ଭୁବନେଶ୍ୱର,୧୩/୦୭: ବୋଲ୍‌  ବମ୍‌ ..ହର ହର ବମ୍‌ । କୈଳାସପତି  ପାର୍‌ କରେଗା... ପାର୍ବତୀ ପତି ପାର୍‌  କରେଗା, ବାବାମଣି ନେ ଟାଣି.... ।  ଏହିଭଳି ଧ୍ୱନିରେ ପ୍ରକମ୍ପିତ ହେବ ନଦୀ  ଘାଟ, ରାସ୍ତା ଓ ଶିବାଳୟ । ଗେରୁଆ ବସ୍ତ୍ର  ପିନ୍ଧି କାନ୍ଧରେ ବାହୁଙ୍ଗା ଧରି ଭକ୍ତମାନେ  ମହାଦେବଙ୍କୁ କରିବେ ଜଳଲାଗି ।  ପ୍ରଭୁଙ୍କୁ ମାଗିବେ ନିଜର ମନସ୍କାମନା ।  ରାତି ପାହିଲେ  ଶ୍ରାବଣ  ମାସର ପ୍ରଥମ ସୋମବାର । ମହାଦେବଙ୍କୁ ଜଳଲାଗି କରିବେ କାଉଡ଼ିଆ ଭକ୍ତ।  

ଶ୍ରାବଣ ମାସକୁ ଅନ୍ୟତମ ପବିତ୍ର ମାସ ଭାବେ ଗଣନା କରାଯାଏ । ଏହି  ମାସକୁ ଶିବଭକ୍ତମାନେ ଅନେଇ  ବସିଥାନ୍ତି । କେହି କେହି ଶ୍ରାବଣ ମାସର  ପ୍ରଥମ ସୋମବାର ମହାଦେବଙ୍କୁ  ଜଳଲାଗି କରୁଥିବା ବେଳେ କେହି ପ୍ରତି ଶ୍ରାବଣ ସୋମବାରରେ ପାଣି ଢାଳିଥାନ୍ତି । ସେଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ସମେତ,  ଭାସ୍କରେଶ୍ୱର ମନ୍ଦିର, ବିଶ୍ୱେଶ୍ୱର  ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ଗଣ୍ଡମୁଣ୍ଡା  ମହାକାଳେଶ୍ୱର ମନ୍ଦିର, ଧର୍ମବିହାରସ୍ଥିତ  ଧର୍ମେଶ୍ୱର ମନ୍ଦିର, ସିଦେ୍ଧଶ୍ୱର ମହାଦେବ  ମନ୍ଦିର ସମେତ ଏକାମ୍ରକ୍ଷେତ୍ରର ସମସ୍ତ  ଶୈବପୀଠରେ  ସୋମବାର  ଭକ୍ତଙ୍କର ଲାଗିବ ପ୍ରବଳ ଗହଳି ।  ଏଥିପାଇଁ ଶୈବପୀଠଗୁଡ଼ିକରେ ମଧ୍ୟ  ଆରମ୍ଭ ହୋଇଗଲାଣି ସମସ୍ତ ପ୍ରସ୍ତୁତି ।  ସୋମବାର ସକାଳୁ ମହାଦେବଙ୍କର  ଦୈନନ୍ଦିନ ନୀତିକାନ୍ତି ସରିଲା ପରେ  ଭକ୍ତମାନେ ଦର୍ଶନ ଓ ପାଣି ଲାଗି  କରିବେ ।  କାଉଡ଼ିଆ ଭାଇମାନେ କିଣାକିଣି  ଉଦ୍ଦେଶ୍ୟରେ ବଜାରମୁହାଁ ହେଲେଣି ।  

ୟୁନିଟ-୧ ସ୍ଥିତ ଦୋକାନଗୁଡ଼ିକରେ  ଲୋକମାନଙ୍କ ଗହଳି ଲାଗିରହୁଛି ।  ବାଉଁଶ ବାହୁଙ୍ଗାର ମୂଲ୍ୟ ୧୮୦ ଟଙ୍କାରୁ  ଆରମ୍ଭ ହୋଇ ୫୦୦ ଟଙ୍କା ପର୍ଯ୍ୟନ୍ତ  ରହିଛି । ବାହୁଙ୍ଗା ସେଟ୍‌ର ମୂଲ୍ୟ ୨୨୦  ଟଙ୍କାରୁ ଆରମ୍ଭ ହେଉଛି । ସେହିପରି  ବେତ ବାହୁଙ୍ଗାର ମୂଲ୍ୟ ୮୦୦ରୁ ୧୦୦୦  ଟଙ୍କା ରହୁଛି । ବାହୁଙ୍ଗା ସଜେଇବା ପାଇଁ  ଲାଗୁଥିବା ଶିବଲିଙ୍ଗ, ସାପ, ବେଲପତ୍ର,  ତ୍ରିଶୁଳ, ଧୂପଦାନି, ଘୁଙ୍ଗୁର, ଘଣ୍ଟି,  ହାତୀଶୁଣ୍ଢ, ଫିତା ୧୫ ଟଙ୍କାରୁ ଆରମ୍ଭ  ହୋଇ ୪୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଶିକା  ମୂଲ୍ୟ ୪୦ ଟଙ୍କାରୁ ଆରମ୍ଭ ହୋଇ ୭୦  ଟଙ୍କା ପର୍ଯ୍ୟନ୍ତ ରହୁଛି । ମାଟି କଳସ  ୩୦ ଟଙ୍କାରୁ ଆରମ୍ଭ ହୋଇ ୫୦ ଟଙ୍କା  ପର୍ଯ୍ୟନ୍ତ ରହିଥିବା ବେଳେ ପିତଳ କଳସ  ଆକାର ଏବଂ ଓଜନ ଅନୁଯାୟୀ ମୂଲ୍ୟ  ୨୦୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦  ଟଙ୍କା ପର୍ଯ୍ୟନ୍ତ ରହିଛି । ମହାଦେବ ଓ  ଦେବୀ ପାର୍ବତୀଙ୍କର ଚିତ୍ରଥିବା ଟି-ସାର୍ଟ  ଦେଢଶହ ଟଙ୍କାରୁ ଆରମ୍ଭ ହେଉଥିବା  ବେଳେ ଗେରୁଆ ପ୍ୟାଣ୍ଟ୍‌ର ମଲ୍ୟ ୧୩୦  ଟଙ୍କା । 

ଏକ ନମ୍ବର ହାଟରେ ବୋଲବମ୍‌  ସାମଗ୍ରୀ ବିକ୍ରିକରୁଥିବା ଶ୍ରୀକାନ୍ତ  କୁହନ୍ତି, ଆସନ୍ତା ଶ୍ରାବଣମାସର ପ୍ରଥମ  ସୋମବାର ପାଇଁ ଲୋକମାନେ ବେଶ୍‌  ଉତ୍ସାହିତ । ଯେଉଁ ଭକ୍ତମାନେ ପ୍ରଥମକରି  ପାଣି ଲାଗିକରିବେ ସେମାନଙ୍କ ଭିତରେ  ଢେର୍‌ ଆନନ୍ଦ ଦେଖାଯାଉଛି । ସେମାନେ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ  ସଂକୋଚ କରୁନାହାନ୍ତି ।