ଭୁବନେଶ୍ୱର,୦୪/୦୫: ନକଲି ପରୀକ୍ଷାର୍ଥୀ ହଲ୍‌ରେ ବସିଥାନ୍ତେ । ଦେଇଥାନ୍ତେ ନିଟ୍‌ ପରୀକ୍ଷା । ଅଗ୍ରୀମ ୯୪ ଲକ୍ଷ ଟଙ୍କାର ଚେକ୍‌ ନେଇଥିଲେ । ହେଲେ ସବୁ ଯୋଜନା ପଣ୍ଡ କରି ଦେଲା କମିଶନରେଟ୍‌ ପୁଲିସ୍‌ । ପରୀକ୍ଷାର ୨୪ ଘଣ୍ଟା ପୂର୍ବରୁ ସୁରାକ ପାଇ ମାଡ଼ି ବସିଲା ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ । ଧରାପଡ଼ିକଲେ ୪ ଜଣିଆ ଗ୍ୟାଙ୍ଗ୍‌ । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ପ୍ରିୟଦର୍ଶୀ କୁମାର, ବିହାରର ଅରବିନ୍ଦ କୁମାର, ପଟିଆ ଷ୍ଟାର ସିଟି କଲୋନୀର ସୁନୀଲ ସାମନ୍ତରାୟ ଓ କଳିଙ୍ଗ ବିହାର ଟାଟା ଆରିଆନାରେ ରହୁଥିବା ରୁଦ୍ର ନାରାୟଣ ବେହେରା । ଏମାନଙ୍କ ଠାରୁ ପୁଲିସ୍‌ ୯୪ ଲକ୍ଷ ଟଙ୍କାର ୩ ଟି ଚେକ୍‌, ଗୋଟିଏ ବ୍ଲାଙ୍କ୍‌ ଚେକ୍‌, ବିଭିନ୍ନ ପରୀକ୍ଷାର୍ଥୀଙ୍କ କାଗଜପତ୍ର, ୨ଟି କାର୍‌, ଜାଲ୍‌ ଏନ୍‌ଆରଆଇ କାଗଜପତ୍ର ଜବତ କରିଛି ବୋଲି ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ଏମାନେ ନିଟ୍‌ ପରୀକ୍ଷା ପାଇଁ ନକଲି ପରୀକ୍ଷାର୍ଥୀ ଯୋଗାଡ଼ କରିଥିଲେ । ସେଥିପାଇଁ ଦେଢ଼ କୋଟି ଟଙ୍କର ଡିଲ୍‌ ହୋଇଥିଲା ବୋଲି ପୁଲିସ୍‌ କହିଛି ।

ଗିରଫ ଅଭିଯୁକ୍ତମାନଙ୍କର ବିହାର, ଓଡ଼ିଶା ଓ ଝାଡ଼ଖଣ୍ଡରେ ଏକ ର‌୍ୟାକେଟ୍‌ ରହିଛି । ମେଡିକାଲ୍‌ କଲେଜରେ ଆଡ୍‌ମିସନ୍‌ କରାଇ ଦେବାକୁ ବିଭିନ୍ନ ପରୀକ୍ଷାର୍ଥୀ ଏବଂ ତାଙ୍କ ପରିବାର ଲୋକଙ୍କୁ ଅତି ଚତୁରତାର ସହ ସୋସିଆଲ୍‌ ମିଡିଆରେ ଜଣାଉଥିଲେ । ସବୁ ଠି ସେଟିଂ ଅଛି ବୋଲି କହିବା ସହ ପୂର୍ବ ବର୍ଷ କେତେ ପିଲାଙ୍କୁ ଏମାନେ ଆଡ୍‌ମିସନ୍‌ କରାଇ ଦେଇଛନ୍ତି ତାର ହିସାବ ମଧ୍ୟ ଦେଖାଉଥିଲେ । ପାଠପଢ଼ାରେ ଦୁର୍ବଳ ଥିବା ପିଲାର କୋଟିପତି ବାପା-ମା’ଙ୍କୁ ଏମାନେ ଯୋଗାଯୋଗ କରୁଥିଲେ । ତାଙ୍କ ପିଲାକୁ ମେଡିକାଲ୍‌ କଲେଜ୍‌ରେ ଆଡ୍‌ମିସନ୍‌ କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ । ଟଙ୍କା ନେଲା ପରେ ଏମାନେ କଲେଜରେ ଆଡ୍‌ମିସନ୍‌ ବି କରାଇ ଦେଉଥିଲେ । 

