ଭୁବନେଶ୍ୱର, ୩୧।୧୨: ଘଣ୍ଟା କଣ୍ଟା ମିନିଟ୍ କଣ୍ଟା ଆଉ କେଇ ମୁହୂର୍ତ୍ତକୁ ଅପେକ୍ଷା କରି ରହିଛନ୍ତି । ରାତି ପାହିଲେ ବଦଳିଯିବ ତାରିଖ । କ୍ୟାଲେଣ୍ଡରରେ ଯୋଡ଼ି ହେବ ଆଉ ଏକ ନୂଆ ବର୍ଷ ଓ ନୂଆ ଅଧ୍ୟାୟ । ନୂଆବର୍ଷର ନୂଆ ସକାଳ ଆରମ୍ଭ ଗୁରୁବାର ପଡ଼ୁଥିବାରୁ ଏହି ଦିନ ମନ୍ଦିର ଯାଇ ଦିନର ଆରମ୍ଭ କରାଯିବ । ହେଲେ ପୁରୁଣା ବର୍ଷର ଶେଷ ରାତି ଅର୍ଥାତ୍ ବୁଧବାରକୁ ଯୁବପିଢ଼ିଠାରୁ ଆରମ୍ଭ କରି ସାରା ରାଜଧାନୀବାସୀ କରିବେ ରଙ୍ଗୀନ । ସେଥିପାଇଁ ସକାଳୁ ସନ୍ଧ୍ୟା ଯାଏ ପ୍ଲାନ ଏ, ବି, ସି ପୂରା ପ୍ରସ୍ତୁତ ହୋଇ ରହିଛି । ସକାଳୁ ଆମିଷ ଦୋକାନରେ ଲାଗିବ ଭିଡ଼ । ଭଲ ବାର ପଡ଼ୁଥିବାରୁ ଭୋଜିଭାତର ଆୟୋଜନ ବି ହୋଇଛି । ଜୟଦେବ ବାଟିକାରୁ ଆରମ୍ଭ କରି କୂଆଖାଇ ନଦୀ ପଠା ଯାଏ ପୂରା ପ୍ୟାକ୍ । ୨୦୨୬କୁ ସ୍ୱାଗତ କରିବା ଲାଗି ୨୬ ପ୍ରକାରର ଯୋଜନା ସରିଛି । ଭୋଜି ଭାତ ସାଙ୍ଗକୁ ସନ୍ଧ୍ୟାରେ ଚାଲିବ ସପିଂର ମଜା । ସପିଙ୍ଗ ମଲ୍‌ରେ ଅଫର୍ ବର୍ଷ ମଧ୍ୟ ହେଉଛି । ଏହି ସୁଯୋଗକୁ ହାତଛଡ଼ା ନକରି ଢେର୍ ସାରା ସପିଙ୍ଗ କରିବେ । ରାତି ୮ଟା ବେଳକୁ ଜିରୋ ନାଇଟ୍‌ର ମଜା ନେବେ । ଭୁବନେଶ୍ୱରରେ ଥିବା ବଡ଼ ବଡ଼ ହୋଟେଲ୍, ରୁଫ ଟପ୍ କାଫେ, ବିଭିନ୍ନ ପଡ଼ିଆ ସାଙ୍ଗକୁ ଛାତ ଉପର ଏବଂ ଆପାର୍ଟମେଣ୍ଟ ମାନଙ୍କରେ ଚାଲିବ ଭୋଜିଭାତ । ରାତିସାରା ଚାଲିବ କାର୍ଯ୍ୟକ୍ରମ । ନାଚଗୀତ ସାଙ୍ଗକୁ ହେବ ମଉଜମଜଲିସ୍ । କେଉଁଠି ଓଲିଉଡ ଅଭିନେତା, ଅଭିନେତ୍ରୀମାନଙ୍କୁ ଡକାଯିବ ତ ଆଉ କେଉଁ ବାହାରୁ ଆସିବେ ଡିଜେ ବ୍ରାଣ୍ଡ ।

କ୍ୟାଲେଣ୍ଡରରେ ଶୋଭାପାଇବ ୨୦୨୬:

