କୋକସରା,୨୩। ୨ : ରଖେ ହରି ତ ମାରେ କିଏ ଏହା ଦେଖିବାକୁ ମିଳିଛି ଆଜି କୋକସରାରେ । ଏକ ବାଇକକୁ ଟ୍ରକ ଧକ୍କା ଦେବା ପରେ ବାଇକ ଆରୋହୀ ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ। ତେବେ ଦୀର୍ଘ ସମୟ ପରେ ସ୍ଥାନୀୟ ଯୁବକ ଓ ଦମକଳ କର୍ମଚାରୀ ମାନେ ଟ୍ରକ ତଳେ ଚାପି ହୋଇଥିବା ଯୁବକକୁ ଉଦ୍ଧାର କରିଥିଲେ। ତେବେ ସୌଭାଗ୍ୟ ବଶତଃ ଗୁରୁତର ଯୁବକ ଙ୍କ ଜୀବନ ରକ୍ଷା ପାଇଯାଇଛି।

ସୋମବାର ଜାତୀୟ ରାଜପଥ ୨୬ କୋକସରା ଗ୍ରାମ ନିକଟରେ ସନ୍ଧ୍ୟାରେ ଏକ ପାଇପ ବୋଝେଇ ଟ୍ରକ ସାମ୍ନା ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଵାରୁ ବାଇକ ଚାଳକ ଟ୍ରକ ତଳେ ଚାପି ହୋଇ ଯାଇଥିଲେ। ବାଇକ ପଛ ରେ ବସିଥିବା ଅନ୍ୟଜଣେ ଛିଟିକି ପଡ଼ିଥିଲେ। ତେବେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଯୁବକଙ୍କ ସମେତ ଦମକଳ କର୍ମଚାରୀ ,ପୋଲିସ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରକରୁ ଚାପି ହୋଇଥିବା ଯୁବକକୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ଯୁବକ ହେଲେ ଛିଲିପା ମାଲ ଗ୍ରାମର ଚିନୁ ନାଗ (୨୦) ଓ ତାଙ୍କ ସହିତ ଥିବା ତାଙ୍କ ସମ୍ପର୍କୀୟ ଭେଣୋଇ ଚିଲିଗୁଡା ଗ୍ରାମ ର ଉପେନ୍ଦ୍ର ହଂସ ବୋଳି ଜଣାପଡିଛି। କୋକସରା ପୋଲିସ ଦୁର୍ଘଟଣା ଟ୍ରକ ଓ ବାଇକ କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି। ତେବେ ଦୁର୍ଘଟଣା ଗ୍ରସ୍ତ ଯୁବକ ସୁରକ୍ଷିତ ଥିବା ଜଣାପଡିଛି।