ଭୁବନେଶ୍ୱର, ୨୯/୦୩: ରାଜ୍ୟରେ ଉପରମୁହାଁ ପାରଦ । ୫ ସହରରେ ୪୦ ଛୁଇଁଲା ତାତି । ଗୁରୁବାର ଭଳି ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଚଳିତବର୍ଷ ପ୍ରଥମଥର ଲାଗି ତାତି ୪୦ ଡିଗ୍ରୀ ଛୁଇଁଛି । ଶୁକ୍ରବାର ରାଜ୍ୟର ୫ଟି ସ୍ଥାନ ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଏବଂ ନୟାଗଡ଼ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଅନୁଗୁଳରେ ତାପମାତ୍ରା ୩୯.୧ ଡିଗ୍ରୀ, ଝାରସୁଗୁଡ଼ାରେ ୩୯.୧ ଡିଗ୍ରୀ, ତାଳଚେରରେ ୩୯.୮ ଡିଗ୍ରୀ, ଫୁଲବାଣୀରେ ୩୯.୨ ଡିଗ୍ରୀ, ନବରଙ୍ଗପୁରରେ ୩୯ ଡିଗ୍ରୀ, କଟକରେ ୩୭.୫ ଡିଗ୍ରୀ ଏବଂ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୭.୪ ଡିଗ୍ରୀ ରେକର୍ଡ କରାଯାଇଛି ।
ତାପମାତ୍ରା ସମ୍ପର୍କିତ ସୂଚନା pic.twitter.com/pmpS5z2mz4
— Meteorological Centre, Bhubaneswar (@mcbbsr) March 29, 2024
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ସେହିଭଳି ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ୨ରୁ ଡିଗ୍ରୀ ବଢ଼ିବ । ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହିବ । ଉପକୂଳ ଓଡ଼ିଶାର ତାପମାତ୍ରା ୩୬ରୁ ୩୮ ଡିଗ୍ରୀ ରହିପାରେ ।
ଗ୍ରୀଷ୍ମ ପ୍ରବାହକୁ ଦେଖି ପାଣିପାଗ ବିଭାଗ ସତର୍କ କରାଇଛି । ଦିନ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜରୁରୀ ନଥିଲେ ଘରୁ ନ ବାହାରିବା ଲାଗି ପରାମର୍ଶ ଦିଆ ଯାଇଛି । ଆଖୁ, ଡାଲି ଜାତୀୟ ଫସଲ ଅମଳ ପାଇଁ ଚାଷୀଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।