ଆସୁଛି ନୂଆବର୍ଷ । ବିଦାୟ ନେବ ପୁରୁଣା ବର୍ଷ । ଆଉ କ୍ୟାଲେଣ୍ଡରେ ଶୋଭାପାଇବ ୨୦୨୬ । ଏଥିପାଇଁ ଆରମ୍ଭ ହୋଇଗଲାଣି ଅବଗଣନା । ନୂଆ ବର୍ଷକୁ କେମିତି କିଏ ପାଳିବେ, କିଏ କାହାକୁ କ’ଣ ଉପହାର ଦେବେ, କେଉଁଠି କିଏ ବୁଲିବେ ସେଥିପାଇଁ ସରିଲାଣି ଯୋଜନା । କିଏ ଗାଡ଼ି ବୁକ୍ କରୁଛନ୍ତି ତ କିଏ ଫିଲ୍ମ ଟିକେଟ ଆଉକିଏ ଭୋଜି ପାଇଁ ପିଣ୍ଡି । ଖାଲି ସେତିକି ନୁହେଁ ଜୀବନକୁ ନୂଆକରି ଗଢିବା ପାଇଁ ଅନେକେ ନୂଆ ପ୍ରତିଜ୍ଞା ମଧ୍ୟ ନେଉଛନ୍ତି । ସମ୍ପୂର୍ଣ୍ଣ ପରିବେଶ ସତେକି ବଦଳିଯାଇଛି ଏବଂ ସମସ୍ତେ ଯେମିତି ନୂଆବର୍ଷର ସଜବାଜରେ ଲାଗିପଡ଼ିଛନ୍ତି । ଆଉ ସେମାନଙ୍କ ମନଜାଣି ବଜାରକୁ ଆସିଛି ଭଳିକି ଭଳି ଫୁଲ, ମିଠା, କେକ୍, ଡାଏରୀ, କ୍ୟାଲେଣ୍ଡର...

ଭଲ ବ୍ୟବସାୟ ଆଶାରେ ଫୁଲ ବ୍ୟବସାୟୀ:

ନୂଆ ବର୍ଷ ଆସିବ । ନେତାମନ୍ତ୍ରୀଠୁ ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତେ କିଣିନେବେ ଫୁଲ ତୋଡ଼ା । ଏଇସବୁ କଥାକୁ ଭାବି ଫୁଲ ବ୍ୟବସାୟୀ ଆଣିଛନ୍ତି ନାନା କିସମର ଫୁଲ । ଫୁଲ ବ୍ୟବସାୟୀ ବିଭୂତି ଭୂଷଣ ସ୍ୱାଇଁ କୁହନ୍ତି, ଆମେ ବହୁପୂର୍ବରୁ କୋଲକାତା, ହାଇଦ୍ରାବାଦ୍ ଫୁଲ ମଗେଇଛୁ । ମୁଁ ନିଜେ ୩ ଲକ୍ଷ ଟଙ୍କାର ଫୁଲ ଆଣିଛି । ଫୁଲ ବ୍ୟବସାୟ ପାଇଁ ନୂଆ ବର୍ଷ ପୂର୍ବ ରାତି ତମାମ ଦୋକାନ ଖୋଲା ରହିବ ।

କଷ୍ଟମାଇଜଡ୍ କ୍ୟାଲେଣ୍ଡର:

ନୂଆବର୍ଷରେ ବଦଳିଯିବ ତାରିଖ, ବଦଳିବ କ୍ୟାଲେଣ୍ଡର । ଏହାକୁ ଲକ୍ଷ୍ୟକରି ବଜାରକୁ ଆସିଯାଇଛି ଭଳିକି ଭଳି ନୂଆ ଡିଜାଇନର କ୍ୟାଲେଣ୍ଡର । ଆଜିକାର ଅନଲାଇନ୍ ତଥା ଅତ୍ୟାଧୁନିକ ଯୁଗରେ ମଧ୍ୟ କ୍ୟାଲେଣ୍ଡର ତା’ର ଚାହିଦା ଅତୁଟ ରଖିଛି । ଚଳିତ ବର୍ଷ ଅଧିକ ଟ୍ରେଣ୍ଡ୍ରେ ରହିଛି କଷ୍ଟମାଇଜଡ୍ କ୍ୟାଲେଣ୍ଡର । ଯେଉଁଥିରେ ବ୍ୟକ୍ତିଗତ ଫଟୋଠାରୁ ଆରମ୍ଭ କରି ପ୍ରିୟଜନ, କାର୍ଯ୍ୟାଳୟ, ବ୍ୟବସାୟିକ କ୍ଷେତ୍ରର ଫଟୋ ଲଗାଇ ପାରୁଛନ୍ତି । ନିଜର ପସନ୍ଦ ଓ ଚାହିଦା ମୁତାବକ ଲୋକମାନେ ଏହାକୁ ପ୍ରସ୍ତୁତ କରୁଛନ୍ତି । କଷ୍ଟମାଇଜଡ୍ କ୍ୟାଲେଣ୍ଡର ପ୍ରସ୍ତୁତ କରୁଥିବା ଆଲୋକ କୁହନ୍ତି, ଏହି କ୍ୟାଲେଣ୍ଡରକୁ ଗ୍ରାହକମାନଙ୍କ ପସନ୍ଦ ମୁତାବକ ପ୍ରସ୍ତୁତ କରିବା ପାଇଁ ସମୟ ଲାଗିଥାଏ । ସେଥିପାଇଁ ଲୋକମାନେ ୧୫ ଦିନ ପୂର୍ବରୁ ଏହାର ବରାଦି ଦେଇଛନ୍ତି ।

