ନୂଆଦିଲ୍ଲୀ/ଭୁବନେଶ୍ବର,୧୮।୬ : ଦିବ୍ୟାଙ୍ଗଜନକ ପାଇଁ ସମାନ ଶିକ୍ଷା ସୁନିଶ୍ଚିତ କରିବା ଏବଂ ସମାବେଶୀ ଭାରତ ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବୁଧବାର ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ରର ସାମାଜିକ ନ୍ୟାୟ ଏବଂ ସଂଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାରଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି।
ଡିପାର୍ଟମେଣ୍ଟ ଅଫ ଏମ୍ପପାଓ୍ବାରମେଣ୍ଟ ଅଫ ପର୍ସନ ଓ୍ବିଥ ଡିଜାବିଲିଟି ( ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ), ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ (ଏନଆଇଓଏସ) ଓ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (ଏନସିଇଆରଟି), ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ବୁଝାମଣାପତ୍ର ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷାର ସମାନ ସୁଯୋଗ ପ୍ରଦାନ କରିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା, ଶିକ୍ଷାରେ ସମସ୍ତଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ଏବଂ ଏକ ସମାବେଶୀ ଭାରତ ଗଠନ କରିବାରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ।
ଏନସିଇଆରଟି ଏବଂ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନକୁ ଟେକ୍ନୋଲୋଜି ଏବଂ ସମାଜର ସହଭାଗୀତା ସହ ଦିବ୍ୟାଙ୍ଗଜନ ସହ ଜଡିତ ନୀତିଗୁଡିକର ଡି-କୋଡିଫାଏ ଏବଂ ବିସ୍ତାର କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ। ଦିବ୍ୟାଙ୍ଗମାନଙ୍କ ପାଇଁ ସମାନତା, ସୁଗମତା ଏବଂ ସମ୍ବେଦନଶୀଳତା ଭଳି ପ୍ରସଙ୍ଗରେ ସମାଜରେ ଦାୟିତ୍ବବୋଧ ବୃଦ୍ଧି କରିବା ଦରକାର ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।