ଏହି ଗ୍ୟାଙ୍ଗ୍‌ ୨ଟି ତରିକାରେ ଆଡ୍‌ମିସନ୍‌ କରାଇ ଦେବାକୁ ଛାତ୍ରଛାତ୍ରୀ ଓ ତାଙ୍କ ପରିବାର ଲୋକଙ୍କୁ କହୁଥିଲେ । ଗୋଟିଏ ହେଲା ନକଲି ପରୀକ୍ଷାର୍ଥୀ ହୋଇ ପରୀକ୍ଷା ଦେବା । ଅନ୍ୟଟି ହେଲା ପରୀକ୍ଷା ପରେ ମେଡିକାଲ୍‌ କଲେଜ ସହ ଯୋଗଯୋଗ କରି ଏନ୍‌ଆରଆଇ ଓ ମ୍ୟାନେଜମେଣ୍ଟ କୋଟାରେ ଆଡ୍‌ମିସନ୍‌ କରାଇ ଦେବା । ରବିବାର ନିଟ୍‌ ପରୀକ୍ଷା ରହିଛି । ଏହି ଗ୍ୟାଙ୍ଗ୍‌ ୬ ଜଣ ଅସଲି ପରୀକ୍ଷାର୍ଥୀଙ୍କ ପାଇଁ ନକାଲି ପରୀକ୍ଷାର୍ଥୀ ଯୋଗାଡ଼ କରିଥିଲେ । ପ୍ରତି ପିଲାଙ୍କୁ ନିଟ୍‌ ପରୀକ୍ଷାରେ ପାସ୍‌ କରାଇ ଦେବାର ପ୍ରତିଶ୍ରୁତି ଦେଇ ୨୦ରୁ ୩୦ ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ । ରବିବାର ନିଟ୍‌ ପରୀକ୍ଷା ପାଇଁ ଗିରଫ ଅଭିଯୁକ୍ତମାନେ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ । ଏମାନଙ୍କ ବିଷୟରେ ଗତ ୧ ତାରିଖ ଦିନ ଖବର ପାଇଥିଲା ସ୍ପେଶାଲ୍‌ କ୍ରାଇମ୍‌ ୟୁନିଟ୍‌ । ସେମାନଙ୍କୁ ଧରିବାକୁ ଯୋଜନା କରିଥିଲା । ପଟିଆ ଅଞ୍ଚଳରେ ରହୁଥିବା ସୁନୀଲକୁ ପୁଲିସ୍‌ ପ୍ରଥମେ ଧରିଥିଲା । ତାକୁ ଜେରା କରିବା ପରେ ଅନ୍ୟ ଅଭିଯୁକ୍ତମାନେ ଧରାପଡ଼ିଥିଲେ । ଏମାନେ ଗିରଫ ହେବା ପରେ ନକଲି ପରୀକ୍ଷାର୍ଥୀମାନେ ଫେରାର ହୋଇ ଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ଆଡେ ଚଢ଼ଉ ଜାରି କରିଛି ବୋଲି ପୁଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ କହିଛନ୍ତି । ନିଟ୍‌ ପରୀକ୍ଷା ପାଇଁ କଡ଼ା ପଦକ୍ଷେପ ସତ୍ତେ୍ୱ ଏମାନେ କେମିତି ଏତେ ବଡ଼ ଯୋଜନା କରିଥିଲେ ସେନେଇ ତଦନ୍ତ କରୁଛି ପୁଲିସ ।