କେକ୍‌ରେ ଉଡ଼ୁଛି ପ୍ରଜାପତି:

୧୨ଟା ପରେ କେକ୍ କାଟି ନୂଆବର୍ଷକୁ ସ୍ୱାଗତ କରାଯିବ । ସେଥିପାଇଁ ବିଭିନ୍ନ ରେସ୍ତୋରାଁ, ହୋଟେଲ ଓ ବେକରୀଗୁଡ଼ିକରେ ଭଳିକି ଭଳି କେକ୍ ଦେଖିବାକୁ ମିଳୁଛି । ଚଳିତବର୍ଷ ଅଧିକ ଚାହିଦାରେ ରହିଛି ବଟରଫ୍ଲାଇ(ପ୍ରଜାପତି) କେକ୍ । ଏହି କେକ୍‌ରେ ରଙ୍ଗିନ୍ ପ୍ରଜାପତି ଉଡ଼ୁଥିବାର ଦେଖାଯାଉଛି । ଏହା ଆକର୍ଷଣୀୟ ଦେଖାଯାଉଥିବାରୁ ଯୁବପିଢି ଅଧିକ ପସନ୍ଦ କରୁଛନ୍ତି । ଏହାବାଦ ଚକୋଲେଟ୍ କେକ୍, ଫ୍ରୁଟ୍ କେକ୍, ବ୍ଲାକ୍ ଫରେଷ୍ଟ, ପ୍ଲମ୍ କେକ୍, ଡ୍ରାଇ ଫ୍ରୁଟ୍ କେକ୍ ସହିତ ହାପି ନ୍ୟୁ ଇୟର ୨୦୨୬ ଲେଖାଯାଇଥିବା କେକ୍‌ର ଚାହିଦା ମଧ୍ୟ ଅଧିକ ରହିଛି । ଏହାର ମୂଲ୍ୟ ୨୫୦ରୁ ଆରମ୍ଭ କରି ୧୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଖାଲି ସେତିକି ନୁହେଁ ଅନେକ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତି ତଥା ମଧୁମେହ ରୋଗୀ ମିଲେଟ୍ କେକ୍, ବାଜରା କେକ୍, ଓଟସ୍ କେକ୍, ଅଟା କେକ୍ କୁ ପସନ୍ଦ କରୁଛନ୍ତି । ପ୍ୟାରିସ ବେକେରିର ମାଲିକ ବିତିହୋତ୍ରା ଭରଦ୍ୱାଜ କୁହନ୍ତି, ଗତ କିଛି ଦିନ ହେବ ନୂଆ ବର୍ଷକୁ ନଜରରେ ରଖି କେକ୍ ତିଆରି ବଢ଼ିଯାଇଛି । ଏହି ସମୟରେ ବିକ୍ରୟ ସାଧାରଣ ଦିନ ତୁଳନାରେ ୩-୪ ଗୁଣା ବଢିଥାଏ । ଚଳିତବର୍ଷ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୨୦ରୁ ଅଧିକ ପ୍ରକାର ଡିଜାଇନ୍ର କେକ୍ ତିଆରି କରାଯାଇଛି ।

ଉପହାରରେ ଡାଏରୀ:

