗ୍ରାମର ୨୭ ବର୍ଷିୟ ପିଣ୍ଟୁ ପଲେଇ ।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତି ପ୍ରାୟ ୧ଟା ହେବ କୈଠଡା ଗାଁର ପୁଅ ପିଣ୍ଟୁ ପଲେଇ ନିଜ ଘରେ ଦୀପାବଳି ପାଇଁ ବାଣ ଭିଡୁ ଥିଲେ । ଏହି ସମୟରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଯାହା ଫଳରେ ପିଣ୍ଟୁଙ୍କ ଡାହାଣ ହାତ କହୁଣୀରୁ ଏବଂ ଡାହାଣ ଗୋଡ ଆଣ୍ଠୁ ଠାରୁ ସମ୍ପୂର୍ଣ୍ଣ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ସିଡି ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଟିଣ ଛପର ଉଡି ଯାଇଥିଲା ଏବଂ କାନ୍ଥଗୁଡିକ ମଧ୍ୟ ଭୁଶୁ ପଡିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ତଳ ଘରର ମଧ୍ୟ କବାଟ, ଦୁଆର ବନ୍ଧ ଭାଙ୍ଗି ଯାଇଥିବା ବେଳେ କାନ୍ଥ ଗୁଡିକରେ ଫାଟ ସୃଷ୍ଟି ହୋଇଛି। ତଳ ଘରେ ଥିବା ଫ୍ରିଜଟି ମଧ୍ୟ ବିସ୍ଫୋରଣରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ସିଡି ରୁମରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକ ଜଣଙ୍କ ପଡ଼ି ରହିଥିବା ବେଳେ ଖବର ପାଇ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ପୁଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଛନ୍ତି । କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ପୁଲିସ ବିସ୍ଫୋରଣ ସ୍ଥାନରେ ଛାନଭିନ୍ କରିଛି । ମୃତ ପିଣ୍ଟୁ ବିବାହିତ ଏବଂ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଝିଅ ରହିଥିବା ଜଣାପଡ଼ିଛି ।