ଗାଜିଆବାଦ –ଉତ୍ତର ପ୍ରଦେଶର ଗାଜିଆବାଦରେ ଶୁକ୍ରବାର ସକାଳେ ୟୁଟ୍ୟୁବର ସଲିମ ବାସ୍ତିକଙ୍କ ଉପରେ ହୋଇଥିବା ପ୍ରାଣଘାତୀ ଆକ୍ରମଣ ମାମଲାରେ, ପୁଲିସ ଏଫଆଇଆର ରୁଜୁ କରିଛି। ତାଙ୍କ ପୁଅର ଅଭିଯୋଗ ଆଧାରରେ ଏହି ମାମଲାରେ ଜଣେ ବିଲ୍ଡର , ଦିଲ୍ଲୀ ନିବାସୀ ଏଆଇଏମଆଇଏମ୍ ନେତା ସମେତ ମୋଟ ପାଞ୍ଚ ଜଣ ଲୋକଙ୍କୁ ନାମ ଉଲ୍ଲେଖ କରାଯାଇଛି। ପୁଲିସ ଅଭିଯୁକ୍ତଙ୍କ ତଲାସରେ ଚଢାଉ ଆରମ୍ଭ କରି ଦେଇଛି। ଏହି ମଧ୍ୟରେ , ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉକ୍ତ ମାମଲା ବିଷୟରେ ଅବଗତ ହୋଇ କଡ଼ା କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍ କହିଛନ୍ତି ଯେ, ୟୁପିରେ ଆତଙ୍କର କୌଣସି ସ୍ଥାନ ନାହିଁ। ଆଇନ ବ୍ୟବସ୍ଥା ସହ ଖେଳ ଖେଳୁଥିବା ଲୋକଙ୍କୁ ଛାଡ଼ି ଦିଆଯିବ ନାହିଁ।

ଉଲ୍ଲେଖନୀୟ ଯେ, ସଲିମ ବାସ୍ତବିକ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ ଚଲାନ୍ତି। ଏଥିରେ ସେ ନିଜକୁ ଏକ୍ସ ମୁସଲିମ୍ କହି ମୁସଲିମ୍ ସମାଜର କୁକର୍ମ, କୋରାନ, ଧର୍ମ, ମୁସଲିମ ଶିକ୍ଷା ଉପରେଖୋଲାଖୋଲି ନିଜର ବିବୃତ୍ତି ଦିଅନ୍ତି। ଏଥିପାଇଁ ତାଙ୍କୁ ମୁସଲିମ କଠୋରପନ୍ଥୀଙ୍କ ଠାରୁ ପୂର୍ବରୁ ଧମକ ମିଳୁ ଥିବାର କଥା ସାମ୍ନାକୁ ଆସିଛି।

ସଲିମ୍ ବାସ୍ତିକ ଲୋନିର ଅଲ୍ୱି ନଗରରେ ରୁହନ୍ତି। ଅଲୀ ଗାର୍ଡନ କାଲୋନି ସ୍ଥିତ ତାଙ୍କର କାର୍ଯ୍ୟାଳୟରେ ବାଇକ୍ରେ ଦୁଇ ଆକ୍ରମଣକାରୀ ଆସିଥିଲେ ଏବଂ ତାଙ୍କ ଗଳା କାଟିବା ସହ ତାଙ୍କ ପେଟକୁ ଛୁରୀରେ ଭୁଷି ଦେଇ ଥିଲେ। ଉକ୍ତ ଘଟଣା ପରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଗୁରୁତର ସଲିମଙ୍କୁ ଦିଲ୍ଲୀର ଗୁରୁ ତେଗ ବହାଦୂର (ଜିଟିବି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ତାଙ୍କ ବେକରେ ହୋଇଥିବା ଗଭୀର କ୍ଷତର ଅପରେସନ କରିଛନ୍ତି। ପରିବାର ଲୋକଙ୍କ ମୁତାବିକ , ଡାକ୍ତର ଶନିବାର ପେଟର ଅପରେସନ କରିବେ। ସଲିମଙ୍କ ସ୍ଥିତି ଏବେ ଖୁବ୍ ସଙ୍ଗିନ ହୋଇ ରହିଛି।

ଉକ୍ତ ମାମଲା ଏବେ ନୂଆ ମୋଡ ନେଇଛି। ସଲିମଙ୍କ ପୁଅ ଇସ୍ମାନ ଭାଟି ବିଲ୍ଡର, ଏଆଇଏମଆଇଏମ୍ ନେତା ଅଜଗର, ଅଶରଫ , ଶାହରୁଖ ଓ ସୋନୁଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ସବୁ ଅଭିଯୁକ୍ତଙ୍କ ବିରୋଧରେ ମୋକଦମା ରୁଜୁ କରି ନେଇଛି ଏବଂ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରି ଦେଇଛି।