ନୂଆବର୍ଷରେ ଉପହାର ଦେବାର ପରମ୍ପରା ବହୁ ପୁରୁଣା । ଯାହା ଆଜି ମଧ୍ୟ ସେମିତି ରହିଛି । ଚଳିତ ବର୍ଷ ଅଧିକ ଚାହିଦାରେ ରହିଛି "ଡାଏରୀ ସହିତ ଆସେସାରିଜ୍ ବକ୍ସ' । ଯେଉଁଥିରେ ଡାଏରୀ, କାର୍ଡ ହୋଲଡର, ଚାବି ରିଙ୍ଗ, ସ୍ମାର୍ଟ ପାଣି ବୋତଲ, ଗ୍ରୀଟିଙ୍ଗ୍ କାର୍ଡ ଭଳି ନାନା ସାମଗ୍ରୀ ରହିଥାଏ । ସାମଗ୍ରୀ ଅନୁଯାୟୀ ଏହାର ମୂଲ୍ୟ ନିର୍ଦ୍ଧାରିତ ହୋଇଥାଏ । ଏଥିସହିତ ଜୟଦେବଭବନରେ ମିଳୁଥିବା ସରକାରୀ ଡାଏରୀ କିଣିବା ପାଇଁ ମଧ୍ୟ ଲୋକମାନଙ୍କଠାରେ ଦେଖିବାକୁ ମିଳୁଛି ଢେର୍ ଆଗ୍ରହ ।

ପ୍ରିମିୟମ୍ ବିଟ୍‌ରେ ଡ୍ୟାନ୍ସ ଟ୍ରୁପ୍:

ଅନଲିମିଟେଡ୍ ଖାଦ୍ୟ ସାଙ୍ଗକୁ ପାନୀୟ । ସାଥିରେ ଏକଜୋଟିକ୍ ମକଟେଲ୍, ୱାର୍ଲ୍ଡ କ୍ଲାସ ଖାଦ୍ୟ ସାଙ୍ଗକୁ ଡ୍ୟାନ୍ସ ଟ୍ରୁପର ମଜା ନେଇ ପାରିବେ । ଜିରୋ ନାଇଟ୍‌ରେ ଧୁମ୍ ମଚାଇବା ଲାଗି ଚାହୁଁଥିଲେ ସ୍ୱସ୍ତି ପ୍ରିମିୟମ୍‌ରେ ଏସବୁ ଆୟୋଜନ ହୋଇସାରିଛି । ରାତି ୮ଟାରୁ ଆରମ୍ଭ ହୋଇଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସ୍ନାକ୍ସ ସାଙ୍ଗକୁ ଗାଲା ଡିନର୍, ଡିଜେ ଆଣ୍ଡ ଲାଇଭ୍ ପରଫରମାନ୍ସ, ଲକି ଡ୍ର ଗିଫ୍ଟ ହାମ୍ପରର ବି ବ୍ୟବସ୍ଥା ରହିଛି ।

ଗାଲା ଡିନରରେ ଡ୍ୟାନ୍ସ ଅନ୍ ଦ ଫ୍ଲୋର:

ନ୍ୟୁ ଇୟର ଗାଲା ଡିନର୍ ୨୦୨୬ରେ ଚାଲିବ ଡ୍ୟାନ୍ସ ଅନ୍ ଦ ଫ୍ଲୋର । ଫୁଲ୍ ଜୋସରେ ନାଚି ନାଚି ୨୦୨୫କୁ ବିଦାୟ ଦେବେ । କ୍ରିଷ୍ଟାଲ କ୍ରାଉନରେ ଲାଇଭ୍ ମ୍ୟୁଜିକ୍, ଡିଜେ, ଆଙ୍କର ୱିଥ ଆକ୍ଟିଭିଟି, ଅନଲିମିଟେଡ୍ ରିଫ୍ରେଶମେଣ୍ଟ, ଟେବୁଲରେ ପରସା ଯିବ ଲାଇଭ୍ ଷ୍ଟାଟର୍ । ରାତି ୮ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ଯାହା ପୁରା ରାତି ଚାଲିବ ।

ରୁଫ୍ ଟପ୍ କାଫେରୁ ହୋଟେଲ ଯାଏ:

ଜିରୋ ନାଇଟ୍ ସେଲିବ୍ରେସନ୍ ଏବେ ଟ୍ରେଣ୍ଡ ହୋଇଗଲାଣି । ପୁରୁଣା ବର୍ଷକୁ ବିଦାୟ ଦେବା ଲାଗି ଯୋଜନା ଜୋରଦାର । କିଏ ସାଙ୍ଗମାନଙ୍କ ସହ ତ ଆଉ କିଏ କପୁଲ୍ ହୋଇ ପହଞ୍ଚି ଯାଉଛନ୍ତି ନିଜ ନିଜ ଡେଷ୍ଟିନେସନରେ । ଏକା ସାଙ୍ଗରେ ରହି ପୁରୁଣା ବର୍ଷକୁ ଦେବେ ବିଦାୟ । ସେଥିପାଇଁ ବଡ଼ ବଡ଼ ହୋଟେଲ ସହ ରୁଫ ଟପ୍ କାଫେରେ ମଧ୍ୟ ସେଲିବ୍ରେସନ୍ ଧୁମ୍‌ଧାମରେ ହେଉଛି । ହୋଟେଲ ଏମ୍ପାୟର୍ସରେ ଶେଷ ରାତିରେ ମିଡ୍ ନାଇଟ୍ ବାସ୍, ଭୁବନେଶ୍ୱର ହିଲ୍ ଭ୍ୟୁ କାଫେରେ ଆସେଣ୍ଟ ୨୦୨୬ରେ ଖୋଲା ଆକାଶ ସାଙ୍ଗକୁ ଥଣ୍ଡା ଥଣ୍ଡା ପବନରେ ଚାଲିବ ପାର୍ଟି । ସେହିପରି ଚାଏ ବ୍ରେକ୍ ରେ ଏନୱାଇଇରେ ଲାଇଭ୍ ଡିଜେ, ଲାଇଭ୍ ମ୍ୟୁଜିକ୍, ଫାୟାର ସର୍ଟ, କେକ୍ କଟିଙ୍ଗର କାର୍ଯ୍ୟକ୍ରମ ରହିଛି । ପଲ୍ ହାଇଟ୍‌ରେ ବ୍ଲାକ ଆଣ୍ଡ ହ୍ୱାଇଟ୍ ବଲ୍ ପାର୍ଟିରେ ନ୍ୟୁ ଇୟର ପାର୍ଟିଜ୍, ଭିଭାନ୍ତରେ ୱିଣ୍ଟର ହ୍ୱାଇଟ୍ ପାର୍ଟି ଚାଲିବ ।

ଛାତ ଉପରେ ଭୋଜିଭାତ:

ଆପାର୍ଟମେଣ୍ଟ ଗୁଡ଼ିକରେ ବର୍ଷ ତମାମ କିଛି ନା କିଛି କାର୍ଯ୍ୟକ୍ରମ ଚାଲିଥାଏ । ନୂଆବର୍ଷ ପୂର୍ବରାତି ପାଇଁ ଏହି ଆପାର୍ଟମେଣ୍ଟ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । ଖାଇବା ପିଇବା ସାଙ୍ଗକୁ ନାଚ ଗୀତ ଓ କେକ୍ କଟିଙ୍ଗର ବ୍ୟବସ୍ଥା ମଧ୍ୟ ହୋଇଛି । ସେହିଭଳି ଘର ଛାତ ଉପରେ ବି ଅନେକ ପରିବାର ଭୋଜିଭାତର ଆୟୋଜନ କରୁଛନ୍ତି । ମିଳିମିଶି ଭଡ଼ା ନେଇ ରହୁଥିବା ଲୋକମାନେ ଏକାଠି ହୋଇ ରାତିରେ ଭୋଜି କରି ଶେଷ ରାତିକୁ ବିଦାୟ ଦେବାକୁ ଯୋଜନା କରିଛନ୍ତି ।

ଆମିଷ ବଜାରରେ ଭିଡ଼ ଜମିବ:

ବୁଧବାର ବର୍ଷର ଶେଷ ଆମିଷ ବାର ପଡ଼ୁଛି । ତେଣୁ ବର୍ଷର ଶେଷଦିନରେ ଆମିଷ ବଜାରରେ ଭି ଜମିବ । ଗୋଟିଏ ପଟେ ପିକନିକ୍ ଋତୁ ଚାଲିଥିବା ବେଳେ ଅନ୍ୟପଟେ ହୋଟେଲ ପାଇଁ ଅଧିକ ମାଛ, ମାଂସ ଆଣିଛନ୍ତି ବେପାରୀ । ଛାଡଖାଇରେ ବେପାର ୪କୋଟି ଛୁଇଁଥିବା ବେଳେ ଗତକାଲି ଆହୁରି ଅଧିକ ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ ।