ବିହାର,୦୬/୦୧: ବିକ୍ଷୋଭ ସ୍ଥଳରୁ ପିକେଙ୍କୁ ଉଠାଇନେଲା ପୋଲିସ । ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ । ବିହାର ପ୍ରଶାସନିକ ସେବା ପରୀକ୍ଷା (ବିପିଏସସି) ବାତିଲ କରିବାକୁ ଦାବି କରି ଆମରଣ ଅନଶନରେ ବସିଥିବା ଜନ ସୁରାଜ ପାର୍ଟି ପ୍ରଶାନ୍ତ କିଶୋରଙ୍କୁ ବିକ୍ଷୋଭ ସ୍ଥଳରୁ ହେପାଜତକୁ ନେଇଛି ପାଟଣା ପୋଲିସ । ରାତି ୪ଟାରୁ ଗାନ୍ଧୀ ମୈଦାନକୁ ଜୋରଜବରଦସ୍ତ ଉଠାଇନେଇ ପୋଲିସ ଏମ୍ସ ନେଇଥଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପିକେଙ୍କୁ ଘଟଣାସ୍ଥଳରୁ ଉଠାଇ ନେବା ପରେ ସମର୍ଥକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଦେଖିବାକୁ ମିଳିଛି ।

ବିକ୍ଷୋଭ ସ୍ଥଳରୁ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ହେପାଜତକୁ ନେବା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପୋଲିସ ଓ ପିକେଙ୍କ ସମର୍ଥନଙ୍କ ମଧ୍ୟରେ ସଂଘର୍ଷ ସ୍ଥିତି ଉପୁଜିଥିଲା । ଜଣେ ସମର୍ଥକ କହିଛନ୍ତି, ପୋଲିସ ପିକେ ସାରଙ୍କ ଚଷମା ଫୋପାଡି ଦେଇଥିଲେ । ଆମେ ତାଙ୍କୁ କହିବାକୁ ଯିବାରୁ ଠେଲି ଦେଲେ । ପୋଲିସ ଗାଳିଗୁଳଜ କରିଛନ୍ତି । ଆମ ଉପରେ ଲାଠିଚାର୍ଜ କରିଛନ୍ତି ପୋଲିସ । ପିକେ କିଛି ଭୁଲ କରି ନାହାନ୍ତି । ସେ ସତ୍ୟାଗ୍ରହ କରିଥିଲେ । ସରକାର ତାଙ୍କୁ ଡରୁଛନ୍ତି । ନୀତିଶ କୁମାର ମାନସିକ ସ୍ଥିତି ହରାଇଛନ୍ତି । ପୋଲିସ ତାଙ୍କୁ କେଉଁଆଡେ ନେଉଛି ତାହା କାହାକୁ ଜଣାନାହିଁ ।

ପ୍ରକାଶ ଥାଉ କି, ବିପିଏସସିର ୭୦ତମ ପ୍ରିଲିମ୍ସ ପରୀକ୍ଷା ଡିସେମ୍ବର ୧୩ରେ ହୋଇଥିଲା । ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ଏହାକୁ ପୁଣି ଥରେ କରିବାକୁ ଦାବି କରୁଛନ୍ତି । ଗତ ୨ ସପ୍ତାହରୁ ଅଧିକ ଦିନ ଧରି ଆଶାୟୀଙ୍କ ଧାରଣା ଜାରି ରହିଛି । ଆଶାୟୀଙ୍କୁ ପ୍ରଶାନ୍ତ କିଶୋର, ତେଜସ୍ବୀ, ପପ୍ପୁ ଯାଦବଙ୍କ ଭଳି ନେତାଙ୍କ ସହ ଦେଶର ଜଣାଶୁଣା ଖାନ ସାରଙ୍କ ମଧ୍ୟ ସମର୍ଥନ ମିଳିଛି । ଏହା ପରେ ଗତ ଜାନୁଆରୀ ୨ ତାରିଖରୁ ଆମରଣ ଅନଶନରେ ବସିଥିଲେ ପ୍ରଶାନ୍ତ କିଶୋର ।

ତାଙ୍କର ୫ଟି ଦାବି ରହିଥିଲା । ବିପିଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ଦୁର୍ନୀତିର ଉଚ୍ଚସ୍ତରୀୟ ଯାଞ୍ଚ ହେଉ ଏବଂ ପୁନର୍ବାର ପରୀକ୍ଷା କରାଯାଉ । ୨୦୧୫ରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ, ୧୮ରୁ ୩୫ ବର୍ଷର ସବୁ ବେରୋଜଗାର ଯୁବକଙ୍କୁ ଭତ୍ତା ଦିଆଯାଉ । ଗତ ୧୦ ବର୍ଷରେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପେପର ଲିକର ଯାଞ୍ଚ ଏବଂ ଦୋଷୀଙ୍କ ଉପରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ଶ୍ବେତ ପତ୍ର ଜାରି କରାଯାଉ ଭଳି ଦାବି ରଖିଥିଲେ ପ୍ରଶାନ୍ତ କିଶୋର । ଆଜି (ସୋମବାର) ଭୋର ୪ଟାରୁ ପଟଣା ପୋଲିସ ତାଙ୍କୁ ବିକ୍ଷୋଭସ୍ଥଳରୁ ଉଠାଇ ନେଇଛି ।