ନୂଆଦିଲ୍ଲୀ,୧୯/୦୯:  ଆମେରିକାର କାଲିଫର୍ନିଆରେ ଜଣେ ଭାରତୀୟ ଇଞ୍ଜିନିୟରଙ୍କୁ ପୁଲିସ ଗୁଳି କରିଛି । ତେଲେଙ୍ଗାନାର ମହମ୍ମଦ ନିଜାମୁଦ୍ଦିନ ନାମକ ଯୁବକ ବ୍ୟକ୍ତିଙ୍କୁ ଆମେରିକା ପୁଲିସ ଗୁଳି କରିଥିବା ସୂଚନା ମିଳିଛି । ତାଙ୍କ ରୁମମେଟ୍ ସହିତ ବିବାଦ ଥିବା ଜଣାପଡ଼ିଛି । ତେଲେଙ୍ଗାନାରେ ଥିବା ନିଜାମୁଦ୍ଦିନଙ୍କ ପରିବାର ତାଙ୍କ ମୃତଦେହ ଆଣିବାକୁ ସହାୟତା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଆବେଦନ କରିଛନ୍ତି । ମହମ୍ମଦ ନିଜାମୁଦ୍ଦିନଙ୍କ ବାପା କହିଛନ୍ତି ଯେ, ତାଙ୍କ ପୁଅ ଏବଂ ରୁମମେଟ୍ ମଧ୍ୟରେ ଏକ ଛୋଟ କଥାକୁ ନେଇ ଝଗଡ଼ା ହେବା ପରେ ପୁଲିସ ତାଙ୍କୁ ଗୁଳି କରିଛି ।

୩୦ ବର୍ଷୀୟ ମହମ୍ମଦ ନିଜାମୁଦ୍ଦିନ ଉଚ୍ଚଶିକ୍ଷା ପାଇଁ ୨୦୧୬ରେ ଆମେରିକା ଯାତ୍ରା କରିଥିଲେ । ଫ୍ଲୋରିଡାରୁ କମ୍ପ୍ୟୁଟର ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରବର୍ତ୍ତୀ ସମୟରେ ସେ କାଲିଫର୍ଣ୍ଣିଆର ଏକ କମ୍ପାନୀରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ଏକ ଲିଙ୍କଡିନ୍ ପୋଷ୍ଟରେ ନିଜାମୁଦ୍ଦିନ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଭୁଲ ଉପାୟରେ ଚାକିରିରୁ ବାହାର କରାଯାଇଛି ଏବଂ ତାଙ୍କ ଦରମାରେ ଠକେଇ କରାଯାଇଛି । ଏହା ବ୍ୟତୀତ, ନିଜାମୁଦ୍ଦିନ ଜାତିଗତ ଉତ୍ପୀଡ଼ନର ଶିକାର ହୋଇଥିବା ନେଇ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ନିଜାମୁଦ୍ଦିନଙ୍କୁ ୪ ରାଉଣ୍ଡ ଗୁଳି- ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିଜାମୁଦ୍ଦିନଙ୍କୁ ୪ ରାଉଣ୍ଡ ଗୁଳି କରିଛି ଆମେରିକା ପୁଲିସ । ସାଣ୍ଟା କ୍ଲାରା ପୁଲିସର ବିବୃତ୍ତି ଅନୁଯାୟୀ, ଏକ ଛୁରାମାଡ଼ ସମ୍ପର୍କରେ ୯୧୧ କଲ୍ ଆସିଥିଲା । ପୁଲିସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଯେତେବେଳେ ସେମାନେ ପହଞ୍ଚିଲେ, ଜଣେ ବ୍ୟକ୍ତି ଛୁରୀ ଧରି ଠିଆ ହୋଇଥିଲେ । ଯେତେବେଳେ ସେ କଥା ମାନିବାକୁ ମନା କଲେ, ତାଙ୍କୁ ଗୁଳି କରାଯାଇଥିଲା । ବ୍ୟକ୍ତିଙ୍କ ରୁମମେଟ୍ ଶୋଇଥିଲେ ଏବଂ ତାଙ୍କ ଶରୀରରେ କ୍ଷତ ଦେଖିବାକୁ ମିଳିଥିଲା । ଘଟଣାଟି ସେପ୍ଟେମ୍ବର ୩ରେ ଘଟିଥିଲା ।

ବୈଦେଶିକ ମନ୍ତ୍ରଣାଳୟର ସାହାଯ୍ୟ ଲୋଡ଼ିଲେ ପରିବାର-  ନିଜାମୁଦ୍ଦିନଙ୍କ ବାପା ମହମ୍ମଦ ହସନୁଦ୍ଦିନ ତାଙ୍କ ପୁଅର ଜଣେ ବନ୍ଧୁଙ୍କଠାରୁ ସୂଚନା ପାଇଥିଲେ । ଘଟଣାଟି ସେପ୍ଟେମ୍ବର ୩ ତାରିଖରେ ଘଟିଥିଲା, ସେହି ଦିନ ପ୍ରକୃତରେ କ'ଣ ଘଟିଥିଲା ​​ତାହା ସ୍ପଷ୍ଟ ହୋଇନାହିଁ । ନିଜାମୁଦ୍ଦିନଙ୍କ ବାପା ଏବଂ ଅନ୍ୟ ସମ୍ପର୍କୀୟଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ପୁଅର ମୃତଦେହକୁ ଭାରତ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ଘଟଣାକୁ ଗୁରୁତର ସହିତ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ।